ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଗୋଟିଏ ପଟେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ। ଅନ୍ୟପଟେ ରାଜନୀତି।

“ସୌଗନ୍ଧ ହୈ ମୁଝେ ଇସ୍‌ ମିଟି କି। ମୈ ଦେଶ୍ ନେହିଁ ମିଟନେ ଦୁଙ୍ଗା। ମୈ ଦେଶ୍ ନେହିଁ ରୁକନେ ଦୁଙ୍ଗା। ମୈ ଦେଶ୍ ନେହିଁ ଝୁକନେ ଦୁଙ୍ଗା।”

ରାଜସ୍ଥାନର ଚୁରୁରେ ଅନୁଷ୍ଠିତ ଏକ ସମାବେଶରେ ଯୋଗ ଦେଇ ମୋଦି ଏହା କହିଛନ୍ତି।

ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ କରିବାର ଦିନକ ପରେ ମୋଦି ଏହି ଉଦବୋଧନ ଦେଇ ରାଜନୀତିକୁ ହଟଚମଟ କରିଛନ୍ତି।

ଏହି ସମାବେଶରେ ମୋଦି ଆଉ ଗୋଟିଏ କଥା କହିଥିଲେ। ମୋଦି କହିଥିଲେ ଯେ ‘ଦେଶ ସୁରକ୍ଷିତ ହାତରେ ରହିଛି’। ଏହା କହି ମୋଦି ବିରୋଧୀଙ୍କୁ କଡ଼ା ଜବାବ ଦେଇଥିବା ଚର୍ଚ୍ଚା ହେଉଛି।

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ଏବଂ ବିଜେପି ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି। କଥା କଥାକେ ବିରୋଧୀ ‘ଦେଶ ଅସୁରକ୍ଷିତ’ ଏବଂ ‘ଭାରତର ସମ୍ବିଧାନ ବିପଦରେ’ ବୋଲି କହି ଆସୁଥିଲେ। ଏୟାରଷ୍ଟ୍ରାଇକ ପରେ ‘ଦେଶ ସୁରକ୍ଷିତ ହାତରେ’ ରହିଥିବା କହି ମୋଦି ବିରୋଧୀଙ୍କୁ କଡ଼ା ଜବାବ ଦେଇଥିବା କୁହାଯାଉଛି।

୨୦୧୯ ନିର୍ବାଚନ ମୋଦିଙ୍କ ପାଇଁ ଏତେ ସହଜ ହେବ ନାହିଁ। ଏକଥା ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ପ୍ରି-ଇଲେକ୍ସନ ସର୍ଭେ ରିପୋର୍ଟରୁ ଜଣାପଡ଼ିଥିଲା। ଏହାକୁ ନେଇ ବିଜେପି ଶିବିର ଚିନ୍ତାରେ ପଡ଼ିଥିଲା।

ସବୁଠୁ ବଡ଼ କଥା ହେଉଛି ମୋଦିଙ୍କ ବିଜୟ ରଥକୁ ଅଟକାଇବା ପାଇଁ ବିରୋଧୀ ଦଳ ଏକାଠି ହେବାକୁ ଆଗେଇ ଆସିଥିଲେ। ଉତ୍ତରପ୍ରଦେଶରେ ସମାଜବାଦୀ ଏବଂ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟ ହେଉ କି କେଲାକାତାରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ୨୩ଟି ବିଜେପି ବିରୋଧୀ ଆଞ୍ଚଳିକ ଦଳର ପ୍ରତିନିଧି ଏକାଠି ହେବା ଘଟଣା ହେଉ। ଏସବୁ ମେଳି ସ୍ପଷ୍ଟ କରୁଥିଲା ଯେ ମୋଦି ଏବଂ ବିଜେପି ପାଇଁ ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା କାଠିକର ପାଠ ହୋଇଯିବ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଏବଂ ମୋଦିଙ୍କୁ ବଡ଼ ଝଟକା ଦେଇଥିଲା ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଶାସନରେ ଥିବା ବିଜେପିକୁ ଧରାଶାୟୀ କରି କଂଗ୍ରେସ କ୍ଷମତାକୁ ଆସିଥିଲା। ଏଡି ମୋଦିଙ୍କ ମ୍ୟାଜିକ କାମ କରି ନଥିଲା। ଏଣୁ ୨୦୧୯ ନିର୍ବାଚନରେ କ’ଣ କଲେ ପୁଣି ବିଜେପି ଭୋଟରଙ୍କ ଆସ୍ଥାଭାଜନ ହୋଇପାରିବ ସେନେଇ ଗଣିତ କଷୁଥିଲେ ବିଜେପି ମ୍ୟାନେଜର।

ଗତ ୫ ବର୍ଷ ଭିତରେ ମୋଦି ସରକାରର ଲୋକପ୍ରିୟ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ବିଜେପି ନେତା ପ୍ରସ୍ତୁତ ହେଉଥିବା ବେଳେ ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିଲା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ।

ସିଆର୍‌ପିଏଫ୍ ଯବାନଙ୍କ ବସ୍‌କୁ ବିସ୍ଫୋର ଭର୍ତ୍ତି କାର୍ ଧକ୍କା ଦେବାରୁ ୪୦ରୁ ଅଧିକ ଯବାନ ସହିଦ ହୋଇଯାଇଥିଲେ। ଏହାକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ନାରା ପ୍ରଖର ହୋଇଥିଲା। ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ କଡ଼ା ଜବାବ ଦେବା ଲାଗି ସାରା ଦେଶରୁ ଦାବି ଉଠିଥିଲା।

