ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଖୁସି’ ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ।

  • ଷଷ୍ଠରୁ ଦ୍ୱାଦଶ ଛାତ୍ରୀଙ୍କ ପାଇଁ ‘ଖୁସି’ ଯୋଜନା
  • ୫ ବର୍ଷରେ ଖର୍ଚ୍ଚ ହେବ ୪୬୬ କୋଟି
  • ୧୭ ଲକ୍ଷ ୨୫ ହଜାର ଛାତ୍ରୀ ହେବେ ଉପକୃତ
  • କାଳିଆ ଛାତ୍ର ବୃତ୍ତିକୁ କ୍ୟାବିନେଟ ମୋହର

ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଖୁସି ଖବର। ଏହି ଛାତ୍ରୀମାନଙ୍କୁ ଏଣିକି ରାଜ୍ୟ ସରକାର ମାଗଣାରେ ସାନିଟାରୀ ନାପ୍‌କିନ୍ ଯୋଗାଇ ଦେବେ। ଏଥିପାଇଁ ରାଜ୍ୟ ସରକାର ‘ଖୁସି’ ଯୋଜନା ଲାଗୁ କରିଛନ୍ତି।

ରାଜ୍ୟ ସଚିବାଳୟରେ ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ‘ଖୁସି’ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ୫ ବର୍ଷରେ ୪୬୬.୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ଯୋଜନାରେ ମୋଟ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ନାପ୍‌କିନ୍ ମିଳିବ।

ଜଣେ ଛାତ୍ରୀଙ୍କୁ ମାସକୁ ୧୮ଟି ବେଲ୍ଟ ଲେସ୍ ନାପ୍‌କିନ୍ ମିଳିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୨୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସ୍ୱାସ୍ଥ୍ୟ ବିଭାଗରେ ୬ ବର୍ଷ ଠିକା କର୍ମଚାରୀ ଭାବେ କାମ କରିଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଷ୍ଟାଫ ନର୍ସ, ଲ୍ୟାବ ଟେକ୍‌ନିସିଆନ, ଫର୍ମାସିଷ୍ଟ, ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟମିତ କରିବେ ସରକାର। ସେହିପରି ଜଳସମ୍ପଦ ବିଭାଗର ୪ ମେଗା ଉଠା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

କ୍ୟାବିନେଟ ମଞ୍ଜୁରୀ ପରେ ୧୪୦୯ ଷ୍ଟାଫ ନର୍ସ ନିୟମିତ ହେବେ। ୨୦୫୧ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନିୟମିତ ହେବେ।

କାଳିଆ ଛାତ୍ର ବୃତ୍ତି ଯୋଜନାରେ କ୍ୟାବିନେଟ ମୋହର ବାଜିଥିବା ବେଳେ ବସୁଧା ଯୋଜନା ଅଧିନରେ ଜଳ ଯୋଗାଣ ପ୍ରକଳ୍ପ, ଆହାର କେନ୍ଦ୍ରରେ ରାତ୍ରି ଭୋଜନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

Comment