ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବୈଜୟନ୍ତ ପଣ୍ଡା।

୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ାରେ ଜମିବ ଖେଳ। ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ପ୍ରାର୍ଥୀ ଖୋଜୁଛନ୍ତି ତିନି ଦଳ।

ଓଡ଼ିଶାର ୨୧ଟି ଲୋକସଭା ଆସନରୁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ନିର୍ବାଚନ ଆସିଲେ ଏହି ନିର୍ବାଚନମଣ୍ଡଳୀରୁ କିଏ କେଉଁ ଦଳରୁ ଟିକେଟ ନେବ ତାକୁ ନେଇ ଚର୍ଚ୍ଚା ବଢ଼ିଥାଏ। ଏବେ ୨୦୧୯ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବାରୁ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି।

ବିଜେଡି, ବିଜେପି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ସେନେଇ ଏବେ ଲବି ଜୋର୍ ଧରିଛି। ପ୍ରାର୍ଥୀ ତାଲିକା ଲମ୍ବୁଥିବା ବେଳେ ଏହି ତିନି ଦଳର ଶୀର୍ଷ ନେତାମାନେ ପ୍ରାର୍ଥୀ ବାଛିପାରୁ ନାହାନ୍ତି।

ଏକୁଟିଆ ବୈଜୟନ୍ତ

ଲଗାତର ଦୁଇ ଥର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବୈଜୟନ୍ତ ପଣ୍ଡା। କିନ୍ତୁ ଗତ ବର୍ଷେ ହେଲା ବିଜେଡି ଓ ବୈଜୟନ୍ତଙ୍କ ଭିତରେ ଛକାପଞ୍ଝା ଲାଗି ରହିବାରୁ ବୈଜୟନ୍ତ ବିଜେଡି ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି।

ବୈଜୟନ୍ତ ଉଭୟ ବିଜେଡି ଏବଂ ସାଂସଦ ପଦବୀରୁ ଇସ୍ତଫା ଦେଇଛନ୍ତି। ବୈଜୟନ୍ତ ଇସ୍ତଫା ଦେବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ବର୍ତ୍ତମାନ ସାଂସଦ ପଦବୀ ଖାଲି ପଡ଼ିଛି। ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ାବାସୀ କାହା ମୁଣ୍ଡରେ ପାଗ ଭିଡ଼ିବେ ତାକୁ ହିଁ ଅପେକ୍ଷା।

୨୦୧୯ ନିର୍ବାଚନ ମଇଦାନରେ ବୈଜୟନ୍ତ ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ବୈଜୟନ୍ତ ଏବେଠୁ ଗୋଟି ଚାଳନା ଆରମ୍ଭ କରିଥିବା କୁହାଯାଇଛି। ବୈଜୟନ୍ତ ନିଜ ସମର୍ଥକଙ୍କୁ ଧରି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି। ଏହା ହିଁ ତାଙ୍କ ପାଇଁ ପ୍ଲସ୍ ପଏଣ୍ଟ ହେବ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

କିଏ ନେବ ବିଜେଡି ଟିକେଟ?

ବୈଜୟନ୍ତ ବିଜେଡି ହାତ ଛାଡ଼ିଥିବାରୁ କେନ୍ଦ୍ରାପଡ଼ାରୁ କିଏ ବିଜେଡି ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି। କୁହାଯାଉଛି ଯେଉଁ କେତେଜଣ ନେତା ଲୋକସଭା ଆସନ ପାଇଁ ଟିକେଟ ଦୌଡ଼ରେ ଅଛନ୍ତି ସେମାନଙ୍କ ଭିତରେ ପ୍ରମୋଦ ସାହୁ ଆଗରେ ରହିଛନ୍ତି।

ପ୍ରମୋଦ ସାହୁ

ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଥିବା ପ୍ରମୋଦ ବିଜୁ ପଟ୍ଟନାୟକଙ୍କର ଅନୁଗତ ଥିଲେ। ସେ ବର୍ତ୍ତମାନ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟିର ସଭାପତି ରହିବା ସହ ରାଜ୍ୟ ବିଜେଡିର ସମ୍ପାଦକ ମଧ୍ୟ ଅଛନ୍ତି। ୨୦୧୪ ନିର୍ବାଚନରେ ପ୍ରମୋଦ ବିଜେଡି ଟିକେଟ ପାଇଁ ଲବି ଚଳାଇଥିଲେ। କିନ୍ତୁ ବୈଜୟନ୍ତ ବାଜି ମାରିନେବାରୁ ପ୍ରମୋଦ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିଲେ।

