ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନରେ ଅଗ୍ନି ପରୀକ୍ଷା ଦେବେ କନକ ବର୍ଦ୍ଧନ ସିଂହଦେଓ।

ବଲାଙ୍ଗିର ଜିଲ୍ଲାର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ପାଟଣାଗଡ଼। ଏହି ନିର୍ବାଚନମଣ୍ଡଳୀକୁ କବ୍‌ଜା କରିବା ପାଇଁ ବିଜେଡି ଏବଂ କଂଗ୍ରେସ ଗତ ୧୯ ବର୍ଷ ହେଲା କସରତ୍‌ କରୁଥିଲେ ମଧ୍ୟ କିଛି ଲାଭ ମିଳୁନି। ପାଟଣାଗଡ଼ ମହାରାଜା ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏହି ଆସନରୁ ବାରମ୍ବାର ନିର୍ବାଚିତ ହୋଇ ନିଜର ଲୋକପ୍ରିୟତା ପ୍ରମାଣିତ କରିଛନ୍ତି।

୨୦୧୯ ନିର୍ବାଚନରେ ପାଣିପାଗ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି। କେଭିଙ୍କ ଗଡ଼କୁ ଭାଙ୍ଗିବା ପାଇଁ ଉଭୟ ବିଜେଡି ଏବଂ କଂଗ୍ରେସ ପ୍ରୟାସ କରୁଛନ୍ତି। ଫଳରେ ଆଗାମୀ ନିର୍ବାଚନରେ କେଭି ଅଗ୍ନି ପରୀକ୍ଷା ଦେବେ ବୋଲି ଚର୍ଚ୍ଚା ହେଉଛି। ୨୦୧୪ ପରି ୨୦୧୯ରେ ମଧ୍ୟ କେଭି ଏବଂ ପ୍ରକୃତିଦେବୀ ସିଂହଦେଓଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

ଜମିବ ଦେଢ଼ଶୂର-ଭାଇବୋହୂ ଲଢ଼େଇ!

୨୦୧୪ରେ କେଭିଙ୍କ ଭାଇବୋହୂ ତଥା ଶ୍ରୀବର୍ଦ୍ଧନ ସିଂହଦେଓଙ୍କ ସ୍ତ୍ରୀ ପ୍ରକୃତିଦେବୀ ସିଂହଦେଓଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଏହି ନିର୍ବାଚନରେ କେଭି ୭୪ ହଜାର ୩୭୨ ଭୋଟ ପାଇଥିବା ବେଳେ ପ୍ରକୃତିଦେବୀ ପାଇଥିଲେ ୬୦ ହଜାର ୭୧୯ ଭୋଟ ପାଇ ପରାଜିତ ହୋଇଥିଲେ।

କିନ୍ତୁ ଏଥର ପ୍ରକୃତିଦେବୀ ଦେଢ଼ଶୂର କନକବର୍ଦ୍ଧନଙ୍କୁ କଡ଼ା ଟକ୍କର ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି। ଗତ ଦୁଇ ବର୍ଷ ତଳେ ପ୍ରକୃତିଦେବୀ ଏବଂ ତାଙ୍କ ସ୍ୱାମୀ ଶ୍ରୀବର୍ଦ୍ଧନ କେଭିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଥିଲେ।

ଗରିବ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କମ୍ ଦରରେ କେଭି ଜମି ହାତେଇଥିବା ଅଭିଯୋଗ ଆଣିଥିଲେ ପ୍ରକୃତିଦେବୀ। ଲୋକଙ୍କୁ ଏକାଠି କରି ୨୦୧୬ ଅଗଷ୍ଟ ମାସରେ ଜିଲ୍ଲାପାଳଙ୍କ ଅଫିସ ଘେରିଥିଲେ। ଏବେ ନିର୍ବାଚନ ଆସିଥିବାରୁ ପୁଣି ଥରେ ଦେଢ଼ଶୂର-ଭାଇବୋହୂଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ୨୦୧୯ ନିର୍ବାଚନରେ ପାଟଣାଗଡ଼ବାସୀ ପୁଣି ଦେଢ଼ଶୂର-ଭାଇବୋହୂଙ୍କ ଲଢ଼େଇ ଦେଖିବେ।

