ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଛନ୍ତି। ସହରର ରାମକୃଷ୍ଣ ସମୁଦ୍ର କୂଳରେ ରହିଥିବା YMCAଠାରୁ ସହିଦ ସ୍ତୁପ ପର୍ଯ୍ୟନ୍ତ କ୍ୟାଣ୍ଡେଲ ରାଲିର ଆୟୋଜନ କରିଥିଲା ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ।

ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣାର ପ୍ରାୟ ଶହ ଶହ ପ୍ରବାସୀ ଓଡ଼ିଆ ପରିବାର ସାମିଲ ହୋଇଥିଲେ। କିଛି ଅଣଓଡ଼ିଆ ଅନୁଷ୍ଠାନ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାସ୍ତାରେ ଯିବା ଆସିବା କରୁଥିବା ଜନସାଧାରଣଙ୍କୁ ବୀର ଯବାନମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ।

ଏହାସହ ଉତ୍କଳ ସାଂସ୍କୃତିକ ସମାଜ ସଦସ୍ୟମାନେ ସୋସିଆଲ ମିଡିଆ ମାଧ୍ୟମରେ ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜିତେନ୍ଦ୍ର କୁମାର ନାୟକ ସହିଦଙ୍କ ପରିବାର ପାଇଁ ପ୍ରଥମେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ କିଛି ଅଣ ଓଡିଆମାନେ ୨୦୦୦ ଟଙ୍କା ପ୍ରଦାନ କରିଛନ୍ତି।

ଏହିସବୁ ଟଙ୍କା ଉତ୍କଳ ସାଂସ୍କୃତିକ ସମାଜ ନିକଟରେ ଜମା କରାଯିବା ପରେ ଆଗାମୀ ଦିନରେ ଏହା ସରକାରଙ୍କ ସହଯୋଗରେ ସହିଦ ଯବାନଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ଉତ୍କଳ ସମାଜର ସଭାପତି ଜିତେନ୍ଦ୍ର କୁମାର ନାୟକ କହିଛନ୍ତି।

Comment