ଓଡ଼ିଶାଲାଇଭ୍‌  ବ୍ୟୁରୋ

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ-  ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମାନ୍ତ ତଥା ଗଂଜାମ ଜିଲାର ପ୍ରମୁଖ ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ପର୍ଶୁରାମ କୁଣ୍ଡ। ଏହି ପର୍ଯ୍ୟଟନ ସ୍ଥଳୀ ଗଂଜାମ ଜିଲାର ବ୍ରହ୍ମପୁର ସହର ଠାରୁ ମାତ୍ର ୪୫ କିଲୋମିଟର ଦୂର ତୁମ୍ବା ନିକଟରେ ରହିଛି।

ଏଠାରେ ମହେନ୍ଦ୍ର ତନୟା ନଦୀରେ ଉପରେ ଗୋଟିଏ ଡ୍ୟାମ ତିଆରି କରାଯାଇଛି. ପୁରାଣ ଅନୁଯାଇ ଏଠାରେ  ମହର୍ଷି ପର୍ଶୁରାମ କିଛି ବର୍ଷ ଧରି ଏଠାରେ ତପସ୍ୟାରେ ବସିଥିବାରୁ ଏହାର ନାମ ପର୍ଶୁରାମ କୁଣ୍ଡ ରଖାଯାଇଥିବା ଅନୁମାନ କରାଯାଉଛି। ହେଲେ ଏହି ପର୍ଯ୍ୟଟନ ସ୍ଥଳୀ ଏବେ କ୍ଷତିଗ୍ରସ୍ତ।

ଲୋକଙ୍କ ଦ୍ୱାରା ନିର୍ମିତ ମନ୍ଦିର, ଯଜ୍ଞ ମଣ୍ଡପ ଆଦି ଧସି ଯାଇଛି। ଏହି ସ୍ଥାନକୁ ନେଇ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢୁଥିବା ବେଳେ ଏହାର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର କୌଣସି ଉଦ୍ୟମ କରୁନଥିବାରୁ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟାରେ ଢେର କମିବାରେ ଲାଗିଛି।

ଏଠାକାର ମନୋରମ ଓ ଶାନ୍ତ ପରିବେଶ ମହେନ୍ଦ୍ର ପର୍ବତରୁ କୁଳୁକୁଳୁ ନାଦରେ ଝରୁଥିବା ଝରଣାର ଶବ୍ଦ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ବାଧ୍ୟ କରିଥାଏ। ପ୍ରତିଟି ବ୍ୟକ୍ତି ଏଠାକୁ ଆସିଲେ ପ୍ରକୃତି କୋଳରେ କିଛିସମୟ କାଟିବାକୁ ଇଛା କରିଥାନ୍ତି।

ମାଘ ମାସ ପଞ୍ଚମୀ ଠାରୁ ସପ୍ତମୀ ଯାଏ ଆନ୍ଧ୍ରପ୍ରଦେଶ ଓ ଓଡିଶାରୁ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ଏଠାକୁ ଆସିଥାନ୍ତି। ସେହିପରି ପିକନିକ ଋତୁରେ ବି ଏଠାକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥାଏ। ହେଲେ ଗତ ତିତଲି ବାତ୍ୟାର ଏହି ପର୍ଯ୍ୟଟନ ସ୍ଥଳୀ ଅନେକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟବଶତଃ ମହର୍ଷି ପର୍ଶୁରାମଙ୍କ ମୂଳ ପିଠ ଓ ଯୋଗସ୍ଥଳୀ ଆଦି ସୁରକ୍ଷିତ ରହିଥିବା ବେଳେ ଅନ୍ୟାନ୍ୟ ନିର୍ମିତ ମନ୍ଦିର ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ଥ ହୋଇଛି।

ବର୍ତ୍ତମାନ ସୁଦ୍ଧା ଗଂଜାମ ଜିଲ୍ଲାର ଏହି ପୁଣ୍ୟକ୍ଷେତ୍ର ଓ ପର୍ଯ୍ୟଟନ ସ୍ଥଳୀ ଲାଗି ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସେମିତି କିଛି କରିନାହାନ୍ତି। ଯେଉଁଥିଲାଗି ଏହି ପର୍ଯ୍ୟଟନ ସ୍ଥଳୀର ପୁନରୁଦ୍ଧାର ହୋଇପାରୁନଥିବା ଅଭିଯୋଗ ହେଉଛି। ଏଠାରେ ନିର୍ମିତ ବିଭିନ୍ନ ମନ୍ଦିର, ଶିଶୁ ଉଦ୍ୟାନ, ରୋଷେଇ ଗୃହ, ପାର୍କ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ସହ ଅନ୍ୟ ସବୁ ସୁବିଧା କ୍ଷତିଗ୍ରସ୍ଥ ହୋଇଛି ଯାହାଦ୍ୱାରା ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଏଣୁ ଗଂଜାମ ଜିଲ୍ଲାର ଏହି ପୁଣ୍ୟକ୍ଷେତ୍ର ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାଙ୍କ ସହ ବୁଦ୍ଧିଜୀବୀ ଜିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Comment