ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନନ୍ଦନ ଭାରତ ଫେରିବା ପରେ କି ପଦକ୍ଷେପ ନେବେ ମୋଦି ସରକାର?

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡ଼ିବା ପାଇଁ ପାକିସ୍ତାନର ମିଳିତ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି ଇମ୍ରାନ ସରକାର। ୱାଘା ବର୍ଡର ଦେଇ ଅଭିନନ୍ଦନ ଭାରତକୁ ଆସିବେ। ଅଭିନନ୍ଦନ ଫେରିବା ପରେ ପାକିସ୍ତାନ ପ୍ରତି ଭାରତର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ପାକିସ୍ତାନ ସହ ଭାରତ ଶାନ୍ତି ଆଲୋଚନା କରିବା ପାଇଁ ଆଗେଇ ଆସିବ ନା କଡ଼ା ଆଭିମୁଖ୍ୟ ଗ୍ରହଣ କରିବ? ଏହା ସତ ଯେ ଅଭିନନ୍ଦନକୁ ଛାଡ଼ିଦେବା ପରେ ଅନ୍ତର୍ଜାତୀୟ ସମୁହ ଆଗରେ ପାକିସ୍ତାନ ନିଜର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଚେଷ୍ଟା କରିବ। ହେଲେ ମୋଦି ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

“ଆମେ ଶାନ୍ତି ଚାହୁଁଛୁ। ଆସନ୍ତାକାଲି ଆମେ ଭାରତୀୟ ପାଇଲଟଙ୍କୁ ଛାଡ଼ିଦେବୁ। ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ”, କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

କାହିଁକି ଶାନ୍ତି ଖୋଜିଲେ ଇମ୍ରାନ ସରକାର?

‘ଭାରତ ଯଦି ପାକସ୍ତାନ ଉପରେ ଆକ୍ରମଣ କରେ ଆମେ ବି ଜବାବ ଦେବାକୁ ପ୍ରସ୍ତୁତ ଅଛୁ’ – ପୁଲୱାମା ଆକ୍ରମଣ ପରେ ଭିଡିଓ ଜାରି କରି ଏହା କହିଥିଲେ ଇମ୍ରାନ ଖାନ୍।

କିନ୍ତୁ ଏବେ ଇମ୍ରାନ ସରକାର ଶାନ୍ତି ଆଲୋଚନା କରିବା କଥା କହିବା ପଛରେ ଅନେକ କାରଣ ଥାଇପାରେ ବୋଲି ଆଲୋଚନା ହେଉଛି।

ପ୍ରଥମ କଥା ହେଉଛି  ଲମ୍ବା ସମୟ ଧରି ପାକିସ୍ତାନ ଯୁଦ୍ଧ କରିବା ମୁଡ୍‌ରେ ନାହିଁ। କାରଣ ଯୁଦ୍ଧ ହେଲେ ପାକିସ୍ତାନର ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ଯୁଦ୍ଧ ପରେ ଆର୍ଥିକ ବୋଝ ଇମ୍ରାନ ସରକାର ମୁଣ୍ଡେଇବାକୁ ବୋଧ ହୁଏ ଚାହୁଁ ନାହାନ୍ତି। ଏଣୁ ଇମ୍ରାନ ଶାନ୍ତି ଆଲୋଚନା କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି।

ଏହା ପୂର୍ବରୁ ପାକିସ୍ତାନ-ଭାରତ ଭିତରେ ଅନେକ ଥର ଯୁଦ୍ଧ ହୋଇଛି। ଯୁଦ୍ଧ ପରେ ପରିସ୍ଥିତି କ’ଣ ହୋଇଛି ଉଭୟ ରାଷ୍ଟ୍ର ଭଲଭାବେ ଜାଣିଛନ୍ତି। ଏଣୁ ପାକିସ୍ତାନ ଆଉ ଯୁଦ୍ଧ କରି ପରିଣାମ ଭୋଗିବାକୁ ଚାହୁଁ ନାହିଁ।

ସବୁଠୁ ବଡ଼ କଥା ହେଉଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ  ପାକିସ୍ତାନର ଭାବମୂର୍ତ୍ତି ଅନ୍ତର୍ଜାତୀୟ ସମୂହରେ କ୍ଷୁର୍ଣ୍ଣ ହୋଇଛି। ଆତଙ୍କବାବାଦର ଲୋପ ପାଇଁ ଆମେରିକା, ଫ୍ରାନ୍ସ ଭଳି ରାଷ୍ଟ୍ର ଭାରତକୁ ସମର୍ଥନ କରିଛନ୍ତି। ଏଣୁ ଯୁଦ୍ଧ କରି ପାକିସ୍ତାନ ଅପବାଦ ମୁଣ୍ଡାଇବାକୁ ଚାହୁଁ ନଥିବାରୁ ଭାରତୀୟ ପାଇଲଟଙ୍କୁ ଛାଡ଼ି ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି। ତାଛଡ଼ା ଇମ୍ରାନ କ୍ରିକେଟ ଜଗତରୁ ଆସି ପ୍ରଥମ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏଣୁ ଭାରତ ସହ ଯୁଦ୍ଧ କରି ନିଜ ଇମେଜରେ ଦାଗ ଲଗାଇବାକୁ ସେ ଚାହୁଁ ନଥିବା କୁହାଯାଉଛି।

“ଲମ୍ବା ସମୟ ଧରି ଯୁଦ୍ଧ କରିବା ସ୍ଥିତିରେ ନାହାନ୍ତି ଭାରତ ଓ ପାକିସ୍ତାନ। ଲମ୍ବା ସମୟ ଧରି ଯୁଦ୍ଧ କଲେ ଉଭୟ ଦେଶର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିବ। ଏଣୁ ଯୁଦ୍ଧ ହେବାର କୌଣସି ଆଶଙ୍କା ନାହିଁ”, ଓଡ଼ିଶାଲାଇଭ୍‌କୁ କହିଥିଲେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ।

ମୋଦି ସରକାରଙ୍କର କ’ଣ ରହିବ ଆଭିମୁଖ୍ୟ?

