ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବଡ଼ି ଭୋରରରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ୧୦୦୦ କେଜିର ବୋମା ପଡ଼ିବା ଫଳରେ ଜୈଶ-ଏ-ମହମ୍ମଦର ପ୍ରାୟ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

ଖବର ଅନୁସାରେ ଏହି ଆକ୍ରମଣ ସମ୍ପର୍କରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି। ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତା ରମଣ ପ୍ରଧାନମନ୍ତ୍ରୀଙ୍କୁ ଆଉ ଅଳ୍ପ ସମୟ ମଧ୍ୟରେ ଭେଟିବେ ବୋଲି ଜଣାପଡ଼ିଛି। ଏହି ଆକ୍ରମଣ ପରେ ଭାରତୀୟ ସେନାକୁ ହାଇ ଆଲର୍ଟରେ ରଖାଯାଇଛି। ଭାରତ-ପାକିସ୍ତାନ ନିୟନ୍ତ୍ରଣ ସୀମା ଡେଇଁ ଭୋର ସାଢ଼େ ୩ଟାରେ ମିରାଜ ବିମାନଗୁଡ଼ିକ ଆକ୍ରମଣ କରିଥିଲେ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ବାୟୁସେନାର ଲଢ଼ୁଆ ବିମାନ ଏଲଓସି ଅତିକ୍ରମ କରି ବୋମା ମାଡ଼ କରିଛନ୍ତି। ଏହି ଆକ୍ରମଣ ପରେ ଜେ ଏ ଏମର ତିନୋଟି ପେଣ୍ଠ ଧୂଳିସାତ ହୋଇଛି। ଏହି ସଂଗଠନର ଏକ କଣ୍ଟ୍ରୋଲ ରୁମ ମଧ୍ୟ ଛାରଖର ହୋଇଯାଇଛି। ଆଜିର ଏହି ବୋମା ମାଡ଼ରେ ସଂଗଠନର ପ୍ରଚୁର କ୍ଷତି ହୋଇଛି।

ଖବର ମିଳିଛି ଯେ ପୂରା ପ୍ରସ୍ତୁତି ସହ ଏହି ଆକ୍ରମଣ କରାଯାଇଥିଲା। ପୁଲୱାମା ଘଟଣା ପରେ ଯେ କୌଣସି ପଦକ୍ଷେପ ନେବା ପାଇଁ ସେନାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା। ବୁଝି ବିଚାରି ବାୟୁ ସେନା ଏହି ପଦକ୍ଷେପ ନେଇଛନ୍ତି। ପାକିସ୍ତାନ ସେନା ମଧ୍ୟ ମାନିଛି ଯେ ଭାରତୀୟ ବିମାନ ନିୟନ୍ତ୍ରଣ ସୀମା ରେଖା ଭିତରକୁ ଆସି ବୋମା ପକାଇଥିଲା।

Comment