ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ତଫା ଦେଲେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା।

ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ଗୁରୁବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା କହୁଥିଲେ ହେଁ ଏହା ପଛରେ ଭିନ୍ନ କାରଣ ରହିଥିବା ଚର୍ଚ୍ଚା ହେଉଛି।

୨୦୧୯ ନିର୍ବାଚନ ପୂର୍ବରୁ ସେ ସକ୍ରିୟ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ବିଜେଡିରୁ ସେ ତାଙ୍କର ରାଜନୀତିକ ଇନିଂସ ଆରମ୍ଭ କରିବେ ବୋଲି କୁହାଯାଉଛି। ବିଜେଡି ତାଙ୍କୁ ୨୦୧୯ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ବୋଲି ରାଜନୀତି କରିଡରରେ ଆଲୋଚନା ହେଉଛି।

ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ନଳିନୀ ବିବାଦଘେରରେ ରହିଥିଲେ। ଓଭରବ୍ରିଜ କାମ ନେଇଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ପରୋକ୍ଷରେ ସହଯୋଗ କରୁଥିବା ନେଇ ନଳିନୀଙ୍କ ଉପରକୁ ବିରୋଧୀ ଆଙ୍ଗୁଳି ଉଠାଇଥିଲେ। ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ନଳିନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ସେତେବେଳେ ଦାବି କରିଥିଲେ।

ହେଲେ ନଳିନୀ ରାଜ୍ୟ ସରକାରଙ୍କ ଗୁଡ୍‌ବୁକ୍‌ରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ସରକାର।

ଗତ କିଛିଦିନ ହେଲା ନଳିନୀ ସକ୍ରିୟ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହେଉଥିଲା। ଗୁରୁବାର ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବାରୁ ଖୁବ୍‌ଶୀଘ୍ର ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।

୨୦୧୮ ମାର୍ଚ୍ଚ ମାସରେ ନଳିନୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏବେ ମାସକୁ ଆଗରୁ ଇସ୍ତଫା ଦେଇଛନ୍ତି।

କାର୍ଯ୍ୟକାଳ ବୃଦ୍ଧିକୁ ନେଇ ବିଜେପି କୋର୍ଟରେ ଚାଲେଞ୍ଜ କରିଥିଲା। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

Comment