ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ବିରୋଧୀଙ୍କୁ ଚେକ୍‌ ଦେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଓଡ଼ିଶାର ରାଜନୀତି ପାଣିପାଗ ବି ସରଗରମ ହେଲାଣି। ନବୀନଙ୍କ ୧୮ ବର୍ଷର ଦୁର୍ଗ ଭାଙ୍ଗିବା ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି ଗେମ୍‌ପ୍ଲାନ କରୁଥିଲେ ମଧ୍ୟ ନବୀନଙ୍କ ମାଷ୍ଟରଷ୍ଟ୍ରୋକ ବିରୋଧୀଙ୍କ ନିଦ ହଜାଇ ଦେଇଥିବା ଚର୍ଚ୍ଚା ହେଉଛି।

ନବୀନଙ୍କୁ ଚେକ୍ ଦେବା ପାଇଁ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଆଗରେ ସେସବୁ ଫିକା ପଡ଼ି ଯାଉଛି। ଭୋଟରଙ୍କ ନିକଟତର ହେବା ପାଇଁ ନବୀନ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ନବୀନ ୨୫ରୁ ଅଧିକ ଜିଲ୍ଲା ଗସ୍ତ କରି ଚର୍ଚ୍ଚାରେ ରହିଛନ୍ତି। ଏହି ଗସ୍ତ ବେଳେ ନବୀନ ବିଭିନ୍ନ ପ୍ରକଳ୍ପ ଏବଂ ଶିଳାନ୍ୟାସ ଉଦଘାଟନ କରି ରାଜନୀତି ପାଣିପାଗକୁ ଗରମ କରୁଛନ୍ତି।

ଆଦର୍ଶ ଆଚରଣ ବିଧି ଲାଗିବା ପୂର୍ବରୁ ନବୀନ ସବୁ ଜିଲ୍ଲା ଗସ୍ତ କରି କିଛି ନା କିଛି ପ୍ରକଳ୍ପ ଶିଳାନ୍ୟାସ କରିବାକୁ ଲକ୍ଷ୍ୟ ରଖିଥିବା ବିଜେଡି ମହଲରୁ ଶୁଣିବାକୁ ମିଳିଛି।

ବଲାଙ୍ଗିରରୁ ନବୀନ ତାଙ୍କ ଜିଲ୍ଲା ଗସ୍ତ ଆରମ୍ଭ କରିଥିଲେ। ଜାନୁଆରୀ ୨୪ରେ ନବୀନ ବଲାଙ୍ଗିର ଗସ୍ତ କରି ବିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ନବୀନ ବଲାଙ୍ଗିର ଜିଲ୍ଲାବାସୀଙ୍କୁ ୬୦୦ କୋଟି ଟଙ୍କାର ପ୍ୟାକେଜ ଭେଟି ଦେଇଥିଲେ।

ଏହାପରେ ନବୀନ ସମ୍ବଲପୁର, କୋରାପୁଟ, କନ୍ଧମାଳ, କାଲେଶ୍ବର ଏବଂ କଟକରେ ଆୟୋଜିତ ବିଜୁ ଯୁବ ସମାବେଶରେ ଯୋଗ ଦେଇ ଯୁବକମାନଙ୍କୁ ସେବା ମନୋଭାବ ନେଇ କାମ କରିବାକୁ ଆହ୍ୱାନ ଦେଇଥିଲେ।

ଖାଲି ସେତିକି ନୁହେଁ, ନବୀନ ଏହି ଯୁବ ସମାବେଶରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ।

ନବୀନ ପୁରୀ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ବୌଦ୍ଧ, ଯାଜପୁର, ଭଦ୍ରକ, ବରଗଡ଼, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ଗସ୍ତ କରି ସାରିଛନ୍ତି। ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ନବୀନ ବାକି ରହି ଯାଇଥିବା ଜିଲ୍ଲା ଗସ୍ତ କରିବାକୁ ଯୋଜନା ରଖିଛନ୍ତି।

ବିଭିନ୍ନ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିବା ପୂର୍ବରୁ ନବୀନ ଆଗୁଆ ଜିଲ୍ଲା ଗସ୍ତ କରି ବିରୋଧୀଙ୍କୁ ଶକ୍ତ ଝଟ୍‌କା ଦେଇଛନ୍ତି।

Comment