ଏବେ ପ୍ରମୋଦଙ୍କ ନାଁକୁ ନେଇ ବିଜେଡି ମ୍ୟାନେଜର ଅଙ୍କ କଷୁଥିବା କୁହାଯାଉଛି।

ବିଷ୍ଣୁ ଦାସ

ବିଜେପିରୁ ଭୁବନ ନା ବିଷ୍ଣୁ?

ବିଜେପିରେ ମଧ୍ୟ ଟିକେଟ ରାଜନୀତି ଜୋର୍ ଧରିଛି। ଗତଥର ବିଜେପି ପ୍ରାର୍ଥୀ ହୋଇଥିବା ବିଷ୍ଣୁ ଦାସ ଏଥର ବି ଟିକେଟ ନେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ତାଙ୍କ ବାଟ ଓଗାଳୁଛନ୍ତି ଭୁବନ ମୋହନ ଜେନା। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ଟିକେଟ ନେବା ଲାଗି ଭୁବନ ଜୋରଦାର ଲବି ଚଳାଇଛନ୍ତି। ଟିକେଟ ପାଇଁ ବିଷ୍ଣୁ-ଭୁବନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ବିଷ୍ଣୁ ଦାସ ୨୦୧୪ରେ ୧ ଲକ୍ଷ ୧୮ ହଜାର ୭୦୭ ଭୋଟ ପାଇଥିଲେ।

ଭୁବନ ମୋହନ ଜେନା।

କଂଗ୍ରେସରେ ଛିଡୁନି ଅଙ୍କ

ଗୋଷ୍ଠୀ କନ୍ଦଳରେ ଉବୁଟୁବୁ ହେଉଥିବା କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କ ଛିଣ୍ଡୁନି। ୨୦୧୪ରେ ପ୍ରାର୍ଥୀ ହୋଇଥିବା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ପୁଣି ଟିକେଟ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗତଥର ସେ ବିଜେଡିର ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେଇ ଦୁଇ ନମ୍ବର ସ୍ଥାନରେ ରହିଥିଲେ।

ଧରଣୀଧର ନାୟକ।

ବୈଜୟନ୍ତ ୬ ଲକ୍ଷ ୧ ହଜାର ୫୭୪ ଭୋଟ ପାଇଥିବା ବେଳେ ଧରଣୀ ୩ ଲକ୍ଷ ୯୨ ହଜାର ୪୬୬ ଭୋଟ ପାଇଥିଲେ।

ନିର୍ବାଚନ ପରେ ଧରଣୀଙ୍କୁ କେନ୍ଦ୍ରାପଡ଼ାବାସୀ ଦେଖିବାକୁ ପାଇ ନଥିଲେ। ଏଣୁ ଟିକେଟ ଦୌଡ଼ରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଚିନ୍ମୟ ପ୍ରସାଦ ବେହୁରା ସାମିଲ ହୋଇଛନ୍ତି। ଏହି ଦୁଇ ଜଣଙ୍କ ଭିତରୁ କିଏ ଟିକେଟ ବାଜି ମାରିବ ତାହା ଫେବ୍ରୁଆରି ଶେଷ ଭାଗରେ ଜଣାପଡ଼ିଯିବ।

