ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

“ପାକିସ୍ତାନରେ ହୋଇଥିବା ଏୟାରଷ୍ଟ୍ରାଇକ୍‌ରେ ୨୫୦ ଆତଙ୍କବାଦୀ ନିହତ ହୋଇଛନ୍ତି” – ରବିବାର ଦିନ ଏହା କହିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ଶାହଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଜାତୀୟ ରାଜନୀତିରେ ଝଡ଼ ଉଠିଛି। ଏୟାର ଷ୍ଟ୍ରାଇକ୍‌କୁ ନେଇ ବିଜେପି ରାଜନୀତି କରୁଥିବା କହି ସମାଲୋଚନା କରିଛନ୍ତି କଂଗ୍ରେସ ଏବଂ ଆପ୍।

ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏୟାରଷ୍ଟ୍ରାଇକ୍‌ ଉପରେ ପ୍ରଶ୍ନ ଉଠାଇ ପ୍ରମାଣ ମାଗିଛନ୍ତି।

ଏୟାରଷ୍ଟ୍ରାଇକ୍‌କୁ ନେଇ ମୋଦି ରାଜନୀତି କରୁଥିବା ମମତା କହି ଟାର୍ଗେଟ କରିଛନ୍ତି।

“ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଭୋଟ ପାଇବା ପାଇଁ ମୋଦି ଏୟାରଷ୍ଟ୍ରାଇକ୍‌କୁ ନେଇ ରାଜନୀତିକରଣ କରୁଛନ୍ତି”, କହିଛନ୍ତି ମମତା।

ଗତ ୨୬ ତାରିଖରେ ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିଥିଲା। ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକ୍‌ରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ଦାବି କରିଥିଲା ଭାରତ।

ଏୟାରଷ୍ଟ୍ରାଇକର ଦିନକ ପରେ ମୋଦି ରାଜସ୍ଥାନର ଚୂରୁରେ ଆୟୋଜିତ ସମାବେଶରେ ଯୋଗଦେଇ ଏୟାରଷ୍ଟ୍ରାଇକ୍‌କୁ ନେଇ ଭାଷଣ ଦେଇଥିଲେ। ଏହି ସମାବେଶରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ହୋଇଥିବା ସହିଦଙ୍କ ଫଟୋକୁ ରଖି ମୋଦି ଉଦବୋଧନ ଦେଇଥିଲେ। ଏଥିରେ ରାଜନୀତିର ବାସ୍ନା ରହିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା।

Comment