ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ ୭୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ରାୟଗଡ଼ା ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଗସ୍ତରେ ଯାଇଥିଲେ। ବିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାରେ ୭୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ।

“ଆଜି ମୁଁ ୭୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିଛି। ଏଥିରେ ଆପଣମାନେ ଖୁସି ତ?”, ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ସେବା ମନୋଭାବ ନେଇ କାମ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।

କାଳିଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଏହି ଯୋଜନା ସାରା ଦେଶକୁ ବାଟ ଦେଖାଇବ। କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଏପ୍ରିଲ ୧ରେ ହିତାଧିକାରୀମାନଙ୍କୁ ମିଳିବ। ୩୦ ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହେବେ। ଆହୁରି ୧୦ ଲକ୍ଷ ଚାଷୀଙ୍କୁ ଏଥିରେ ସାମିଲ କରାଯିବ।

“ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରହିଛି। ଉଭୟ ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ଆମେ ବିଲ୍ ପାସ୍ କରିଛୁ”, କହିଥିଲେ ମୁଖ୍ୟମନ୍ତ୍ରୀ।

ମହିଳା, ଚାଷୀ ଏବଂ ଯୁବ ବର୍ଗଙ୍କ ବିକାଶ ପାଇଁ ଆମ ସରକାର ଗୁରୁତ୍ବ ଦେଉଛନ୍ତି। ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ।

Comment