ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଶା ଓ ଓଡ଼ିଆ ()

“ସତ” ଓ “ମିଛ” ଶବ୍ଦ ମାଧ୍ୟମରେ ବ୍ୟକ୍ତି ନିଜର ଗତି ନିର୍ଦ୍ଧାରଣ କରେ। ଖାଦ୍ୟ, ପେୟ, ଚାଲି, ଚଳଣ, ପରିବାର, ସମ୍ପର୍କ, ସାଥୀ, ସଙ୍ଗାତ – ସବୁଠିଁ “ସତ” ଓ “ମିଛ”ର ବ୍ୟବହାର ହୁଏ। ଆମେ ଯାହା ବିଶ୍ୱାସ କରୁ, ତାହା ଆମକୁ “ସତ” ପରି ଲାଗେ-ଆଉ ଯାହା ଆମେ ବିଶ୍ୱାସ କରୁ ନାହିଁ, ତା’ ଆମେ “ମିଛ” ବୋଲି କହୁ।

ଆମ ଭିତରେ କୌଣସି କଥା କିପରି “ସତ” ଭାବରେ ଗୃହୀତ ହୁଏ, ତା’ର କୌଣସି ତଥ୍ୟମୂଳକ ଗବେଷଣା ହୋଇନାହିଁ। ବିଶ୍ୱାସ ଟା ନିଜସ୍ୱ, ତା’ର କିଛି ପରିମାଣ ନାହିଁ।  ଜନ୍ମକଲା ମା’ ଓ ଜନ୍ମକଲା ପିତାକୁ ଛାଡ଼ି ଦେଲେ ଅନ୍ୟ କାହାକୁ ପୂର୍ଣ୍ଣ ଭାବରେ ବିଶ୍ୱାସ କରିବା ମଣିଷ ପକ୍ଷରେ ସମ୍ଭବ ହୁଏନାହିଁ। ତେଣୁ ମଣିଷ ଭାବେ ଯେ ସଂସାର କିଛି ପରିମାଣର “ସତ” ଓ କିଛି ପରିମାଣର “ମିଛ”ରେ ଚାଲୁଛି। ଆମ ପାଇଁ ଯାହା “ମିଛ” ଅନ୍ୟ କାହା ପାଇଁ “ସତ” ହୋଇପାରେ।

ଆଉ ଗୋଟିଏ କଥା ଜଣାପଡ଼ିଲା। ତା’ ହେଉଛି ଆମ ନିଜ ଚିନ୍ତାଧାରାର ବିବର୍ତ୍ତନ। ଏବେ ଯାହା “ସତ” ପରି ଲାଗୁଛି, କିଛି କାଳପରେ “ମିଛ” ବୋଲି ଆମେ ପ୍ରମାଣ କରିପାରୁ। ତେଣୁ ଏ’ପରି କିଛି ସମ୍ପୂର୍ଣ୍ଣ “ସତ” ନାହିଁ, “ମିଛ” ଓ “ସତ”ର ଖେଳ ଚାଲିଛି। ଏ’ପ୍ରକାର ନିର୍ଣ୍ଣୟ ମଣିଷର ସ୍ଵାଭାବିକ ନୁହେଁ। ବହୁକାଳ ବସତି ସ୍ଥାପନ କଲା ପରେ ସମାଜର ବହୁକାର୍ଯ୍ୟ ଓ ଆପଣାର ଜୀବନ ନିରୀକ୍ଷଣ କଲାପରେ ଏ’ପରି ନିର୍ଣ୍ଣୟ ଆସିପାରେ। “ସତ” ଓ “ମିଛ”ର ଖେଳ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳର ଅଧିବାସୀ କାଳକ୍ରମେ ଆବିଷ୍କାର କରିଥିବାର ଅନୁମାନ କରାଯାଉ ଅଛି।