ପାଟଣାଗଡ଼ରେ ରାଜା ଶାସନ

ସ୍ୱାଧୀନତା ପରେ ବହୁ ରାଜପରିବାର ରାଜନୀତିରେ ଯୋଗ ଦେଇଛନ୍ତି। ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରିଛନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ଆସ୍ଥାଭାଜନ ହେବାରେ ସମର୍ଥ ହୋଇ ପାରିନାହାନ୍ତି। କେବଳ ପାଟଣାଗଡ଼ର ୩୦ତମ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ରାଜ୍ୟ ରାଜନୀତିରେ ଅତି ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଥିଲେ। ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ରାଜେନ୍ଦ୍ର ନାରାୟଣ।

ତାଙ୍କ ପୁତ୍ର ରାଜ ରାଜ ସିଂହଦେଓ ଦୁଇ ଥର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବି ରାଜନୀତିରେ ଅଧିକ ବାଟ ଆଗେଇ ପାରିନଥିଲେ। ରାଜ ରାଜଙ୍କ ପୁଅ ହେଉଛନ୍ତି କନକବର୍ଦ୍ଧନ ସିଂହଦେଓ। ସେ ହେଉଛନ୍ତି ପାଟଣାଗଡ଼ର ୩୨ତମ ମହରାଜା। ଓଡ଼ିଶା ରାଜପରିବାରର ଜଣେ ସଫଳ ରାଜନେତା ଭାବେ ନିଜକୁ ବେଶ ପ୍ରତିଷ୍ଠିତ କରିପାରିଛନ୍ତି କନକବର୍ଦ୍ଧନ।

 ୧୯୯୫ରୁ ୨୦୧୯ – କେଭିଙ୍କ ରାଜୁତି

୧୯୯୫ରୁ ପ୍ରତ୍ୟକ୍ଷ ରାଜନୀତି ବା ନିର୍ବାଚନ ମଇଦାନକୁ ଓହ୍ଲାନ୍ତି କନକବର୍ଦ୍ଧନ। ସେହିବର୍ଷ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ପାଟଣାଗଡ଼ ବିଧାନସଭା ଆସନରୁ ସେ ନିର୍ବାଚିତ ହୁଅନ୍ତି। ତେବେ ଏହି ନିର୍ବାଚନର ଆଉ ଏକ ବିଶେଷତ୍ୱ ରହିଛି। କୌଣସି ରାଜନୈତିକ ଦଳର ଲୋକପ୍ରିୟତା ଆଧାରରେ ସେ ନିର୍ବାଚନ ଜିତି ନଥିଲେ। ଏହି ବିଜୟ ଥିଲା ପାଟଣାଗଡ଼ର ଅଧିବାସୀଙ୍କ ରାଜ ପରିବାର ପ୍ରତି ଆନୁଗତ୍ୟ ଏବଂ କନକବର୍ଦ୍ଧନଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱର ମିଶ୍ରଣ।

ଏହି ବିଜୟ ସହ ବଲାଙ୍ଗିର ରାଜନୀତିରେ ବିଜେପିର ମୂଳଦୁଆ ଦୃଢ ହୋଇଥିଲା। ୧୯୯୫ଠାରୁ ଆଜି ପର୍ଯ୍ୟନ୍ତ କନକବର୍ଦ୍ଧନ ବିଜେପି ଟିକଟରୁ କ୍ରମାଗତ ଭାବେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏପରିକି ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ ନିର୍ବାଚନରେ ରାଜ୍ୟବ୍ୟାପୀ ନବୀନଙ୍କ ହାୱା ମଧ୍ୟ ପାଟଣାଗଡ଼ରେ ତାଙ୍କ ବିଜୟଧାରାକୁ ରୋକିପାରିନାହିଁ। ୨୦୧୪ରେ ବି ନବୀନଙ୍କ ହାୱା ପାଟଣାଗଡ଼ରେ କାମ ଦେଇ ନଥିଲା। କେଭି ପୁଣି ବିଜୟ ମୁକୁଟ ପିନ୍ଧିଥିଲେ।