‘ବ୍ୟର୍ଥ ଯିବନି ସହିଦଙ୍କ ବଳିଦାନ’ – ପୁଲୱାମା ଆକ୍ରମଣ ପରେ ଏହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ପାକିସ୍ତାନକୁ ସବକ୍‌ ଶିଖାଇବା ପାଇଁ ଭାରତୀୟ ବାୟୁସେନା ଗତ ୨୬ ତାରିଖରେ ଏୟାର ଷ୍ଟ୍ରାଇକ୍ କରିଥିଲେ। ଏଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଦାବି କରିଥିଲେ। ଏହାପରେ ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

୨୭ ତାରିଖରେ ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଏହାକୁ ଭାରତୀୟ ବାୟୁସେନା ମାରି ଖସାଇ ଦେଇଥିଲେ। କିନ୍ତୁ ଭାରତୀୟ ବାୟୁସେନାର ମିଗ୍‌ ବିମାନରେ ତ୍ରୁଟି ଦେଖାଦେବାରୁ ପାଇଲଟ ଅଭିନନ୍ଦନ ପାରାଚ୍ୟୁଟ ସହାୟାତାରେ ପିଓକେରେ ଓହ୍ଲାଇଥିଲେ। ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲେ।

ଅଭିନନ୍ଦନଙ୍କୁ ସୁରକ୍ଷିତ ଛାଡ଼ି ଦେବା ପାଇଁ ଭାରତ ସରକାର ନିବେଦନ କରିଥିଲେ। ଶେଷରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ଘୋଷଣା କରିଛି। ହେଲେ ପ୍ରଶ୍ନ ଉଠୁଛି ଅଭିନନ୍ଦନଙ୍କୁ ଛାଡ଼ିଦେବା ପରେ ମୋଦି ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ?

ଆତଙ୍କବାଦ ବିରୋଧରେ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି ମୋଦି ସେଥିରୁ ଓହରିଯିବେ କି? ପାକିସ୍ତାନ ଯେଉଁ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ତାକୁ ଭାରତ ସରକାର ମାନିନେବେ କି? ସୀମାନ୍ତରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ମୋଦି ସରକାର ତାକୁ ସ୍ଥିର କରିପାରିବେ କି? ଏସବୁ ପ୍ରଶ୍ନ ଏବେ ଭାରତର ପ୍ରତ୍ୟେକ ଲୋକଙ୍କ ମନରେ ଉଙ୍କି ମାରୁଛି।

ଅଭିନନ୍ଦନ ଭାରତକୁ ଫେରିବା ପରେ ମୋଦି ସରକାର ପାକିସ୍ତାନ ସମ୍ପର୍କରେ କ’ଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

“କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ସବୁବେଳେ ମୁହାଁମୁହିଁ ଅବସ୍ଥାରେ ରହୁଛନ୍ତି। ବିନା ସର୍ତ୍ତରେ ଅଭିନନ୍ଦନଙ୍କୁ ଭାରତ ଫେରାଇ ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘୋଷଣା କରିଛନ୍ତି। ଅଭିନନ୍ଦନ ଫେରି ଆସିବା ପରେ ସୀମାନ୍ତରେ ଯେଉଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଭଟ୍ଟା ଆସିବ”, କହିଛନ୍ତି ବରିଷ୍ଠ ସାମ୍ବାଦିକ କପିଳାସ ଭୂୟାଁ।

ଆଗକୁ ନିର୍ବାଚନ !

ଗତ ଦୁଇ ମାସ ହେଲା ସାରା ଭାରତରେ ସାଧାରଣ ନିର୍ବାଚନର ମାହୋଲ ସୃଷ୍ଟି ହୋଇଥିଲା। ମୋଦି ବାଜି ମାରିବେ ନା ରାହୁଲ – ତାକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏୟାର ଷ୍ଟ୍ରାଇକ୍‌ ପରେ ଏବେ ନିର୍ବାଚନ ଚର୍ଚ୍ଚା ବନ୍ଦ ରହିଛି। ସବୁଠି ଏୟାର ଷ୍ଟ୍ରାଇକକୁ ନେଇ ଆଲୋଚନା ହେଉଛି। ଏୟାର ଷ୍ଟ୍ରାଇକ ପରେ ସୋସିଆଲ ମିଡିଆରେ ବି ମୋଦି ହିରୋ ପାଲଟି ଯାଇଛନ୍ତି।

ଉରୀ ସର୍ଜିକାଲ ଷ୍ଟ୍ରାଇକରୁ ମୋଦି ଏବଂ ବିଜେପି ଯେମିତି ରାଜନୀତିକ ଫାଇଦା ନେବା ପାଇଁ ଉଦ୍ୟମ ଚଳାଇଥିଲେ ଏୟାର ଷ୍ଟ୍ରାଇକରୁ ମଧ୍ୟ ସେମିତି ଫାଇଦା ନେବାକୁ ଯୋଜନା କରାଯାଉଥିବା କୁହାଯାଉଛି। ଏୟାର ଷ୍ଟ୍ରାଇକକୁ କେନ୍ଦ୍ର କରି ବିଜେପି ୨୦୧୯ ନିର୍ବାଚନ ଲଢ଼ିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comment