ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋମବାର ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି। ଗସ୍ତରେ ନବୀନ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଏମ-କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି ନବୀନ। ପିଏମ-କିଷାନ ଯୋଜନାରେ କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କୁ ସାମିଲ କରାଯାଇ ନାହିଁ। ଏହି ଯୋଜନାରେ ଚାଷୀଙ୍କ ପାଇଁ ବିଶେଷ ସୁବିଧା ଦିଆଯାଉନାହିଁ ବୋଲି ନବୀନ କହିଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ହିଁ ଦେଶକୁ ବାଟ ଦେଖାଉଛି ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବୌଦ୍ଧ ଗସ୍ତରେ ଯାଇ କଣ୍ଟାମାଳ ଠାରେ ୧୧୬ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥିସହ କଣ୍ଟାମାଳ ବ୍ଲକର ୪ଟି ହାଇଲେଭଲ ସେତୁ, ୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ୧୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। କଣ୍ଟାମାଳରେ ୩୧୦ କୋଟି ୫୯ ଲକ୍ଷ ଟଙ୍କାର ୧୦ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ଭଞ୍ଜନଗର ଗସ୍ତରେ ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅପରାହଣରେ ଭଞ୍ଜନଗର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ କୋଟି ୨୬ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହାସହ ୨୪ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment