ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେପିରେ ମିଶୁ ମିଶୁ ଓଡ଼ିଶାର ୧୮ ବର୍ଷର ଶାସନ ବ୍ୟବସ୍ଥାକୁ ତୀର ମାରିଲେ ବୈଜୟନ୍ତ।

“ଓଡ଼ିଶାରେ ଦୁର୍ନୀତି ବଢ଼ି ଚାଲିଛି। ୧୮ ବର୍ଷ ହେଲା ଶାସନରେ ରହିଥିବା ଦଳ ଓଡ଼ିଶାର କୌଣସି ବିକାଶ କରିବାରେ ସମର୍ଥ ହୋଇ ନାହାନ୍ତି। ଏବେ ବି ଗଭର୍ବତୀ ମହିଳାମାନଙ୍କୁ କାନ୍ଧରେ ବୁହାଯାଇ ମେଡିକାଲ ନିଆଯାଉଛି। ଶବକୁ ମଧ୍ୟ କାନ୍ଧରେ ବୁହା ଯାଉଛି। ଏହାଠୁ ଦୁଃଖଦ ଘଟଣା କିଛି ନାହିଁ। ଏସବୁର ଚିତ୍ର କେବଳ ନରେନ୍ଦ୍ର ମୋଦି ଏବଂ ବିଜେପି ହିଁ ବଦଳାଇ ପାରିବେ”, କହିଛନ୍ତି ବୈଜୟନ୍ତ ପଣ୍ଡା।

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ନୂଆଦିଲ୍ଲୀରେ ବିଜେପିର ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି। ତାଙ୍କୁ ଦଳର ସଦସ୍ୟତା ପତ୍ର ଦିଆଯାଇ ବିଜେପିକୁ ସ୍ୱାଗତ କରାଯାଇଛି।

ବୈଜୟନ୍ତ ଆହୁରି କହିଛନ୍ତି, “୨୨ ବର୍ଷ ତଳେ ଆମେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲୁ। କିନ୍ତୁ ଆଜି ମୁଁ ଆଉ ଏକ ପ୍ଲାଟଫର୍ମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ମୁଁ ବିଜେପିରେ ସାମିଲ ହୋଇଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ବୈଜୟନ୍ତ  ୨୦୦୦ରୁ ୨୦୦୯ ଯାଏଁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରୁ ସେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

କିନ୍ତୁ ୨୦୧୮ ଶେଷ ଭାଗରେ ବୈଜୟନ୍ତ-ବିଜେଡି ଭିତରେ ସମ୍ପର୍କ ତିକ୍ତ ହୋଇଥିଲା। ବୈଜୟନ୍ତ ତୃତୀୟ ମହଲାର ଅଫିସରଙ୍କୁ ଟାର୍ଗେଟ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହୋଇଥିଲେ।

ଏହି ସମୟରେ ବୈଜୟନ୍ତଙ୍କ ବାପା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଦେହାନ୍ତ ହୋଇଥିଲା। ବଂଶୀଧରଙ୍କ ଶେଷ ଦର୍ଶନ କରିବା ପାଇଁ ସବୁ ଦଳର ନେତା ଆସିଥିଲେ। ହେଲେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର କୌଣସି ନେତା ଆସି ନଥିଲେ। ଫଳରେ ବୈଜୟନ୍ତ ୧୦୧୮ ମେ’ ୨୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ।

ଖାଲି ସେତିକି ନୁହେଁ, ଲୋକସଭା ସାଂସଦ ପଦବୀରୁ ମଧ୍ୟ ବୈଜୟନ୍ତ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ବୈଜୟନ୍ତ କୁଆଡ଼େ ଯିବେ ତାକୁ ନେଇ ପ୍ରଶ୍ନ ଉଠିଥିଲା। ହେଲେ ବୈଜୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ।

ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକମାନଙ୍କ ସହ ମିଶୁଥିଲେ। ବିଜେଡି ଛାଡ଼ିବାର ୯ ମାସ ପରେ ବୈଜୟନ୍ତ ଆଜି ବିଜେପିରେ ସାମିଲ ହୋଇଛନ୍ତି।

Comment