ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇସ୍ଥିତ ଏୟାର ଇଣ୍ଡିଆର ଅପରେସନ୍‌ କଣ୍ଟ୍ରୋଲ ସେଣ୍ଟରକୁ ଫୋନ ଜରିଆରେ ହାଇଜ୍ୟାକ୍‌ର ଧମକ ଦିଆଯାଇଛି। ଶନିବାର ଫୋନ ଦ୍ୱାରା ବିମାନକୁ ହାଇଜ୍ୟାକ୍ କରି ପାକିସ୍ତାନ ନିଆଯିବ ବୋଲି ଧମକ ଆସିଛି। ଧମକ ମିଳିବା ପରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୂଚନା ମୂତାବିକ, ଶନିବାର ମୁମ୍ବାଇସ୍ଥିତ ଏୟାର ଇଣ୍ଡିଆର ଅପରେସନ୍‌ କଣ୍ଟ୍ରୋଲ ସେଣ୍ଟରକୁ ଟେଲିଫୋନ୍‌ରେ ଧମକ ଆସିଛି। ଏକ ଭାରତୀୟ ବିମାନକୁ ହାଇଜ୍ୟାକ୍ କରି ପାକିସ୍ତାନ ନିଆଯିବ ବୋଲି ଧମକ ଦେଇଥିବା ବ୍ୟକ୍ତି କହିଥିଲା। ଧମକ ମିଳିବା ପରେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି(ବିସିଏଏସ) ସମସ୍ତ ବିମାନ ବନ୍ଦର ଓ ଏୟାରଲାଇନ ସଞ୍ଚାଳକଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛି।

ବିସିଏଏସ ନିର୍ଦ୍ଦେଶ ମୂତାବିକ, ଏୟାରପୋର୍ଟର ଟର୍ମିନାଲ ଓ ଅପରେସନ କ୍ଷେତ୍ରକୁ ଯିବା ପୂର୍ବରୁ କଡ଼ା ଯାଞ୍ଚ କରାଯିବ। ଏହା ସହିତ ଯାତ୍ରୀ, କର୍ମଚାରୀ, ସାମଗ୍ରୀ, କ୍ୟାଟରିଂ ଆଦିର କଡ଼ା ଯାଞ୍ଚ କରାଯାଉ। ସେହିପରି ବିମାନବନ୍ଦରକୁ ପ୍ରବେଶ ଦ୍ୱାରରେ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।

ଅନ୍ୟପକ୍ଷରେ ଏହି ଫୋନ୍ କଲ୍ ପ୍ରାଙ୍କ୍ କଲ୍ ବି ହୋଇଥାଇ ପାରେ। କିନ୍ତୁ ଏହାକୁ ହାଲୁକା ଭାବେ ନେଇ ନାହାନ୍ତି ସୁରକ୍ଷା ଏଜେନ୍ସି । ନିକଟରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏଭଳି ଧମକ ଫୋନ୍ କଲକୁ ଗମ୍ଭୀର ଭାବେ ନେଇଛି ବିସିଏଏସ।

Comment