ରାଜ୍ୟ ରାଜନୀତିରେ ଜଣେ ଭଦ୍ରନେତା ଭାବେ କନକବର୍ଦ୍ଧନ ବା କେଭି ପରିଚିତ। ଦିଲ୍ଲୀରେ ଶିକ୍ଷାଦୀକ୍ଷା ଶେଷ କରିଥିଲେ ମଧ୍ୟ ତୃଣମୂଳ ସ୍ତରର କର୍ମୀଙ୍କ ସହ ଯୋଗାଯୋଗରେ ବିଶେଷ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ।

କେଭି ଦୁଇ ଥର ମନ୍ତ୍ରୀ

କନକଙ୍କ ରାଜନୈତିକ କ୍ୟାରିୟର ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ମେଣ୍ଟ ସରକାର ଅମଳରେ ବେଶ ଉଦ୍ଧ୍ୱର୍ଗାମୀ ରହିଥିଲା। ଦୁଇ ଦୁଇ ଥର କ୍ୟାବିନେଟ୍ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ସେ। ୨୦୦୦ରେ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରାଳୟର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ରେ ରାଜ୍ୟରେ ବିଜେପିର ଶୋଚନୀୟ ପରାଜୟ ଘଟିଥିଲା। ବିଧାନସଭାରେ ମାତ୍ର ୬ଜଣିଆ ବିଜେପି ବିଧାୟକ ଦଳର ନେତା ହୋଇଥିଲେ କନକବର୍ଦ୍ଧନ। ପରେ ରାଜ୍ୟ ବିଜେପିର ସଭାପତି ହୋଇଥିଲେ ସେ।

ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଅନଙ୍ଗ!

କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ବିଶେଷ କିଛି କଳଙ୍କ ତାଙ୍କ ଦେହରେ ଲାଗି ନଥିଲା। ସମାଲୋଚକମାନେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣି ପାରିନାହାନ୍ତି। କେବଳ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଇଚ୍ଛାଧିନ କୋଟାରେ ଅବାଂଛିତ ଅନୁଗ୍ରହ ଦେଖାଇ ଗୃହ ଆବଣ୍ଟନ କରିଥିବା ଆରୋପ ଲାଗିଥିଲା। ତେବେ ବଲାଙ୍ଗିର ରାଜନୀତିରେ ତାଙ୍କର ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ଦେଉଛନ୍ତି ନିଜ ରାଜ ପରିବାର ସଦସ୍ୟ।

ଦାଦା ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପୁଅ କଳିକେଶ ସିଂହଦେଓ ତାଙ୍କର ପ୍ରଧାନ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। ଏହି ଦୁଇ ଜଣ ବିଜେଡିର ପ୍ରମୁଖ ନେତା ଏବଂ କନକବର୍ଦ୍ଧନଙ୍କ କ୍ୟାରିୟର ପାଇଁ ଚ୍ୟାଲେଞ୍ଜ। ଏପରିକି ବଲାଙ୍ଗିର ଲୋକସଭା ଆସନରୁ କନକବର୍ଦ୍ଧନଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ୨୦୦୯ ଓ ୨୦୧୪ରେ କଳିକେଶଙ୍କ ଠାରୁ ପରାଜୟ ଲଭିଛନ୍ତି।

ବାସ୍ତବରେ କହିବାକୁ ଗଲେ ୨୦୧୯ ନିର୍ବାଚନ ହିଁ ପାଟଣାଗଡ଼ର ମହାରାଜାଙ୍କ ପାଇଁ ଅସଲ ପରୀକ୍ଷା। କେଭିଙ୍କ ହାତରୁ ପାଟଣାଗଡ଼ ଛଡ଼ାଇ ଆଣିବା ପାଇଁ ବିଜେଡି ଉଦ୍ୟମ ଜାରି ରଖିଛି। ହେଲେ କେଭିଙ୍କ ଲୋକପ୍ରିୟତା ଏହି ନିର୍ବାଚନମଣ୍ଡଳୀରେ ବଳବତ୍ତର ରହିଥିବାରୁ ବିଜେଡିର କୌଣସି ଜଲୱା କାମ ଦେଉନି। ତେବେ ୨୦୧୯ରେ ପାଟଣାଗଡ଼ ମହାରାଜାଙ୍କ ସ୍ଥିତି କ’ଣ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

LEAVE A REPLY

Please enter your comment!
Please enter your name here