ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ସାରା ରାଜ୍ୟରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରାର ଦିଆଯାଇଛି। କୃଷକଙ୍କୁ ଭିକାରୀ ସଜାଇବା ପ୍ରକ୍ରିୟା ବନ୍ଦ କରି କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା, କୃଷକଙ୍କୁ ସାମାଜରେ ଉପଯୁକ୍ତ ସମ୍ମାନ ଦେବା ଓ ବୃଦ୍ଧ କୃଷକମାନଙ୍କୁ ପେନସନ ଦେବା ଦାବି କରି ଆସୁଥିବା ନବନିର୍ମାଣ କୃଷକ ସଙ୍ଗଠନ ସାରା ରାଜ୍ୟରେ ଦେଇଥିବା ବନ୍ଦ ଡାକରାରେ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ା।

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ତାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ସହର ଉପକଣ୍ଠ ଦୁହୁରିଆ ଛକଠାରେ ନବନିର୍ମାଣ କୃଷକ ସଙ୍ଗଠନ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସରକାରଙ୍କ ବିରୋଧରେ କୃଷକ ମାରଣର ନାରା ଦେଇ ଏହି ଆନ୍ଦୋଳନକାରୀମାନେ ରାସ୍ତାରେ ଶୋଇ ରହିଥିଲେ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର ବାଇପାସ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି କୃଷକ। ପଟ୍ଟାମୁଣ୍ଡାଇ ବ୍ଲକର ଦୋସିଆ ଛକ, ଶ୍ରୀରାମପୁର ଛକରେ ରାସ୍ତା ବନ୍ଦ କରାଯାଇଛି। ରାଜକନିକା ବ୍ଲକର ଗଞ୍ଜା ଘାଟ ଓ ବରୁଣାଡ଼ିଆ ଛକ ନିକଟରେ ରାସ୍ତାରେ ବସି ରହି ରାସ୍ତା ବନ୍ଦ କରିଛନ୍ତି ଶହଶହ ନବନିର୍ମାଣ କୃଷକ।

ସେହିପରି ମାର୍ଶାଘଇ ବ୍ଲକର ୫ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ ଛକରେ ରାସ୍ତା ଅବରୋଧ କରିଥିଲେ କୃଷକମାନେ। ଦୁହୁରିଆ ଛକ ନିକଟରେ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ନବନିର୍ମାଣ କୃଷକମାନଙ୍କୁ ପୋଲିସ ଗିରଫ କରି ନେବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

Comment