ତା’ପରେ କଥା ହେଲା, ଏ’̍ ଖେଳର କିଛି ନିୟମ ଅଛିକି? ଏ’ କୁ କିଏ କରାଉଛି? ଆମର ବିଶ୍ୱାସ କାହିଁକି ବଦଳୁଛି?  ଏ’ ବଦଳିବାରେ ଆମର ଶାରିରୀକ ଅବସ୍ଥା, ପାରିବାରିକ ଅବସ୍ଥା, ସାଂସାରିକ ଅବସ୍ଥାର ସଂଯୋଗ ଅଛିକି?  ଏ’ ସବୁ ଅବସ୍ଥାକୁ ସୂକ୍ଷ୍ମ ଭାବରେ ବୁଝିପାରିବା କଷ୍ଟକର। ତେଣୁ ଏ’ ସମସ୍ତ ଅବସ୍ଥା “କାଳ”ର ଅଧୀନ ବୋଲି କୁହାଗଲା। “କାଳ” ହିଁ ନିୟାମକ – “କାଳ” ଯାହାକରେ, ମଣିଷ ତାହା ଭୋଗେ!

ଏ’ ପ୍ରକାରର ଚିନ୍ତାଧାରାରେ ମଣିଷ ଜୀବନ କ୍ଷଣିକ ବୋଲି ଲୋକମାନେ ଭାବିଲେ। କେତେବେଳେ କ̍ଣ ଘଟିବ ତା’ କହିହେବ ନାହିଁ ! ହଠାତ୍‌ ସାପ କାମୁଡ଼ାରୁ ମୃତ୍ୟୁ ହୋଇପାରେ, ହଠାତ୍‌ ବଣରେ ଗଛ ଭାଙ୍ଗି ପଡ଼ିପାରେ! ସବୁ ଘଟଣାର କାରଣ ହେଲା “କାଳ”। ତେବେ “କାଳ”ର ପ୍ରଭାବ ସମସ୍ତଙ୍କ ଉପରେ ସମାନ ପଡ଼ୁନାହିଁ, କିଛି ଉପର ତଳ ଅଛି! ଏ’ପ୍ରକାରର ବ୍ୟକ୍ତିଗତ ପରିଣାମକୁ “ଭାଗ୍ୟ” ବୋଲି କୁହାଗଲା। ପ୍ରତ୍ୟେକ ମଣିଷ ଆପଣା ଭାଗ୍ୟ ନେଇ ଜନ୍ମନିଏ ଏବଂ ଭାଗ୍ୟର ଡୋରିରେ ବନ୍ଧା ହୋଇ ଚାଲେ। ଭାଗ୍ୟ ଉପରେ ମଣିଷର ଆକଟ ନାହିଁ! “କାଳ” ମାଧ୍ୟମରେ ଭାଗ୍ୟ ମଣିଷକୁ ଶାସନକରେ। ଏ’ପ୍ରକାର ଭାବନାକୁ ଆମେ ଅନ୍ଧବିଶ୍ୱାସ ବୋଲି କହିଲେ ମଧ୍ୟ ଏହାର ପ୍ରଚଳନ ଏବେ ବି ସମାଜରେ ଅଛି।

ଆପେ ସାବଧାନ ହୋଇ ସାପକୁ ସତର୍କ ହେବା ମଣିଷ ସଭ୍ୟତାର ଏକ ବଡ଼ ପଦକ୍ଷେପ। ଭାଗ୍ୟକୁ ଏଡି ହେବ ନାହିଁ, କିନ୍ତୁ ମଣିଷ ସାବଧାନ ହୋଇପାରିବ। ସାବଧାନ ହେବାର ଅର୍ଥ ହେଲା, ଆଗକୁ ଆଶା ବାନ୍ଧିବା। ଜଙ୍ଗଲରେ ଅନ୍ଧାରରେ ନ ଗଲେ ସାପ କାମୁଡ଼ାରୁ ନିସ୍ତାର ମିଳିପାରେ! ଏହାର ଅର୍ଥ ହେଲା – ମନକୁ ନିୟନ୍ତ୍ରଣ କରିବା! କୌଣସି କାର୍ଯ୍ୟକୁ ହଠାତ୍ ଆଗଭର ନହୋଇ ପ୍ରସ୍ତୁତି କରିବା! ପ୍ରସ୍ତୁତ ଥିଲେ ବିପଦକୁ ଏଡ଼ାଇ ଦିଆଯାଇପାରେ! ପ୍ରସ୍ତୁତିରୁ ବିପଦ ଏଡାଇବା ହେଲା ମଣିଷର ପ୍ରଥମ ବିଜ୍ଞାନ ପ୍ରସ୍ତୁତି।

