ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ଶିଳ୍ପୀ ନିତ୍ୟାନନ୍ଦ ଓଝା, କଣ୍ଠଶିଳ୍ପୀ ଅରୋଶିଷ ପାଣି, ଓଡ଼ିଶୀ ନୃତ୍ୟଶିଳ୍ପୀ ମାହେଶ୍ୱରୀ ପ୍ରଧାନ ଓ ଅରୁଣିମା ଆଚାର୍ଯ୍ୟଙ୍କୁ ‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ ସମ୍ମାନରେ ସମ୍ମାନିତ କରାଯାଇଛି।

ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବୁଧବାର ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉପରେ କଫି ଟେବୁଲ୍ ବୁକ୍ “କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।

ଏହି ଅବସରରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଓଡ଼ିଶାର କଳା, ସଂସ୍କୃତି ଏବଂ ଗଣମାଧ୍ୟମ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୪ ଜଣ ଯୁବ ପ୍ରତିଭାଙ୍କୁ ‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଯୁବ ଶିଳ୍ପୀ ନିତ୍ୟାନନ୍ଦ ଓଝା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଅରୋଶିଷ ପାଣି, ଓଡ଼ିଶୀ ନୃତ୍ୟଶିଳ୍ପୀ ମାହେଶ୍ୱରୀ ପ୍ରଧାନ ଓ ଅରୁଣିମା ଆଚାର୍ଯ୍ୟ। ଜାଣନ୍ତୁ ଏହି ଯୁବ ପ୍ରତିଭାଙ୍କୁ।

ଶିଳ୍ପୀ ନିତ୍ୟାନନ୍ଦ ଓଝା

୧୯୮୧ ମସିହାରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ନିତ୍ୟାନନ୍ଦ ଓଝା ଜଣେ ଯୁବ ଶିଳ୍ପୀ ଭାବେ ବେଶ୍ ଜଣାଶୁଣା। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସ୍ଥପତିରେ ବିଭିଏ ଏବଂ ୨୦୦୯ରେ ବରୋଦା ବିଶ୍ୱବିଦ୍ୟାଳୟରୁ ଫାଇନ୍ ଆର୍ଟସ୍‌ରେ ଏମ୍‌ଭିଏ ପାସ୍ କରିଥିଲେ ନିତ୍ୟାନନ୍ଦ।

୨୦୦୦ ଏବଂ ୨୦୦୧ରେ ଓଡ଼ିଶା ଲଳିତ କଳା ଏକାଡେମୀର ଆନୁଆଲ ଏକ୍ସହିବିସନ, ୨୦୦୮ରେ ଇଣ୍ଟିଗ୍ରେସନ ଆଟ୍ ଫାକଲ୍ଟି ଅଫ୍ ଫାଇନ୍ ଆର୍ଟ୍ସ ଗ୍ୟାଲେରୀ, ୨୦୦୯ରେ ମୁମ୍ବାଇରେ ଅନୁଷ୍ଠିତ ବରୋଦା ମାର୍ଚ୍ଚ ଏବଂ ମୁନ୍ ୱାକ୍ ଆଟ୍ ଗ୍ୟାଲେରୀ ମସ୍କାରା ଶୋ’ଭଳି  ବିଭିନ୍ନ ଗ୍ରୁପ୍ ଶୋ’ରେ ସାମିଲ ହୋଇ ନିଜର ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

୨୦୦୫ରେ କୋଲକାତା ଜିସିଏସି ଏବିବି ସ୍କଲାରସିପ୍ ଗ୍ରହଣ କରିଥିଲେ ନିତ୍ୟାନନ୍ଦ। ୨୦୦୨ରେ ଆଲାଇସ୍ ବୋନର ମେମୋରିଆଲ ଆୱାର୍ଡ, ୨୦୦୯ରେ ମହେନ୍ଦ୍ର ପାଣ୍ଡ୍ୟା ସ୍କଲାରସିପ୍ ପାଇଥିଲେ ନିତ୍ୟାନନ୍ଦ।

‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ ସମ୍ମାନରେ ସମ୍ମାନିତ ହେବା ପରେ ଶିଳ୍ପୀ ନିତ୍ୟାନନ୍ଦ ଓଝା ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,“ ପ୍ରଥମ ଥର ପାଇଁ ମତେ ଏଭଳି ସମ୍ମାନ ମିଳିଛି। ବହୁତ ଖୁସି ଲାଗୁଛି।”

ଓଡ଼ିଶାଲାଇଭ୍‌ ଡକୁମେଣ୍ଟାରୀ ତଥା କଫି ଟେବୁଲ ବୁକ୍ ମାଧ୍ୟମରେ ଓଡ଼ିଶାର ଲୋକ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାରେ ସାହାଯ୍ୟ କରୁଛି। ଓଡ଼ିଶାଲାଇଭ୍‌ର ଏହା ଏକ ଭଲ ପ୍ରୟାସ ବୋଲି କହିଛନ୍ତି ଶିଳ୍ପୀ ନିତ୍ୟାନନ୍ଦ ଓଝା।