ଚିନ୍ମୟ ପ୍ରସାଦ ବେହୁରା।

ଅଣକଂଗ୍ରେସ ପ୍ରାର୍ଥୀଙ୍କ ଜିତାପଟ

୧୯୫୭ ମସିହା ନିର୍ବାଚନ ଅର୍ଥାତ ଦ୍ୱିତୀୟ ସାଧାରଣ ନିର୍ବାଚନ ପରଠାରୁ ଏହି ଆସନରେ କ୍ରମାଗତ ଭାବେ ଅଣକଂଗ୍ରେସ ପ୍ରାର୍ଥୀ ଜିତି ଆସୁଛନ୍ତି । ତେଣୁ କଂଗ୍ରେସର କେନ୍ଦ୍ରୀୟ ନେତା ସବୁବେଳେ ଏହି ଆସନଟି ଉପରେ ନଜର ରଖିଥାନ୍ତି। ୧୯୮୦ ଓ ୧୯୮୫ ସାଧାରଣ ନିର୍ବାଚନରେ ଯେତେବେଳେ ସାରା ଦେଶରେ ଅଦ୍ଭୁତପୂର୍ବ କଂଗ୍ରେସ ହାୱା ବହୁଥିଲା, ସେତେବେଳେ ମଧ୍ୟ କେନ୍ଦ୍ରାପଡ଼ା ଆସନରୁ ଜନତା ପାର୍ଟି ଟିକଟରେ ଲଢି ବିଜୁ ପଟ୍ଟନାୟକ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହି ଦୁଇ ନିର୍ବାଚନରେ ରାଜ୍ୟ ୨୧ଟି ଲୋକସଭା ଆସନ ମଧ୍ୟରୁ କେବଳ କେନ୍ଦ୍ରାପଡ଼ାକୁ ଛାଡି ୨୦ଟିରେ କଂଗ୍ରେସ ବିପୁଳ ବିଜୟ ହାସଲ କରି ରେକର୍ଡ ସ୍ଥାପନ କରିଥିଲା।

ମୋଟାମୋଟି କହିବାକୁ ଗଲେ ସ୍ୱାଧୀନତା ପରଠାରୁ ଅଣକଂଗ୍ରେସ ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ା ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ବଜାୟ ରଖିଛି। ତେବେ ଅନେକ ବିଶେଷଜ୍ଞଙ୍କ ମତରେ ସମଗ୍ର ଉପକୂଳ ଓଡ଼ିଶା ରାଜନୀତିକୁ କେନ୍ଦ୍ରାପଡ଼ା ନିୟନ୍ତ୍ରଣ କରୁଥିବାରୁ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଅଞ୍ଚଳ ହୋଇଥିବାରୁ ଏହି ଧାରା ବଜାୟ ରହିଛି।

ପ୍ରଥମେ ସମାଜବାଦୀ ନେତା ସୁରେନ୍ଦ୍ରନାଥ ଦ୍ୱିବେଦୀ ଏବଂ ପରେ ବିଜୁ ପଟ୍ଟନାୟକ ଅଣକଂଗ୍ରେସ ରାଜନୀତିର ମୂଳଦୁଆକୁ ଏଠାରେ ଦୃଢ କରିଥିଲେ। ଆଉ ଏହି ଧାରାକୁ ଆଗେଇ ନେଇଥିଲେ ବିଜୁଙ୍କ ତିନି ବିଗ୍ରେଡ୍ ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ଶ୍ରୀକାନ୍ତ ଜେନା। ୧୯୯୮ ପରଠାରୁ ଗତ ୪ଟି ସାଧାରଣ ନିର୍ବାଚନରେ କ୍ରମାଗତ ଭାବେ ବିଜେଡି ହାତରେ ରହିଛି ଏହି ନିର୍ବାଚନ ମଣ୍ଡଳୀ  ।

୨୦୦୯ରେ କ’ଣ ଥିଲା ଗଣିତ?

୨୦୦୯ରେ ବିଜେଡିର ବୈଜୟନ୍ତ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରଂଜୀବ ବିଶ୍ୱାଳଙ୍କ ଠାରୁ ୧,୨୭୫୦୦ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଥିଲେ। ସାଂସଦ ବୈଜୟନ୍ତ ପଣ୍ଡା ୫ ଲକ୍ଷରୁ ଅଧିକ ଭୋଟ ପାଇବାରେ ସଫଳ ହୋଇଥିଲେ। ବିଜେପି ପ୍ରାର୍ଥୀ ମାତ୍ର ୮୦,୩୯୨ ଖଣ୍ଡ ଭୋଟ ପାଇବାରେ ସମର୍ଥ ହୋଇଥିଲେ।

Comment