ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଦିନ ଭାରତୀୟ ବାୟୁ ସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ କିଭଳି ପାକିସ୍ତାନୀଙ୍କ ହାବୁଡ଼ରେ ପଡ଼ିଲେ ଓ କିଭଳି ସେ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ ତାର ଏକ ଚାଞ୍ଚଲ୍ୟକର ରିପୋର୍ଟ ଆସିଛି।

ଭୁଲ ଜାଗାରେ ପହଞ୍ଚିଗଲେ

ଖବର ଅନୁସାରେ ମୁଜାଫରବାଦ ଆକାଶ ଉପରେ ପାକିସ୍ତାନର ଏକ ଏଫ-୧୬ ବିମାନକୁ ତଳେ ପକାଇଦେବା ପରେ ଅଭିନନ୍ଦନଙ୍କ ନିଜ ମିଗ ୨୧ ବିମାନଟି ଦୁର୍ଘଟଣାଗସ୍ତ ହେଲା। ବାଧ୍ୟ ହୋଇ ତାଙ୍କୁ ପାରାଚୁଟରେ ନିଜକୁ ଇଜେକ୍ଟ କରିବାକୁ ପଡ଼ିଲା ଓ ସେ ଯାଇ ପାକିସ୍ତାନୀ ଇଲାକାରେ ପଡ଼ିଲେ। ସେଠି ପହଞ୍ଚିବା ପରେ ତାଙ୍କର ମନେ ହେଲା ଯେ ସେ ପାକ-ଅଧିକୃତ କାଶ୍ମୀର ଭିତରକୁ ପଳାଇ ଆସିଛନ୍ତି। ଏହି ସମୟରେ ସେଠି ଥିବା କିଛି ଯୁବକ ତାଙ୍କୁ ଟେକା ପଥର ମାରିବା ଆରମ୍ଭ କରିଦେଲେ। ଏହା ଦେଖି ସେ ସର୍ଭିସ ରିଭଲଭରରେ ବ୍ଲାଙ୍କ ଫାଇରିଂ କଲେ। କିନ୍ତୁ ପାକିସ୍ତାନୀମାନେ ତଥାପି ପଥର ମାଡ଼ ଚାଲିଥାନ୍ତି। ତା ସତ୍ତ୍ୱେ ନିରସ୍ତ୍ର ଲୋକଙ୍କ ଉପରକୁ ଅଭିନନ୍ଦନ ଗୁଳି ଚଳାଇନଥିଲେ।

ପୂରା ଘଟଣା

ବୁଧବାର ସକାଳ ୯.୪୫ – ଭାରତର ରାଡ଼ାର ଜାଣିପାରିଲା ଯେ ପାକିସ୍ତାନର ଅଲଗା ଅଲଗା ଏୟାର ବେଶରୁ ୧୦ଟି ଏଫ ୧୬ ବିମାନ ଉଡ଼ିବା ଆରମ୍ଭ କରୁଛନ୍ତି। ଏଣୁ ଆତ୍ମସୁରକ୍ଷା ପାଇଁ ବାୟୁସେନାର ଦୁଇଟି ମିଗ ୨୧ ବିମାନ ଓ ତିନିଟି ସୁଖୋଇ ବିମାନକୁ ପ୍ରସ୍ତୁତ କରାଗଲା। ଦୁଇଟି ମିଗ ଭିତରୁ ଅଭିନନ୍ଦନ ଗୋଟିଏ ଚଳାଉଥାନ୍ତି। ଯେତେବେଳେ ପାକିସ୍ତାନର ଦୁଇଟି ଏଫ ୧୬ ବିମାନ ଭାରତର ବାୟୁ କ୍ଷେତ୍ର ଭିତରକୁ ପଶିଆସିଲେ, ଅଭିନନ୍ଦନ ଗୋଟିକର ପିଛା କଲେ ଓ ସେହି ବିମାନକୁ ମାରି ଗଡ଼େଇଦେଲେ। ଏହି ପାଲଟା ଜବାବରେ ଅଭିନନ୍ଦନଙ୍କ ମିଗ ୨୧ ବିମାନଟି କ୍ରାସ ହୋଇଗଲା।

