ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁଭାରମ୍ଭ ହେଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା।
ଓଡ଼ିଶାରେ ଶୁଭାରମ୍ଭ ହେଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା। ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ଯୋଜନା ଶୁଭାରମ୍ଭ କରିଛନ୍ତି।
ଯୋଜନା ଶୁଭାରମ୍ଭ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ।
“ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ସରକାରଙ୍କୁ ତାଲିକା ମାଗିଛନ୍ତି। କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୯ ଲକ୍ଷ ଚାଷୀଙ୍କର ତାଲିକା ଦେଇଛନ୍ତି। ୫ ଲକ୍ଷ ଭୂମିହୀନଙ୍କୁ ଛାଡ଼ିଦେଲେ ୪୦ରୁ ୪୫ ଲକ୍ଷ ଚାଷୀଙ୍କ ତାଲିକା ଦେବା କଥା। କିନ୍ତୁ ୯ ଲକ୍ଷ ଚାଷୀଙ୍କୁ ତାଲିକା ରାଜ୍ୟ ସରକାର ପଠାଇବା ଦୁର୍ଭାଗ୍ୟଜନକ। ବୈଷୟିକ ଯୁଗରେ ରାଜ୍ୟ ସରକାର ଲୋକମାନଙ୍କୁ ଭ୍ରମିତ କରିପାରିବେ ନାହିଁ”, କହିଛନ୍ତି ଗଜେନ୍ଦ୍ର ସିଂ ଶେଖାୱତ।
ଯୋଜନା ଶୁଭାରମ୍ଭ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଧର୍ମେନ୍ଦ୍ର ବି ରାଜ୍ୟ ସରକାରଙ୍କୁ ବାଣ ମାରିଥିଲେ।
“ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କର ନିଷ୍ଠା ନାହିଁ। ଭୂମିହୀନଙ୍କୁ ବାଦ୍ ଦେଲେ ରାଜ୍ୟ ସରକାରଙ୍କ ପାଖରେ ୪୫ ଲକ୍ଷ ଚାଷୀଙ୍କର ତାଲିକା ରହିବା କଥା। କିନ୍ତୁ ରାଜ୍ୟ ସରକାର ୯ ଲକ୍ଷ ଚାଷୀଙ୍କର ତାଲିକା ଦେଇଛନ୍ତି। କାଳିଆ ଯୋଜନାରେ ପ୍ରଥମ ଦଫାରେ ୧୨ ଲକ୍ଷ ଚାଷୀଙ୍କୁ ଟଙ୍କା ଦେଇଥିବା କହୁଛନ୍ତି ରାଜ୍ୟ ସରକାର। ହେଲେ ସେ ତାଲିକା କୁଆଡ଼େ ଗଲା?”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଏହାସହ ଧର୍ମେନ୍ଦ୍ର ପ୍ରଧାନ କାଳିଆ ଛାତ୍ରବୃତ୍ତି ଯୋଜନାକୁ ମଧ୍ୟ ସମାଲୋଚନା କରିଛନ୍ତି। ଓବିସି ଏବଂ ଚାଷୀ ପରିବାର ପିଲାଙ୍କୁ ଭଣ୍ଡାଇବା ପାଇଁ କାଳିଆ ଯୋଜନା କରି ରାଜ୍ୟ ସରକାର ସ୍ୱପ୍ନ ଦେଖାଇଥିବା ଧର୍ମେନ୍ଦ୍ର କହିଛନ୍ତି।








ଓଡ଼ିଶାରେ ଶୁଭାରମ୍ଭ ହେଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା।






