ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଢେଙ୍କାନାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ଦୌଡ଼ ପର୍ବ ଆରମ୍ଭ ହୋଇଯାଇଛି। ଓଡ଼ିଶା ରାଜନୀତିରେ ଢେଙ୍କାନାଳ ସବୁବେଳେ ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନ ହୋଇ ଆସିଛି। ବର୍ତ୍ତମାନର ସାଂସଦ ତଥାଗତ ଶତପଥୀ ଏଠାରୁ ଲଗାତାର ବିଜେଡି ଟିକେଟରରେ ଜିତି ଆସିଛନ୍ତି। ୨୦୦୪ରୁ ବିଜେଡି ହାତରେ ଏହି ଆସନଟି ରହିଛି।

୧୯୯୮ରେ ତଥାଗତ ଏହି ଆସନରୁ ପ୍ରଥମ ଥର ପାଇଁ ଲଢ଼ି ଜିତିଥିଲେ। କିନ୍ତୁ ୨୦୦୦ ସାଧାରଣ ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓ ଏହି ଆସନକୁ ଛଡ଼ାଇ ନେଇଥିଲେ। ୨୦୦୪ରେ ଅବଶ୍ୟ ବିଜେଡି ପୁଣି ଏଠାରୁ ଜିତିଥିଲା ଓ ସେହି ଦିନଠାରୁ ଏଠି ଦଳର ପ୍ରଭାବ ଜୋରଦାର ଦେଖିବାକୁ ମିଳିଛି।

ତଥାଗତଙ୍କ ଭବିଷ୍ୟତ

ଏଥର ନିର୍ବାଚନରେ ତଥାଗତଙ୍କୁ କିନ୍ତୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ କାରଣ ଢେଙ୍କାନାଳ ପାଇଁ ବହୁ ଆଶାୟୀ ଧାଡ଼ି ବାନ୍ଧିଛନ୍ତି। ବିଜେଡିର ତିନି ଜଣ ନେତା ଏଠାରୁ ଲୋକସଭାକୁ ଯିବା ପାଇଁ ଆଗ୍ରହୀ। ସେମାନେ ହେଲେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପୂର୍ବତନ ବିଧାୟକ ସୁଧୀର ସାମଲ। ନଗେନ୍ଦ୍ରଙ୍କ ନିଜ ଘର ହିନ୍ଦୋଳରେ।

ଯାହା ଶୁଣାଯାଉଛି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବହୁ ସାଂସଦ ଓ ବିଧାୟକ ଯେଉଁମାନେ ଭଲ କାମ କରି ନାହାନ୍ତି ସେମାନଙ୍କୁ ବଦଳାଇବା ପାଇଁ ଯୋଜନା କରୁଛନ୍ତି। ତା’ ଛଡ଼ା ଢେଙ୍କାନାଳ ଆସନରେ ବିଜେପିର ପ୍ରଭାବ ବୃଦ୍ଧି ପାଉଥିବା କାରଣରୁ ଏଥର ଢେଙ୍କାନାଳରୁ ଜଣେ କେହି ନୂଆ ପ୍ରାର୍ଥୀ ହୋଇପାରନ୍ତି।


ରୁଦ୍ରଙ୍କ ପଲ୍ଲା ଭାରି

ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେ କଥା ଅନିଶ୍ଚିତ ହୋଇପଡ଼ିଥିବା ବେଳେ ବିଜେପିର ରୁଦ୍ର ନାରାୟଣ ପାଣିଙ୍କ ଟିକେଟ କିନ୍ତୁ ପକ୍କା। ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ତଥାଗତଙ୍କୁ କଡ଼ା ଟକ୍କର ଦେଇଥିଲେ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥର ନିର୍ବାଚନରେ କିନ୍ତୁ ବିଜେପି ଭଲ ଫଳ ଆଶା କରୁଛି କାରଣ ୨୦୧୭ ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ଭଲ ଖବର ଆଣିଥିଲା। ଢେଙ୍କାନାଳରେ ଏମିତି ବି ରୁଦ୍ରଙ୍କର ଲୋକପ୍ରିୟତା ଖୁବ୍ ବେଶୀ କାରଣ ସେ ସବୁବେଳେ ଲୋକଙ୍କ ସହିତ ରହିଆସିଛନ୍ତି।

ପୁଣି ସିଂହଦେଓ?

ଯେତେଦୂର କଂଗ୍ରେସ ଦଳ କଥା ଉଠୁଛି ଟିକେଟ ଦୌଡ଼ରେ ବହୁ ନେତା ଅଛନ୍ତି। ଏମାନଙ୍କ ଭିତରୁ ତିନି ଜଣ ସାମ୍ନାକୁ ଆସିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର, କାମାକ୍ଷା ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ ନବୀନ ଦାସ। ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ସିଂହଦେଓ ପ୍ରଥମେ ମନା କରୁଥିଲେ କିନ୍ତୁ ଶୁଣାଯାଉଛି ସେ ଏବେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ।

ଗୋଟିଏ ସମୟରେ ଢେଙ୍କାନାଳକୁ କଂଗ୍ରେସର ଗଡ଼ ବୋଲି କୁହାଯାଉଥିଲା। କିନ୍ତୁ କ୍ରମଶଃ ଦଳର ଭୋଟ ଏଠାରେ କଟି କଟି ଚାଲିଛି। ଢେଙ୍କାନାଳ ଲୋକସଭା ଆସନ ୪ଟି ବିଧାନସଭା ଆସନକୁ ନେଇ ଗଠିତ। ସେଥି ଭିତରୁ ତିନିଟି ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଗୋଟିଏ ଅନଗୁଳ ଜିଲ୍ଲାରେ ଆସୁଛି।

Comment