ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ନାଚୁଣୀ ସମାବେଶରେ ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ।

“ଓଡ଼ିଶାବାସୀଙ୍କୁ ନବୀନ ଧୋକା ଦେଉଛନ୍ତି। ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନାହାନ୍ତି। ଗରିବ, ଅନଗ୍ରସରମାନଙ୍କ ପାଇଁ ନବୀନ କିଛି ବି କରି ନାହାନ୍ତି। ଓଡ଼ିଶା ଆଜି ବିକାଶର ବହୁ ପଛରେ ରହି ଯାଇଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ବିକାଶ ସୁନିଶ୍ଚିତ”, କହିଛନ୍ତି ଯୋଗୀ ଆଦିତ୍ୟନାଥ।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ପୂର୍ବାହ୍ଣରେ ଭବାନିପାଟଣାରେ ଅନୁଷ୍ଠିତ ସମାବେଶରେ ଯୋଗୀ ଯୋଗଦେଇ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ। ଭବାନିପାଟଣାରୁ ସେ ସିଧା ନାଚୁଣୀ ଆସିଥିଲେ।

ନାଚୁଣୀରେ ସେ ସିଧା ନବୀନ ସରକାରଙ୍କୁ ହମ୍‌ଲା କରିଥିଲେ।

“ନବୀନ ସରକାର ୧ ଟଙ୍କାରେ ଚାଉଳ ଦେଉଥିବା କହୁଛନ୍ତି। ହେଲେ ଏଥଇରେ କେନ୍ଦ୍ର ସରକାରଙ୍କର ଅବଦାନ ଅଧିକ। କେନ୍ଦ୍ର ସରକାର ଚାଉଳରେ ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ମାତ୍ର ୧ ଟଙ୍କା ଦେଉଛନ୍ତି”, କହିଛନ୍ତି ଯୋଗୀ।

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଯୋଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ରର ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରାଯାଉ ନଥିବାରୁ ଗରିବ ଲୋକେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ଦ୍ରୁତଗତିରେ ରାଜ୍ୟର ବିକାଶ ହେବ ବୋଲି ଯୋଗୀ କହିଥିଲେ।

ଭବାନିପାଟଣା ସମାବେଶରେ ଯୋଗୀ ନବୀନ ସରକାରଙ୍କ କାଳିଆ ଯୋଜନାକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଆରମ୍ଭରୁ ଏହି ଯୋଜନା ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ ହୋଇଗଲାଣି।

Comment