ସ୍ଲୋଗାନ ଆରମ୍ଭ ହେଲା

ପାରାଚୁଟରୁ ତଳେ ପଡ଼ିବା ମାତ୍ରେ ସେଠି ଥିବା  କିଛି ଯୁବକଙ୍କୁ ଅଭିନନ୍ଦନ ପଚାରିଲେ ଏହା ଭାରତରେ ନା ପାକିସ୍ତାନରେ? ଏଥିରେ ଜଣେ ଯୁବକ କହିଲା ଏହା ଭାରତର ଇଲାକା। ଯୁବକଟି ସତ କହୁଛି କି ନା ପରୀକ୍ଷା କରିବା ପାଇଁ ଅଭିନନ୍ଦନ କିଛି ଦେଶାତ୍ମବୋଧକ ଗୀତ ଗାଇଲେ। ତା’ ପରେ ଉଇଙ୍ଗ କମାଣ୍ଡର ପଚାରିଲେ ଏହି ଜାଗାର ନାଁ କଣ? ଜଣେ କହିଲା କିଲଣ। ତାପରେ ସେ କହିଲେ ମୋ ପିଠିରେ ମାଡ଼ ଲାଗିଛି, ଟିକିଏ ପାଣି ପିଇବାକୁ ଦିଅ। ଏତିକିବେଳେ ସେଠି ଥିବା ଯୁବକମାନେ ‘ପାକିସ୍ତାନ ଆର୍ମି ଜିନ୍ଦାବାଦ’ କହି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଅଭିନନ୍ଦନ ଜାଣିପାରିଲେ ଯେ ସେ ଆସି  ପାକିସ୍ତାନ ଅଞ୍ଚଳରେ ଫସି ଯାଇଛନ୍ତି। ପିଲାମାନେ ତଥାପି ପଥର ମାଡ଼ କରୁଥାନ୍ତି। ଅଭିନନ୍ଦନ ଭୟ ଦେଖାଇବା ପାଇଁ ଶୂନ୍ୟରେ ଥରେ ଗୁଳି ଚଳାଇଲେ।

ଏହାର କିଛି ସମୟ ମଧ୍ୟରେ ସେ ଭାରତୀୟ ସୀମା ଆଡ଼କୁ ଅଧା କିଲୋମିଟର ବାଟ ଦୌଡ଼ିବାକୁ ଆରମ୍ଭ କଲେ। ପାକିସ୍ତାନୀ ଟୋକା ବି ତାଙ୍କ ପଛରେ ଦୌଡ଼ି ଟେକା ବର୍ଷା କରୁଥାନ୍ତି। ଅଭିନନ୍ଦନ ଆଉ ଦୁଇ ତିନି ଥର ବ୍ଲାଙ୍କ ଫାଇରିଂ କଲେ। ତଥାପି ସେହି ଭିଡ଼ ତାଙ୍କ ପଛରେ ଦୌଡୁଥାନ୍ତି। ଏତିକିବେଳେ ଅଭିନନ୍ଦନ ଗୋଟିଏ ପୋଖରୀ ଭିତରକୁ କୁଦି ପଡ଼ିଲେ ଓ ନିଜ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜକୁ ପାଣି ଭିତରେ ନଷ୍ଟ କରିପକାଇଲେ। ଶତ୍ରୁ ଦେଶର ସେନାର ଭାରତର ରଣନୀତି ସମ୍ପର୍କରେ ଯେମିତି କୌଣସି ଧାରଣା ନ ହେବ ସେଥିପାଇଁ ସେ ସବୁ ଦସ୍ତାବେଜ ନଷ୍ଟ କରିପକାଇଲେ।

ଅଭିନନ୍ଦନଙ୍କ ଭଲପଣ

ଠିକ୍ ଏତିକିବେଳେ ଜଣେ ପିଲା ତାଙ୍କ ଗୋଡ଼ ଉପରେ ଏକ ବିରାଟ ପଥର କଚାଡ଼ିଦେଲା। ଏଥିରେ ଅଭିନନ୍ଦନଙ୍କୁ ଭୀଷଣ ଭାବେ ଆଘାତ ଲାଗିଥିଲା। ଏଥିସହ ସେହି ଯୁବକମାନେ ଅଭିନନ୍ଦଙ୍କୁ ମାଡ଼ ପିଟ କରିବା ବନ୍ଦ ହୋଇନଥିଲା। ଏତେ ଘଟଣା ଘଟିବା ସତ୍ତ୍ୱେ ସେ ଖାଲି ହାତରେ ଥିବା ଯୁବକମାନଙ୍କୁ ଫାଇରିଂ କରିବା ଜଣେ ସୈନିକର କାମ ନୁହେଁ ଭାବି ସେମାନଙ୍କୁ ସୁରକ୍ଷିତ ଭାବେ ଛାଡ଼ିଦେଇଥିଲେ। କିଛି ସମୟ ପରେ ପାକିସ୍ତାନ ଆର୍ମିର କିଛି ଅଫିସର ସେଠାକୁ ଆସି ଅଭିନନ୍ଦନଙ୍କୁ ଉଦ୍ଧାର କରିଥିଲେ ଓ ପାକ ସେନାର ଏକ ସ୍ଥାନୀୟ ଶିବିରକୁ ନେଇଯାଇଥିଲେ।

Comment