ଏହା ସାଙ୍ଗରେ ଆଉ ଗୋଟିଏ କଥା ମଣିଷ ଉପଲବ୍ଧି କଲା। ଏହା ହେଲା – “କାଳ”ର ପରିବର୍ତ୍ତନ। ଦିନ ପରେ ରାତି ଆସୁଛି, ବର୍ଷା ପରେ ଖରା ଆସୁଛି, ଦୁଃଖ ପରେ ସୁଖ ଆସୁଛି। ଏ’ହେଲା “କାଳ”ର କଥା – ତେଣୁ “କାଳ”କୁ ଚକ ସାଙ୍ଗେ ତୁଳନା କରାଗଲା! ଚକ ପରି “କାଳ” ନିୟମିତ ନ ହୋଇପାରେ, ତେବେ “କାଳ”ର ସ୍ଵଭାବ ଚକ ପରି ବୋଲି ଠଉରାଗଲା। “କାଳ” ମନ ଛାଏଁ ଆଗକୁ ଯାଉ ନାହିଁ, ଘୂରି ଘୂରି ଯାଉଛି! ଯାହା ଏବେ ଭଲ ଲାଗୁଛି, ତା’̍ପରେ ଭଲ ନଲାଗିପାରେ! ଯାହା ଏବେ ସୁଖ ବୋଲି ଭାବୁଛୁ, ତା’ପରେ ସୁଖ ନ ହୋଇପାରେ!

“କାଳ”କୁ “ଚକ” ପରି ଭାବିବା ଆମର ପ୍ରୁଣା ବାସିନ୍ଦାଙ୍କର ଭାରତବର୍ଷର ସଂସ୍କୃତିକୁ ଗୋଟିଏ ବଡ଼ ଅବଦାନ। ଯାହା ସଂସାରରେ ଅଛି, ତା’ର ବିବର୍ତ୍ତନ ଅଛି! ସୃଷ୍ଟିଅଛି, ସୃଷ୍ଟି କ୍ଷୟ ହୋଇ ପ୍ରଳୟ ଅଛି। ତା’ପରେ ପୁଣି ସୃଷ୍ଟି! ସର୍ଜନ ଓ ବିସର୍ଜନ “କାଳ”ର ଦୁଇଅଙ୍ଗ। ବିସର୍ଜନରେ ସମାପ୍ତି ନାହିଁ, ଏହା ଏକ ନୂତନ ସର୍ଜନର ଅୟମାରମ୍ଭ!

ଏ’ ପରି ହେଲା “କାଳଚକ”। ଏ’ “କାଳଚକ”କୁ ଆମ ଦେଶର ବାସିନ୍ଦାମାନେ ଦଇବ ନିୟନ୍ତା ବୋଲି ଅନୁମାନ କଲେ। ଏହାର ପରିଧି କେହି ଜାଣି ନାହାଁନ୍ତି! ତେବେ ଏହାର ଘୂର୍ଣନ ଅଛି। ମଣିଷର ସମସ୍ତ ଭାଗ୍ୟ, ସୁଖ, ଦୁଃଖ, ପରିବାର, ସମ୍ପତ୍ତି ଓ ଆୟୁ – ଏହି ଘୂର୍ଣନରେ ନିୟନ୍ତ୍ରିତ ହେଉଅଛି!

Comment