ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପରୀକ୍ଷା ହଲ୍‌କୁ ଛାତ୍ରଛାତ୍ରୀ ନେଇ ପାରିବେନି ମୋବାଇଲ୍
  • ସୁପରିଟେଣ୍ଡେଣ୍ଟଙ୍କୁ ବି ମୋବାଇଲ୍ ମନା
  • ସ୍ମାର୍ଟ ଘଣ୍ଟା ପିନ୍ଧି ପାରିବେନି ଛାତ୍ରଛାତ୍ରୀ
  • ପିଲା ୨ ମିନିଟରୁ ଅଧିକ ଟଏଲେଟ ଗଲେ ଯାଞ୍ଚ ହେବ
  • ପରୀକ୍ଷା କେନ୍ଦ୍ରରେ ତ୍ରି ସ୍ତରୀୟ ସ୍କ୍ୱାଡ୍‌

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପରେ ଏବେ ଏହି ଭୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି। ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି।

ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନ୍ ନେବା ଉପରେ କଟକଣା ଲଗାଇଛନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ସେହିପରି ସୁପରିଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ହଲ୍‌କୁ ମୋବାଇଲ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟ ଘଣ୍ଟା ପିନ୍ଧି ଯାଇ ପାରିବେ ନାହିଁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସ୍ମାର୍ଟ ଘଣ୍ଟା ବଦଳରେ ସାଧାରଣ ଘଣ୍ଟା ପିନ୍ଧିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

ସେହିପରି ଟଏଲେଟ ଯିବା ଉପରେ କଟକଣା ଜାରି କରିଛନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ପରୀକ୍ଷା ଚାଲିଥିବା ବେଳେ ପିଲା ଟଏଲେଟ ଗଲେ ପ୍ରଶ୍ନପତ୍ର ପରୀକ୍ଷକଙ୍କୁ ଦେଇକି ଯିବେ। ଏହାଛଡ଼ା ୨ ମିନିଟରୁ ଅଧିକ ସମୟ ଟଏଲେଟ ଗଲେ ପରୀକ୍ଷକ ଏହାର ଯାଞ୍ଚ କରିବେ।

ପରୀକ୍ଷା କେନ୍ଦ୍ରରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। କପି ରୋକିବା ପାଇଁ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଓଡ଼ିଶାରେ ମାର୍ଚ୍ଚ ୭ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ୧୦୯୧ଟି ପରୀକ୍ଷା କେନ୍ଦ୍ରରୁ ୯୩୬ଟି କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଅନ୍ୟ କେନ୍ଦ୍ରଗୁଡ଼ିକରେ ୭ ଦିନ ଭିତରେ ସିସିଟିଭି ଲାଗିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

Comment