ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ କଡ଼ା ଜବାବ ଦେଇଛି ଭାରତ। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନକୁ ଦାୟୀ କରିବା ପଛରେ କିଛି ପ୍ରମାଣ ନାହିଁ ବୋଲି ଇମ୍ରାନ କହିବା ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ କଡ଼ା ଜବାବ ଦିଆଯାଇଛି।

ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ନେତା ମସୁଦ ଅଜହର କେଉଁଠି ଅଛି ଏବଂ ତାକୁ କିଏ ପ୍ରଶୟ ଦେଉଛି ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ପ୍ରଶ୍ନ କରିଛନ୍ତି।

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “୨୬/୧୧ ମୁମ୍ବାଇ ଆକ୍ରମଣ ଏବଂ ପଠାନକୋଟ୍ ଆକ୍ରମଣର ପ୍ରମାଣ ଭାରତ ପକ୍ଷରୁ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ସରକାର କୌଣସି ପଦକ୍ଷେପ ନେଇ ନଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ଜୈସ୍‌-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିଛି। ଏହି ସଙ୍ଗଠନର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ହିଁ ରହିଛି। ଏହାଠୁ ବଡ଼ ପ୍ରମାଣ କ’ଣ ହୋଇପାରେ?”

ରବିଶ କୁମାର କହିଛନ୍ତି, “୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ପାକିସ୍ତାନକୁ ସମସ୍ତ ତଥ୍ୟ ଦେଇଥିଲେ ଭାରତ ସରକାର। ୧୦ ବିତି ଯାଇଥିଲେ ବି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ପାକ୍ ସରକାର। ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପାକ୍ ପ୍ରଧାନମନ୍ତ୍ରୀ ନିନ୍ଦା କରିବା ବଦଳରେ ଭାରତକୁ ଆକ୍ଷେପ କରିବା ଆଦୌ ଗ୍ରହଣୀୟ ନୁହେଁ।”

ଇମ୍ରାନ ଖାନ୍ ଏକ ଭିଡିଓ ଜାରି କରି ପୁଲୱାମା ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ନାହିଁ ବୋଲି କହିଥିଲେ। ବିନା ପ୍ରମାଣରେ ପାକିସ୍ତାନ ଉପରେ ଦୋଷ ଲଦିବା ଠିକ୍ ନୁହେଁ ବୋଲି କହିବା ସହ ପରୋକ୍ଷରେ ଧମକ ଦେଇଥିଲେ। ‘ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତାହାଲେ ଆମେ ବି ଜବାବ ଦେବାକୁ ପ୍ରସ୍ତୁତ’ ବୋଲି କହିଥିଲେ ଇମ୍ରାନ।

Comment