ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ଭାରତ ସହ ସାମିଲ ହେବା ପାଇଁ ପାକିସ୍ତାନ ସରକାର ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ମିଳିତ ଭାବେ ପୁଲୱାମା ଆକ୍ରମଣର ତଦନ୍ତ କରିବାକୁ ପାକିସ୍ତାନ ପ୍ରଧାନମନ୍ତୀ କାର୍ଯ୍ୟାଳୟ ଭାରତ ପିଏମ୍‌ଓଙ୍କ ସହ ଯୋଗାଯୋଗ କରୁଥିବା ସୂଚନା ମିଳିଛି।

ସୂଚନା ମୂତାବିକ, ପାକିସ୍ତାନରେ ରହିଥିବା ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଶୁକ୍ରବାର ଛାଡ଼ିବା ନେଇ ଘୋଷଣା କରିଛନ୍ତି ପାକ୍‌ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ। ଏଥିସହ ଶାନ୍ତିର ପ୍ରତୀକ ଭାବେ ଆମେ ଏହି ପଦକ୍ଷେପ ନେଉଛୁ ଓ ଭାରତ ସହ ଶାନ୍ତି ପ୍ରତିଷ୍ଠା ଚାହୁଁଛୁ ବୋଲି ଇମ୍ରାନ କହିଛନ୍ତି।

ବର୍ତ୍ତମାନ ଖବର ଆସୁଛି ପୁଲୱାମା ଆକ୍ରମଣର ମିଳିତ ତଦନ୍ତ ପାଇଁ ପ୍ରସ୍ତାବ ଦେଉଛି ପାକିସ୍ତାନ ପିଏମ୍‌ଓ। ଏହା ସହିତ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି।

ଅନ୍ୟପକ୍ଷରେ ଭାରତ ପକ୍ଷରୁ ଏସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପାକିସ୍ତାନ କହିବା କଥା, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସମସ୍ୟାର ସମାଧାନ କରିପାରିବ। ଏହି ପରିପେକ୍ଷରେ ପାକିସ୍ତାନ ଆତଙ୍କବାଦକୁ ପ୍ରଶୟ ଦେଇ କିଭଳି ଶାନ୍ତି ସ୍ଥାପନ କରିପାରିବ ସେନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Comment