ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ-ପୁରୀ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ବହୁ ପ୍ରତିକ୍ଷୀତ ବମିଖାଲ ଓଭରବ୍ରିଜ୍‌ ଆଜି ସନ୍ଧ୍ୟାରେ ଲୋକର୍ପିତ ହେବ। ସନ୍ଧ୍ୟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ରଙ୍ଗାରଙ୍ଗ ଆଲୋକମାଳାରେ ସାଜସଜ୍ଜା ଚୂଡ଼ାନ୍ତ ପର୍ଯ୍ୟାୟରେ। ଏହି ବ୍ରିଜ୍‌ ହେବାଫଳରେ ସହିଦ ନଗର, ବମିଖାଲ ଓ ରସୁଲଗଡ଼ ଲୋକେ ନିର୍ଦ୍ୱନ୍ଦରେ ସହର ଭିତରେ ଯିବା ଆସିବା କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହାରେ ଏହି ଓଭରବ୍ରିଜ୍ କାମ ଆରମ୍ଭ ହେବା ପରଠାରୁ ବିଭିନ୍ନ ପ୍ରକାରର ସମସ୍ୟା ଲାଗିରହିଥିଲା। କିନ୍ତୁ ଶେଷରେ ଆଜି ଏହି ବ୍ରିଜ୍‌ ଲୋକାର୍ପିତ ହେବ।

୨୦୧୫ ମସିହାରୁ ରସୁଲଗଡ଼ ପଟର କାର୍ଯ୍ୟ ଶେଷ ହୋଇଛି ଓ ୨୦୧୬ରୁ ସହିଦ ନଗର ପଟ ରାସ୍ତା କାମ ମଧ୍ୟ ଶେଷ ହୋଇଥିଲା।

ଓଡ଼ିଶାର ପୋଲ ଇତିହାସରେ ଏହି ଓଭରବ୍ରିଜ୍‌ ସବୁଠାରୁ ସମସ୍ୟାବହୁଳ ପୋଲ ଭାବରେ ବଦନାମ ଅର୍ଜିଛି। ପ୍ରଥମେ ଜମି ଅଧିଗ୍ରହଣକୁ ନେଇ  ସହିଦ ନଗର ଅଞ୍ଚଳରେ ବିବାଦ ସୃଷ୍ଟି ହୋଇଥିଲା। ବମିଖାଲକୁ ସମ୍ପ୍ରସାରଣ କରିବା ପାଇଁ ଯେତେବେକେ ନିଷ୍ପତ୍ତି ହେଲା ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କଲେ। ତାପରେ ୨୦୧୭ ଓ ୨୦୧୮ରେ ଲାଗଲାଗ ଦୁଇଟି ଦୁର୍ଘଟଣା ଘଟିଥିଲା ଓ ଏଥିରେ ଦୁଇ ଜଣପ୍ରାଣ ହରାଇଥିଲେ। ପ୍ରଶାସନିକ, ଜନସାଧାରଣ ଓ ଠିକାଦାରଙ୍କ ସମସ୍ୟା ବ୍ୟତୀତ ପୋଲର ନକ୍ସାକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ପାଣି ଜମିବା ଓ ଆପ୍ରୋଚ ରୋଡକୁ ନେଇ ବିବାଦ ଦେଖା ଦେଇଥିଲା। ଏବେ ଏ ସବୁ ସମସ୍ୟାର ସମାଧାନ ହୋଇଛି।

ଏହି ଓଭରବ୍ରିଜ୍‌ ଲୋକାର୍ପଣ ହେବା ପରେ ଭୁବନେଶ୍ୱରର ଏକ ବଡ଼ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ। ସହିଦ ନଗର, ବମିଖାଲ ଓ ରସୁଲଗଡ଼ ଆଡ଼ୁ ଏଣିକି  ଯିଏ ଯେମିତି ଚାହିଁବେ ଯାଇ ପାରିବେ। ତା’ ଛଡ଼ା କଟକ-ପୁରୀ ମଧ୍ୟରେ ଯାତାୟାତ ସମୟ ମଧ୍ୟ ହ୍ରାସ ପାଇବ। ସବୁଠାରୁ ବଡ଼ କଥା ସହିଦ ନଗର ଲେବୁଲ କ୍ରସିଂ ଠାରେ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ିବ ନାହିଁ।

Comment