ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଛାତି ଆଜିକାଲି କୁଣ୍ଢେ ମୋଟ। ହେବା ବି ସ୍ୱାଭାବିକ କାରଣ ଯେଉଁ ଦଳକୁ ଦେଢ଼ ବର୍ଷ ତଳେ କେହି ପଚାରୁନଥିଲେ ସେହି ଦଳ ଆଜି ଶାସକ ବିଜେଡିକୁ ଟକ୍କର ଦେବାକୁ ବସିଛି। ଆଉ ଏହାର ଶ୍ରେୟ ପୂରାମାତ୍ରାରେ ନିରଞ୍ଜନଙ୍କୁ ହିଁ ଯିବ।

କଂଗ୍ରେସ ଦଳ ବିଗତ କିଛି ବର୍ଷ ଧରି ଓଡ଼ିଶା ରାଜନୀତିରେ ତାର ପ୍ରାସଙ୍ଗିକତାକୁ ହରାଇ ବସିଥିଲା ବେଳେ ନିରଞ୍ଜନ ମଙ୍ଗ ଧରିବା ପରେ ଏବେ ଦଳ ପୁନରୁଜ୍ଜୀବିତ ହୋଇଛି କେବଳ ନୁହେଁ ଆଗାମୀ ନିର୍ବାଚନରେ ଏକ ଶକ୍ତିଶାଳୀ ରାଜନୈତିକ ସତ୍ତା ଭାବରେ ଛିଡ଼ା ହେବାକୁ ଯାଉଛି।

ସରକାର ଆମର

ସୋମବାର ଦିନ ନିରଞ୍ଜନ ପଟ୍ଟନାୟକ ଦୃଢ଼ ସ୍ୱରରେ କହିଛନ୍ତି ଯେ ୨୦୧୯ରେ ତାଙ୍କ ଦଳ ନିଶ୍ଚିତ ଭାବେ ରାଜ୍ୟରେ କ୍ଷମତାକୁ ଫେରିବ। ଅବଶ୍ୟ ସେ ଏକଥା ଖୋଲି କହିଲେ ନାହିଁ କଂଗ୍ରେସ ବିଧାନସଭା ନିର୍ବାଚନରେ କେତୋଟି ଆସନ ପାଇବ। କଥା କହିବାରେ ମାହିର, ନିରଞ୍ଜନ କ୍ଷମତାକୁ ଫେରିବା କଥା କହି ନେତା ଓ କର୍ମୀଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ହୁଏତ ଚେଷ୍ଟା କରିଥାଇପାରନ୍ତି। ତେବେ ଦୀର୍ଘ ତିନି ଦଶନ୍ଧି ଧରି କ୍ଷମତାରୁ ବାହାରେ ରହିଥିବା ଦଳକୁ ରାସ୍ତାକୁ ଆଣିବା କାଠିକର ପାଠ ଏ କଥା ନିରଞ୍ଜନ ନିଜେ ବି ଭଲ ଭାବରେ ଜାଣିଛନ୍ତି।

କ୍ଷମତା ହାସଲ କରିବା ବିଷୟ ଯଦି କଂଗ୍ରେସର ମନକୁ ତୁହାକୁ ତୁହା ଆସୁଛି ତା ପଛରେ କାରଣ ବି ରହିଛି। ନିକଟରେ ପଡ଼ୋଶୀ ଛତିଶଗଡ଼ରେ ବିଜେପିକୁ କ୍ଷମତାଚ୍ୟୁତ କରି ଦଳ ଯେଉଁଭଳି ସରକାର ଗଠନ କରିପାରିଲା ତାହାର ପୁନରାବୃତ୍ତି ଓଡ଼ିଶାରେ ବି ହେବ ବୋଲି ଦଳର ନେତା ଆଶା ବାନ୍ଧିଥିବା ସ୍ପଷ୍ଟ ଦେଖାଯାଉଛି। ଦଳର ଅନେକ ବରିଷ୍ଠ ନେତାଙ୍କ ମତ ଯେ ଛତିଶଗଡ଼ରେ ଯେମିତି କୃଷକମାନଙ୍କୁ ଗୁରୁତ୍ୱ ଦେଇ ଦଳ ନିର୍ବାଚନ ଜିତିଲା ଏଠି ବି ସେୟା ହେବା ଅସମ୍ଭବ ନୁହେଁ। ଖାସ୍‌ ଏଥିପାଇଁ ଚାଷୀମାନଙ୍କ କଥା ଉଠିବା ବେଳକୁ କଂଗ୍ରେସ ଗତ କିଛି ଦିନ ଧରି ସବା ଆଗରେ ରହିଆସିଛି – ତାହା ପ୍ରାଇସ, ପ୍ରେଷ୍ଟିଜ, ପେନସନ ହେଉକି ନବନିର୍ମାଣ ସଙ୍ଗଠନର ଆନ୍ଦୋଳନକୁ ସମର୍ଥନ ଦେବା ହେଉ।

