ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ସମସ୍ତ ରାଜନୈତିକ ଦଳ ଅଙ୍କକଷିବା ଆରମ୍ଭ କରିଦେଇଛନ୍ତି। ସେହି ହିସାବରେ ମହାରାଷ୍ଟ୍ରରେ ଶିବସେନା ଓ ତାମିଲନାଡୁରେ ଏଆଇଏଡିଏମକେ ସହ ବିଜେପି ମେଣ୍ଟ କରିବା ପରେ ଏବେ ଆନ୍ଧ୍ରପ୍ରଦେଶ ଏବଂ କେରଳ ଉପରେ ନଜର ପକାଇଛି ବିଜେପି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଆଗାମୀ ନିର୍ବାଚନରେ ବିଜେପିକୁ ୩ ରାଜ୍ୟରେ ପରାଜୟ ଓ ୟୁପିରେ ଏସପି-ବିଏସପି ମେଣ୍ଟ ଯୋଗୁଁ ପରାଜୟ ମିଳିପାରେ। ଏହି କ୍ଷତିର ଭରଣା କରିବା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବରିଷ୍ଠ ନେତାଙ୍କ ସହ ମାରାଥନ ଆଲୋଚନା ବି କରୁଛନ୍ତି।

କୁହାଯାଉଛି ବିଜେପି ଆଗାମୀ ନିର୍ବାଚନ ଲାଗି ଏମିତି କିଛି ରାଜ୍ୟରେ ନିଜର ଶକ୍ତି ବଢାଇବ ଯେଉଁଠି ୨୦୧୪ ଲୋକସଭା ନିର୍ବାଚନ ବେଳେ ଅଧିକ ସଫଳତା ମିଳିନଥିଲା। ମିଡିଆ ରିପୋର୍ଟ ଅନୁସାରେ ବିଜେପି ଏବେ କେରଳ ଓ ଆନ୍ଧ୍ର ପ୍ରଦେଶରେ ଛୋଟ ଛୋଟ ଦଳ ସହ ମେଣ୍ଟ କରିପାରେ।

ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ,”ଉତ୍ତରପ୍ରଦେଶ ଓ ବିହାରରେ ବିରୋଧୀ ଦଳ ମେଣ୍ଟ କରିବା ପରେ ବିଜେପି ଲାଗି ଜିତିବା ଟିକେ କଷ୍ଟ ହୋଇଛି। ତାମିଲନାଡୁରେ ମେଣ୍ଟ ହେବା ଫାଇଦା ଦେବ ସରକାର ଗଢିବା ଲାଗି।”

କେରଳ ଓ ଆନ୍ଧ୍ର ପ୍ରଦେଶରେ ହୋଇପାରେ ମେଣ୍ଟ

ସୂଚନାନୁସାରେ ବିଜେପି ନେତା ଅନ୍ୟ ଏକ ନେତାଙ୍କୁ କହିଛନ୍ତି, ”କେରଳରେ ବିଜେପି ଭାରତୀୟ ଧର୍ମ ଜନ ସେନା ଦଳ ସହ ଆଲୋଚନା କରୁଛି। ସେମାନେ ୬ଟି ସିଟ୍‌ ଦାବି କରୁଛନ୍ତି। ଏହା ସହ କିଛି ଛୋଟ ଦଳଙ୍କୁ ବି ସମର୍ଥନ ମିଳିପାରେ।” ୨୦୧୪ରେ ବିଜେପି ୨୦ରୁ ୧୮ଟି ସିଟ୍‌ରେ  ନିର୍ବାଚନ ଲଢିଥିଲେ ମଧ୍ୟ ଗୋଟିଏରେ ବି ସଫଳତା ମିଳିନଥିଲା।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ବିଜେପି ଆନ୍ଧ୍ରପ୍ରଦେଶରେ ଅଭିନେତାରୁ ନେତା ହୋଇଥିବା ପବନ କଲ୍ୟାଣଙ୍କ ଦଳକୁ ସମର୍ଥନ ଦେଇପାରେ। ତେବେ ଏ ନେଇ ଦଳ ତରଫରୁ ଏମିତି କିଛି ସୂଚନା ଦିଆଯାଇନାହିଁ।

Comment