ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ଚୁରଠାରେ ଥିବା ଉଡସର ଗାଁରେ ପ୍ରାୟ ସମସ୍ତ ଘର ଏକ ମହଲା। ଏବେ ଲୋକେ ବହୁତଳ ପ୍ରାସାଦ ନିର୍ମାଣ କରିବାକୁ ପସନ୍ଦ କରୁଥିବା ବେଳେ ଏହି ଗାଁର ଦୃଶ୍ୟ କିନ୍ତୁ ସବୁଠାରୁ ନିଆରା। ତେବେ ଏହା ପଛର କାରଣ ସଭିଙ୍କୁ ଆଶ୍ଚର୍ଯ୍ୟ କରେ।

ଲୋକଙ୍କ କହିବା ଅନୁସାରେ, ୭ଶହ ବର୍ଷ ପୂର୍ବେ ଏହି ଗାଁରେ ଭୋମିଆ ନାମକ ଜଣେ ବ୍ୟକ୍ତି ଥିଲେ। ଦିନେ ଉକ୍ତ ଗାଁରେ କିଛି ଚୋର ପଶି ସେଠାରେ ଥିବା ଗୃହପାଳିତ ପଶୁଙ୍କୁ ଚୋରି କରିବାକୁ ଆରମ୍ଭ କଲେ। ଏହା ଦେଖି ଭୋମିଆ ଚୋରଙ୍କୁ ଧରିବାକୁ ସେମାନଙ୍କ ପିଛା କରିଥିଲେ। ଏମିତି ପିଛା କରୁକରୁ ସେ ତାଙ୍କ ଶ୍ୱଶୁର ଘର ଗାଁରେ ପହଞ୍ଚି ଯାଇଥିଲେ। ହେଲେ ଭୋମିଆ ଚୋରଙ୍କୁ ପିଛା କରୁଥିବା ସେମାନେ ଜାଣିପାରି ତାଙ୍କୁ ପାଲଟା ଆକ୍ରମଣ କରିବାକୁ ଆସିଥିଲେ। ଭୟରେ ଭୋମିଆ ଶ୍ୱଶୁରଘର ଗାଁରେ ଥିବା ଏକ ଦୁଇ ମହଲା ଘରେ ଯାଇ ଲୁଚି ଯାଇଥିଲେ।

ଶେଷରେ ଚୋରମାନେ ତାଙ୍କୁ ଖୋଜି ପାଇବା ପରେ ଭୋମିଆଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲେ। ଏମିତି ଭାବେ ସେମାନେ ଭୋମିଆଙ୍କୁ ଆକ୍ରମଣ କରିଥିଲେ ଯେ ତାଙ୍କ ମୁଣ୍ଡ ଛିଡିଯାଇ କୁଆଡେ ନିଜ ଗାଁ ବା ଉଡସରରେ ପଡିଥିଲା। ଏହା ଦେଖିବା ପରେ ତାଙ୍କ ସ୍ତ୍ରୀ ରାଗିଯାଇ ଅଭିଶାପ ଦେଇଥିଲେ କି ଏହି ଗାଁରେ କେହି ଦୁଇ ମହଲା ଘର କରିପାରିବେ ନାହିଁ। ସେବେଠାରୁ ଲୋକେ ଏହାକୁ ଅଭିଶାପ ବିଶ୍ୱାସ କରି ଏପର୍ଯ୍ୟନ୍ତ କେହି ଭୟରେ ଦୁଇ ମହଲା ଘର ନିର୍ମାଣ କରୁନଥିବା କୁହାଯାଏ।

Comment