ଏହାର ଫଳସ୍ୱରୂପ ଗତ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ ପରାକ୍ରମ ଦେଖାଇଥିଲେ। ଏଲ୍‌ଓସିଠାରୁ ୮୦ କିଲୋମିଟର ଦୂରରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଛାରଖାର କରିଥିଲେ। ସେହି ରାତିରେ ଭାରତୀୟ ବାୟୁସେନାର ଗତିବିଧିକୁ ନିରୀକ୍ଷଣ କରିଥିଲେ ପ୍ରଧାନମନ୍ତ୍ରୀ। ବାୟୁସେନାର ପାଇଲଟ ସୁରକ୍ଷିତ ଭାବେ ପାକିସ୍ତାନ ସୀମା ଅତିକ୍ରମ କରିବା ପରେ ମୋଦି ବିଶ୍ରାମ ନେଇଥିଲେ।

ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ ଭାରତୀୟ ବାୟୁସେନା ଯେମିତି ପରାକ୍ରମ ଦେଖାଇଲେ ଏଥିରୁ ରାଜନୀତିକ ଫାଇଦା ନେବା ଲାଗି ମୋଦି ଆଗେଇ ଆସିଛନ୍ତି। ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ସବକ୍‌ ଦେଇଥିବାରୁ ମୋଦି ଦେଶର ଜନତାଙ୍କ ପାଖରେ ହିରୋ ସାଜିଥିବା ଚର୍ଚ୍ଚା ହେଉଛି।

ତେବେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ ବିଜେପି ଏବଂ ମୋଦିଙ୍କୁ ୨୦୧୯ ନିର୍ବାଚନରେ କି ସଫଳତା ଆଣି ଦେଉଛି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ସରକାର ଅମଳରେ ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନାର ଏହା ହେଉଛି ଦ୍ୱିତୀୟ ଜବରଦସ୍ତ ଷ୍ଟ୍ରାଇକ୍। ଉରୀ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ସେନା। ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ବିଜେପି ଆଗକୁ ଆସିଥିଲା।

ଉରୀ ସର୍ଜିକାଲ ଷ୍ଟାଇକକୁ ବିଜେପି ନିର୍ବାଚନ ପ୍ରଚାରରେ ଲଗାଇଥିଲା। ୨୦୧୮ରେ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏହାକୁ ଜୋରଦାର ପ୍ରଚାର କରାଯାଇଥିଲା। ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିକୁ ତୀର ମାରିଥିଲେ।

ରାହୁଲ ସେତେବେଳେ କହିଥିଲେ, “ଉରୀ ସର୍ଜିକାଲ ଷ୍ଟ୍ରାଇକରେ ଭାରତୀୟ ସେନା କମାଲ୍ କରିଛନ୍ତି। କିନ୍ତୁ ବିଜେପି ଏହାକୁ ‘ପଲିଟିକାଲ ଆସେଟ୍’ ଭାବେ ଗ୍ରହଣ କରିଛି। ଉପା ସରକାର ଅମଳରେ ଭାରତୀୟ ସେନା ପିଓକେରେ ତିନି ଥର ସର୍ଜିକାଲ ଷ୍ଟ୍ରାଇକ କରିଥିଲେ। କିନ୍ତୁ କଂଗ୍ରେସ ଶୋ’ ବାଜିରେ ବିଶ୍ୱାସ କରେନି।”

ଏହାକୁ ନେଇ ସେତେବେଳେ କଂଗ୍ରେସ-ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା।

ପୁଲୱାମା ଆକ୍ରମଣର ୭ ଦିନ ପରେ ମୋଦି ସରକାରଙ୍କ ଉପରେ ବର୍ଷିଥିଲା କଂଗ୍ରେସ। ଆକ୍ରମଣର ୭ ଦିନ ପରେ ପ୍ରେସମିଟ କରି କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା ବିଜେପିକୁ ପ୍ରଶ୍ନ କରିଥିଲେ। ଆକ୍ରମଣ ପାଇଁ ବିଜେପିକୁ ୫ଟି ପ୍ରଶ୍ନ କରିଥିଲା କଂଗ୍ରେସ।

  • ଗୁଇନ୍ଦା ବିଫଳତା ପାଇଁ ଦାୟୀ କିଏ?
  • ଆତଙ୍କବାଦୀଙ୍କୁ କେମିତି ଆରଡିଏକ୍ସ ମିଳିଲା।?
  • ଜୈଶ-ଏ-ମହମ୍ମଦର ଭିଡିଓକୁ କାହିଁକି ଅଣଦେଖା କରାଗଲା?
  • ଆକାଶପଥରେ କାହିଁକି ଯବାନଙ୍କୁ ନିଆଗଲା ନାହିଁ?
  • ନୋଟବନ୍ଦୀ ଦ୍ୱାରା ଆତଙ୍କବାଦ କାହିଁକି ବନ୍ଦ ହେଲାନି?

ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସ ପ୍ରଶ୍ନର ଉତ୍ତର ଦେଇଥିଲେ। କଂଗ୍ରେସ ତାଙ୍କୁ ଦେଶଭକ୍ତି ନଶିଖାଉ ବୋଲି ସେ କହିଥିଲେ।

ଏବେ ୨୦୧୯ ନିର୍ବାଚନ ପୂର୍ବରୁ ହୋଇଥିବା ଏୟାରଷ୍ଟ୍ରାଇକକୁ ନେଇ ବିଜେପି ଜନମତ ସୃଷ୍ଟି କରିବାକୁ ଯାଉଥିବା ରାଜସ୍ଥାନ ଚୁରୁ ସମାବେଶରୁ ସ୍ପଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି।

Comment