ଅରୋଶିଷ ପାଣି

ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଓଡ଼ିଶାର ଯେଉଁ କିଛି ଯୁବ ପ୍ରତିଭା ଆଗରେ ରହିଛନ୍ତି ସେମାନଙ୍କ ଭିତରେ ଜଣାଶୁଣା ଚେହେରା ହେଉଛନ୍ତି ଅରୋଶିଷ ପାଣି। ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଅରୋଶିଷ ଆଜି ଜଣେ ଆଗଧାଡ଼ିର ଯୁବ ଗାୟକ ଭାବେ ସୁନାମ ଅର୍ଜନ କରିପାରିଛନ୍ତି।

ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଆଇସିସିଆର୍ ଓଡ଼ିଶା ସର୍କଲ, ଭୁବନେଶ୍ୱର ମ୍ୟୁଜିକ ସର୍କଲ, ଓଡ଼ିଶା ଖଣି ନିଗମ ପକ୍ଷରୁ ଆୟୋଜିତ ‘ଗୁରୁକୁଳଗୀତାଞ୍ଜଳି’, ଏଭରଗ୍ରୀନ ଏବଂ ଭାରତୀୟ ବିଦ୍ୟାଭବନରେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ମୁମ୍ବାଇର ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ସଙ୍ଗୀତ ବିଶାରଦ ହାସଲ କରିଛନ୍ତି ଅରୋଶିଷ। ବର୍ତ୍ତମାନ ସେ ଦିଲ୍ଲୀର ଟେକନିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁସ୍ତାନୀ ଭୋକାଲରେ ମାଷ୍ଟର ଡିଗ୍ରୀ କରୁଛନ୍ତି।

“ମତେ ‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ପୁରସ୍କାର ମିଳିଥିବାରୁ ବହୁତ ଖୁସି ଲାଗୁଛି। ନିଜକୁ ଗର୍ବିତ ଅନୁଭବ କରୁଛି। ଏହି ସମ୍ମାନରେ ସମ୍ମାନିତ କରିଥିବାରୁ ଓଡ଼ିଶାଲାଇଭ୍ ପରିବାରକୁ ଧନ୍ୟବାଦ ଜଣାଉଛି”, ଅରୋଶିଷ ପାଣି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “କଂସ ମହାରାଜାଙ୍କ ଉପରେ ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରକାଶ ପାଇଥିବା କଫି ଟେବୁଲ ବୁକ୍ ବହୁତ ଆକର୍ଷଣୀୟ ହୋଇଛି। ବର୍ତ୍ତମାନର ଡିଜିଟାଲ ଯୁଗରେ ଏହା ଯୁବ ପୀଢ଼ିଙ୍କ ଦ୍ୱାରା ବେଶ୍‌ ଆଦୃତ ଲାଭ କରିବ।”

ଅରୁଣିମା ଆଚାର୍ଯ୍ୟ

ଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓଡ଼ିଶୀରେ କ୍ୟାରିଅର ଆରମ୍ଭ କରିଥିଲେ ଅରୁଣିମା ଆଚାର୍ଯ୍ୟ। କିନ୍ତୁ ବର୍ତ୍ତମାନ ସେ ପ୍ରତିଷ୍ଠିତ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଗୁରୁ ପବିତ୍ର କୁମାର ପ୍ରଧାନଙ୍କଠାରୁ ସେ ତାଲିମ୍ ନେଉଛନ୍ତି। ଭାରତ ସରକାରଙ୍କଠାରୁ ସେ ଓଡ଼ିଶୀରେ ସ୍କଲାରସିପ୍ ପାଇବା ସହ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଜଣେ ସ୍ୱୀକୃତିପ୍ରାପ୍ତ କଳାକାରର ମାନ୍ୟତା ପାଇଛନ୍ତି।

“ମତେ ଆଜି ‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ ସମ୍ମାନରେ ସମ୍ମାନିତ କରିଥିବାରୁ ମୁଁ ନିଜକୁ କୃତଜ୍ଞତା ଅନୁଭବ କରୁଛି। ବହୁତ ଖୁସି ଲାଗୁଛି ମତେ। ଏଥିପାଇଁ ଓଡ଼ିଶାଲାଇଭ୍ ଟିମ୍‌କୁ ଅଶେଷ ଧନ୍ୟବାଦ ଜଣାଉଛି।”, କହିଛନ୍ତି ଅରୁଣିମା ଆଚାର୍ଯ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରକାଶ ପାଇଥିବା ‘କଂସ ମହାରାଜା- ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ କଫି ଟେବୁଲ ପୁସ୍ତକଟି ବହୁତ ଆକର୍ଷଣୀୟ ହୋଇଛି। ଅତି ସରଳ ଭାବେ ଇଂରାଜୀ ଭାଷାରେ ଏହାକୁ ଲେଖାଯାଇଥିବା ବେଳେ ସୁନ୍ଦର ଫଟୋ ସାହାଯ୍ୟରେ ଏହାକୁ ସଜା ଯାଇଛି। ବର୍ତ୍ତମାନ ସମୟରେ ଓଡ଼ିଶାର ଲୋକ ପରମ୍ପରା ଓ ସଂସ୍କୃତି ଲିଭିଯିବାକୁ ବସିଲାଣି। ଓଡ଼ିଶାଲାଇଭ୍‌ର ଏଭଳି ପ୍ରୟାସ ଏହାକୁ ଲୋକଲୋଚନକୁ ଆଣିବାରେ ସାହାଯ୍ୟ କରିବ।”

