ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଢେଙ୍କାନାଳ ଚାଷୀ ସମାବେଶରେ ପିଏମ୍‌ କିଷାନ ଯୋଜନାକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ।

ଏପ୍ରିଲ ୧ରେ ଚାଷୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା। ଢେଙ୍କାନାଳ ଜିଲ୍ଲା ଚାଷୀ ମହାସମାବେଶରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଖାଦ୍ୟ ଉତ୍ପାଦନରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ୨୦୦୦ ମସିହାରେ ପ୍ରତିଶ୍ରୁତି ଦେଇଥିଲି। ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆଜି ଅନନ୍ୟ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆମ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି। ଏହା କେବଳ ଆପଣମାନଙ୍କ କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇଛି। କୃଷି କ୍ଷେତ୍ରର ବିକାଶ ପାଇଁ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।”

ଏହି ଅବସରରେ ପିଏମ୍‌ କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି ନବୀନ। ସେ କହିଛନ୍ତି ଯେ ଏହି ଯୋଜନାରେ ଭୂମିହୀନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଭାଗ ଚାଷୀ, କ୍ଷୁଦ୍ର ଚାଷୀ ଏବଂ ଭୂମିହୀନଙ୍କ ପାଇଁ କାଳିଆ ଯୋଜନାରେ ବିଶେଷ ସୁବିଧା ରହିଛି। କାଳିଆ ଯୋଜନାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ।

ଏହି ଚାଷୀ ସମାବେଶରେ ୧ ଲକ୍ଷ ୭୯ ହଜାର ଭୂମିହୀନ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଥିଲା। ଚାଷୀମାନଙ୍କୁ କାଳିଆ ସହାୟତା ପତ୍ର ଏବଂ କାଳିଆ ଛାତ୍ରବୃତ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପାଇଁ ୯ ଶହ ୫୩ କୋଟି ଟଙ୍କାର ୧୦୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶିଳାନ୍ୟାସ କରିଥିଲେ। ଅନୁଗୁଳ ଜିଲ୍ଲା ପାଇଁ ୧୧ ଶହ ୨୯ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହାସହ ୪ଟି ସଡ଼କ ନିର୍ମାଣ ପ୍ରକଳ୍ପ ସହ ୨ଟି ସେତୁ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comment