ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝର ଜିଲ୍ଲା କରୁମୁଙ୍ଗ ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇଥିବା ଖବର ଆସିଛି। ଅସୁସ୍ଥଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ନାଁ ହେଉଛି ୨୨ ବର୍ଷିୟ ମାନସ ନାୟକ(ମିଟୁ) ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି। ସେ ଜଣେ ଟେଣ୍ଟ୍‌ ହାଉସ୍‌ କର୍ମଚାରୀ। ସେହିପରି ଅସୁସ୍ଥମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି ବୋଲି ସୂଚନା ମିଳିଛି।

ନୂଆଗାଁରେ ଏକ ବାହାଘର ପାଇଁ ମଙ୍ଗଳବାର ରାତିରେ ଟେଣ୍ଟ ବନ୍ଧା ଯାଉଥିଲା। ଏଥିରେ ନିୟୋଜିତ ହୋଇଥିବା ୮ଜଣ ଟେଣ୍ଟ୍ ହାଉସ୍‌ କର୍ମଚାରୀଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା। ବାହାଘରର ୪ ଜଣ ସଦସ୍ୟଙ୍କ ସହିତ ଏହି କର୍ମଚାରୀମାନେ ଖାଦ୍ୟ ଖାଇଥିଲେ। ହେଲେ ହଠାତ୍‌ ମଧ୍ୟ ରାତିରେ ଅସୁସ୍ଥ ହୋଇପଡ଼ିବାରୁ ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ସାଂଘାତିକ ହେବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ମେଡିକାଲ ଯିବା ରାସ୍ତାରେ ମାନସଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ୍‌ ତଦନ୍ତ ଜାରି ରଖିଛି। ଅନ୍ୟ ପକ୍ଷରେ ଖାଦ୍ୟ କିପରି ବିଷାକ୍ତ ହେଲା ତାହା ରିପୋର୍ଟ ଆସିଲା ପରେ ଜଣା ପଡ଼ିବ ବୋଲି ଡାକ୍ତର କହିଛନ୍ତି।

Comment