ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ରରେ କିଏ ଗଢ଼ିବ ସରକାର? ମୋଦିଙ୍କ ନେତୃତ୍ୱରେ ଏନଡିଏ ପୁଣି କ୍ଷମତାକୁ ଫେରିବ ନା ଆଉ କେଉଁ ଦଳ ମୋଦିଙ୍କ ହାତରୁ କ୍ଷମତା ଛଡ଼ାଇ ନେବ। ଏହାକୁ ନେଇ ଏବେ ଜାତୀୟ ସ୍ତରରେ ବିତର୍କ ଆରମ୍ଭ ହୋଇଯାଇଛି।

ଇଣ୍ଡିଆ ଟୁଡେ ମଞ୍ଚରେ ଯୋଗ ଦେଇଥିବା ରାଜନୈତିକ ବିଶ୍ଲେଷକମାନେ ପୁଣି ମୋଦି ସରକାର କ୍ଷମତାକୁ ଫେରିବ ବୋଲି ମତ ଦେଇଛନ୍ତି।

ନିର୍ବାଚନ ବିଶ୍ଲେଷକ ତଥା ସ୍ୱରାଜ ଇଣ୍ଡିଆର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି, “ଯଦି ଆପଣ ୨ ସପ୍ତାହ ପୂର୍ବରୁ ମତେ ପଚାରିଥାନ୍ତେ ତାହାଲେ ବିଜେପି ୧୭୦ ଆସନ ପାଇବ ବୋଲି କହିଥାନ୍ତି। କିନ୍ତୁ ପୁଲୱାମା ଆକ୍ରମଣ ପରେ ସ୍ଥିତି ବଦଳିଛି।”

ଆକ୍ସିସ ମାଇ ଇଣ୍ଡିଆର ସିଇଓ ପ୍ରଦୀପ ଗୁପ୍ତା କହିଛନ୍ତି, “ପୁଣିଥରେ କେନ୍ଦ୍ରରେ ଏନଡିଏ ସରକାର ଗଠନ କରିବ। ୩୦୦ରୁ ଅଧିକ ସିଟ୍ ପାଇବ ଏନଡିଏ। ଅନ୍ୟତମ ବିଶ୍ଲେଷକ ରାହୁଲ ବର୍ମା ବି ଏନଡିଏ ବହୁମତ ପାଇବ ବୋଲି କହିଛନ୍ତି। ଏନଡିଏ ୨୦୧୯ ନିର୍ବାଚନରେ ୨୭୦ରୁ ଅଧିକ ଆସନ ପାଇବ ବୋଲି କହିଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ଏକାକୀ ୨୭୦ରୁ ଅଧିକ ଆସନ ପାଇଥିଲା। ମୋଦିଙ୍କ ମ୍ୟାଜିକରେ ବିରୋଧୀ ଧରାଶାୟୀ ହୋଇଥିଲେ। କିନ୍ତୁ ବିମୁଦ୍ରୀକରଣ, ଜିଏସ୍‌ଟି, ବେରୋଜଗାର ପ୍ରସଙ୍ଗକୁ ନେଇ ମୋଦି ସରକାର ସମାଲୋଚନାର ଶିକାର ହୋଇଥିଲେ।

ଏହାର ପରିଣାମ ମଧ୍ୟ ବିଜେପି ଭୋଗିଥିଲା ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ। ଶାସକ ବିଜେପି କଂଗ୍ରେସଠାରୁ ପରାଜିତ ହୋଇଥିଲା। ୨୦୧୯ ନିର୍ବାଚନ ବିଜେପି କେମିତି ଜିତିବ ତାକୁ ନେଇ ଦଳୀୟ ମ୍ୟାନେଜରଙ୍କ ମହଲରେ ଚିନ୍ତା ପଡ଼ିଥିଲା।

ହେଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଏୟାର ଷ୍ଟ୍ରାଇକ୍‌ ପରେ ମୋଦିଙ୍କ ଛବି ପୁଣି ବଦଳିଛି। ଅଗାମୀ ନିର୍ବାଚନରେ ମୋଦି ସରକାର ପୁଣି କ୍ଷମତାକୁ ଫେରିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comment