ମାହେଶ୍ୱରୀ ପ୍ରଧାନ

ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନରେ ଡିଗ୍ରୀ ହାସଲ କରିଥିବା ମାହେଶ୍ୱରୀ ପ୍ରଧାନ ଜଣେ ସଫଳ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। ଓଡ଼ିଶୀ ନୃତ୍ୟରେ ସେ ନୃତ୍ୟ ବିଶାରଦ ହାସଲ କରିଛନ୍ତି। ଚଣ୍ଡିଗଡ଼ର ପ୍ରାଚୀନ କଳାକେନ୍ଦ୍ରରୁ ହିନ୍ଦୁସ୍ତାନି ଭୋକାଲରେ ସଙ୍ଗୀତ ଭୂଷଣ ପାଇଛନ୍ତି। ଗୁରୁ ମୁକ୍ତିଲତା ପାଲ୍ଙ୍କ ତତ୍ତ୍ୱାବଧାନରେ ସେ ଓଡ଼ିଶୀ ନୃତ୍ୟ ତାଲିମ୍ ନେଉଛନ୍ତି।

ଏହି ଅବସରରେ ମାହେଶ୍ୱରୀ କହିଛନ୍ତି, “ ଆଜି ମତେ ‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ ପୁରସ୍କାରରେ ସମ୍ମାନିତ କରାଯାଇଛି। ମତେ ଏହି ଅପୋର୍ଚୁନିଟି ମିଳିଥବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି। ମୋ ଭଳି ଯୁବପୀଢ଼ୀଙ୍କୁ ଉତ୍ସାହିତ ଓ ପ୍ରେରଣା ଯୋଗାଇ ଥିବାରୁ ତଥା ମତେ ‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ପୁରସ୍କାରରେ ସମ୍ମାନିତ କରିଥିବାରୁ ମୁଁ ଓଡ଼ିଶାଲାଇଭ୍ ଟିମ୍‌କୁ ଧନ୍ୟବାଦ ଜଣାଉଛି।”

ଏହି ଅବସରରେ ଓଡ଼ିଶାଲାଇଭ୍ ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ କହିଛନ୍ତି,“ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉପରେ କଫି ଟେବୁଲ୍ ବୁକ୍ “କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା” ପୁସ୍ତକ ଉନ୍ମୋଚିତ ହୋଇଛି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ ଏହା ଏକ ପ୍ରୟାସ। ଏହାକୁ ଡିଜିଟାଲ ପ୍ଲାଟଫର୍ମକୁ ଆଣିବା ପାଇଁ ଏହା ଆମର ଏକ ଉଦ୍ୟମ। ଏହା ପୂର୍ବରୁ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜାଙ୍କ ହାତରୁ ଉନ୍ମୋଚିତ ହୋଇଥିଲା।”

ଶ୍ରୀ ରଥ କହିଛନ୍ତି ଏହି କଫି ଟେବୁଲ୍ ବୁକ୍ ପରବର୍ତ୍ତୀ ପିଢ଼ୀ ପାଇଁ ଉତ୍ସର୍ଗୀକୃତ। ଏହାକୁ ଇଂରାଜୀ ଭାଷାରେ ଲେଖାଯିବାର କାରଣ ହେଉଛି ଏହା ବିଦେଶ ରହୁଥିବା ମୂଳ ଓଡ଼ିଆବାସୀ, ଅଣଓଡ଼ିଆ ପାଠକ, ପର୍ଯ୍ୟଟକ, ସାମ୍ବାଦିକ ଏବଂ ଗବେଷକମାନଙ୍କ ଦ୍ୱାରା ବିଶେଷ ଆଦର ଲାଭ କରି ପାରିବ। ଏଥିପାଇଁ ମୁଁ ବରଗଡ଼ ଧନୁଯାତ୍ରା କମିଟିକୁ ଧନ୍ୟବାଦ ଦେଉଛି। ଭବିଷ୍ୟତରେ ଆମେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଏଭଳି କଫି ଟେବୁଲ ବୁକ୍ ପ୍ରକାଶ କରିବାର ଲକ୍ଷ୍ୟ ରଖିଛୁ ବୋଲି ଓଡ଼ିଶାଲାଇଭ୍ ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ କହିଛନ୍ତି।

Comment