ଯଦିଓ ନବୀନ ପଟ୍ଟନାୟକ ସରକାରଙ୍କ ‘କାଳିଆ’ ଯୋଜନା ଆସିବା ପରେ କଂଗ୍ରେସର ଚାଷୀ ଓ ଚାଷ ପ୍ରସଙ୍ଗ ତାର ଆଲୁଅ ହରାଇ ବସିଛି, ଦଳୀୟ ସୂତ୍ରରୁ ଖବର ମିଳିଛି ଯେ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଏହି ଦୁଇଟି କଥା ଜୋରଦାର ଘୋଷଣା କରିବ: ଚାଷୀଙ୍କ ଋଣ ଛାଡ଼ ଓ ଧାନର ଏମଏସପି ବୃଦ୍ଧି। ଜାନୁଆରୀ ୨୪ ତାରିଖରେ ତମାଣ୍ଡ ସଭାରେ ଯୋଗ ଦେବାକୁ ଆସିଥିବା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ରାଜ୍ୟ ନେତାଙ୍କୁ ଏହି ଦୁଇଟି ପ୍ରସଙ୍ଗକୁ ପ୍ରାଧାନ୍ୟ ଦେବା ପାଇଁ ନିର୍ଦେଶ ଦେଇଥିଲେ।

ଇତିମଧ୍ୟରେ କଂଗ୍ରେସ ଇସ୍ତାହାର କମିଟିର କାମ ଶେଷ ହୋଇଛି। ମାର୍ଚ୍ଚ ୨ରେ ରାହୁଲ ଗାନ୍ଧି ପୁଣି ଥରେ ଓଡ଼ିଶା ଆସୁଛନ୍ତି। ଏଥର ସେ ଜୟପୁର ଓ ବରଗଡ଼ ଯାଇ କର୍ମୀଙ୍କୁ ଭେଟିବେ। ରାଜ୍ୟ କଂଗ୍ରେସ ନେତାଙ୍କ କହିବା କଥା ଯେ ଯଦି ରାହୁଲ ଏମିତି ବାରମ୍ବାର ଆସନ୍ତି ନିର୍ବାଚନ ଉପରେ ତାହା ନିଶ୍ଚିତ ଭଲ ପ୍ରଭାବ ପକାଇବ।

ମେଣ୍ଟ ଫାଇନାଲ

ଇତି ମଧ୍ୟରେ କଂଗ୍ରେସ ସହିତ ସିପିଆଇ, ସିପିଏମ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚାର ନିର୍ବାଚନୀ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କଂଗ୍ରେସ ଦଳର ନେତା କହୁଛନ୍ତି ଯେ ଯଦି ଆସନ ବୁଝାମଣା ହୋଇଯାଏ ତେବେ କଂଗ୍ରେସର ଭୋଟ ଆସନ୍ତା ନିର୍ବାଚନରେ ଢେର ପରିମାଣରେ ବଢ଼ିବ।

୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ୧୧୭ ଆସନ ପାଇଥିଲେ ହେଁ ତା’ର ଭୋଟ ପରିମାଣ ଥିଲା ୪୩.୪ ପ୍ରତିଶତ। କଂଗ୍ରେସର ଭୋଟ ପରିମାଣ କିନ୍ତୁ ୨୫.୭ ପ୍ରତିଶତକୁ ଖସି ଯାଇଥିଲା। ହେଲେ ୨୦୦୯ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭଲ ଭୋଟ ମିଳିଥିଲା। ପ୍ରତିଶତ ହିସାବରେ ଏହା ଥିଲା ୨୯.୧।

Comment