ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) ଆସନ୍ତାକାଲି ଠାରୁ, ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବା ସହ, ସରକାରୀ କାର୍ଯ୍ୟ ସ୍ୱାଭାବିକ ହେବ। ହେଲେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ, କୋର୍ଟକାର୍ଯ୍ୟ ବନ୍ଦ ରହିବା ସହ, ଓକିଲମାନଙ୍କ ସିଜ୍‌ ୱାର୍କଜାରି ରହିବ।

ସେହିପରି ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ମଧ୍ୟ ସରକାରୀ କାର୍ଯ୍ୟ ସ୍ୱାଭାବିକ ହେବା ସହ, ବିଚାରବିଭାଗୀୟ ଅଦାଲତ ବନ୍ଦ ରହିବ ବୋଲି ଆଜି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ହେଲେ ଧାରଣା,ରାଲି ଅନଶନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ପଶ୍ଚିମଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି।

୧୬୬ଦିନ ପରେ, ଆସନ୍ତାକାଲି ଠାରୁ ସମ୍ବଲପୁର ଜିଲ୍ଲାର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ୍‌  ଖୋଲିବା ସହ,ସମସ୍ତ ସରକାରୀ କାର୍ଯ୍ୟ ସ୍ୱାଭାବିକ ହେବ। ଆଜି ସମ୍ବଲପୁରଜିଲ୍ଲା ଓକିଲସଂଘ କାର୍ଯ୍ୟାଳୟରେ ବସିଥିବା,ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ, ସମ୍ବଲପୁର ଜିଲ୍ଲା ଓକିଲସଂଘ ଓ ପଶ୍ଚିମଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଥିଲେ।

ଏ ସଂପର୍କରେ ସୂଚନାଦେଇ ସମ୍ବଲପୁରଜିଲ୍ଲା ଓକିଲସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି ଯେ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଠୋସ୍‌  ପଦକ୍ଷେପ ନନେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।

୧୬୬ଦିନ କାର୍ଯ୍ୟବନ୍ଦ,ସରକାରୀ କାର୍ଯ୍ୟାଳୟରେ ତାଲା ପକାଇବା ପରେ, ଓକିଲଙ୍କ ଆନ୍ଦୋଳନ ସାମାନ୍ୟ କୋହଳ ହୋଇଛି। ହେଲେ ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାର, ପୁଣି ଟାଳଟୁଳ ନିତୀ ଅବଲମ୍ବନ କଲେ, ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଓକିଲସଂଘ ଚେତାବନୀ ଦେଇଛି।

Comment