ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକ୍‌ ମୁକ୍ତ କରିଛି ସତ୍ୟ କିନ୍ତୁ ତାଙ୍କର ସମସ୍ତ ସାମଗ୍ରୀକୁ ଫେରାଇ ନାହିଁ ପାକିସ୍ତାନ। ଅନ୍ୟପଟେ ଇମ୍ରାନ ଖାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବି କରୁଛି ଇସଲାମାବାଦ। ଗତ ଶୁକ୍ରବାର ଯେତେବେଳେ ଅଭିନନ୍ଦନ ଅଟାରୀ ବର୍ଡରରୁ ଆସି ଭାରତରେ ପାଦଦେଲେ ସେ ସମୟରେ ଖାଲି ହାତ ଏବଂ ସିଭିଲ ଡ୍ରେସରେ ଥିଲେ। ତାଙ୍କ ହାତରେ କୌଣସି ବ୍ୟାଗ କି ଅନ୍ୟ କୌଣସି ସାମଗ୍ରୀ ନଥିଲା।

ସୂଚନା ଅନୁସାରେ ପାକିସ୍ତାନ ଭାରତର ଚାପରେ ୱିଙ୍ଗ କମାଣ୍ଡରଙ୍କୁ ମୁକ୍ତ କରିଥିଲା। କିନ୍ତୁ ତାଙ୍କର ସମସ୍ତ ସାମଗ୍ରୀକୁ ଫେରାଇ ନଥିଲା। ଅଭିନନ୍ଦନଙ୍କ ଘଣ୍ଟା, ମୋଜା, ଚଷମା ଫେରାଇ ଦେଇଛି କିନ୍ତୁ ତାଙ୍କର ପିସ୍ତଲ, ସର୍ଭାଭାଇଭାଲ କିଟ୍ ଏଯାବତ୍‌ ଫେରାଇ ନାହିଁ।

ଅଭିନନ୍ଦନ ଯେତେବେଳେ ପାକିସ୍ତାନ କବ୍‌ଜାର ଥିଲେ ସେତେବେଳେ ସ୍ଥାନୀୟ ଲୋକ ତାଙ୍କ ପିଛା କରିଥିଲେ। ଏହି ସମୟରେ ଅଭିନନ୍ଦନ ନିଜ ପିସ୍ତଲରୁ ଗୁଳି କରିଥିଲେ। ତାଙ୍କ ପାଖରେ ପିସ୍ତଲ ଏବଂ ବାୟୁସେନା ୟୁନିଫର୍ମ ଥିଲା। ଏହାଛଡ଼ା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଥିଲା, ଯାହାକୁ ଶତ୍ରୁ ରାଷ୍ଟ୍ରରେ ପହଞ୍ଚିବା କ୍ଷଣି ହିଁ ନଷ୍ଟ କରିଦେଇଥିଲେ।

ସୂଚନାଯୋଗ୍ୟ, ଫେବ୍ରୁଆରି ୨୭ ତାରିଖର ଘଟଣା। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଭାରତ ସୀମାରେ ଅନୁପ୍ରବେଶ କରିଥିଲା ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬। ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିଥିଲା ଏହି ପାକ୍ ବିମାନ। ଭାରତୀୟ ସୀମା ଭିତରକୁ ଏଫ୍‌-୧୬ ପ୍ରବେଶ କରିବା ମାତ୍ରେ ଏହାର ଜବାବ ଦେବା ପାଇଁ ଆଗେଇ ଆସିଥିଲେ ଅଭିନନ୍ଦନ। ଅଭିନନ୍ଦନଙ୍କ ମିଗ୍‌ ବିମାନ ଏବଂ ଏଫ୍‌-୧୬ ଭିତରେ କଡ଼ା ଟକ୍କର ହୋଇଥିଲା। ପ୍ରାୟ ୮୬ ସେକେଣ୍ଡ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ ଲୁଚକାଳି ଖେଳ ଚାଲିଥିଲା। ଭାରତ ଏବଂ ପାକିସ୍ତାନ ଫାଇଟର ଜେଟ୍‌ ପରସ୍ପର ଲଢ଼ାଲଢ଼ି ହୋଇ ୨୬ ହଜାର ଫୁଟ୍‌ ଉପରକୁ ଚାଲି ଯାଇଥିଲେ। ଦୁଇ ପାଇଲଟ ଆଖିରେ ଆଖି ମିଶାଇ ଲଢ଼ିଥିଲେ।

ଏହି ଲଢ଼ାଲଢ଼ି ଭିତରେ ଅଭିନନ୍ଦନ ଆକାଶରେ ପାକ୍‌ ଫାଇଟର ଜେଟ୍‌କୁ ଆର୍‌-୭୩ ମିସାଇଲ୍ ମାଡ଼ କରିଥିଲେ। ଫଳରେ ଏଫ୍‌-୧୬ ବିମାନ ତଳେ ଖସିପଡ଼ିଥିଲା। ଏହାର ଜବାବରେ ପାକିସ୍ତାନରର ଆଉ ଏକ ବିମାନ ଅଭିନନ୍ଦନଙ୍କ ବିମାନକୁ ଆଟାକ୍ କରିଥିଲା। ଏହି ଲଢ଼େଇ ଚାଲିଥିବା ବେଳେ ଅଚାନକ ଅଭିନନ୍ଦନଙ୍କ ଦୁଇ ଜଣ ସାଥୀ ସୁଖୋଇ-୩୦ ଏମ୍‌କେଆଇ ଏବଂ ମିରାଜ-୨୦୦ ବିମାନରେ ପାକ୍‌ ବିମାନକୁ ଆଟାକ୍ କରି ଭାରତ ସୀମା ପାର୍ କରି ଦେଇଥିଲେ। ଏହି ସମୟରେ ଅଭିନନ୍ଦନଙ୍କ ବିମାନରେ ତ୍ରୁଟି ଦେଖାଦେଇଥିଲା। ବିମାନ ନିୟନ୍ତ୍ରଣକୁ ଆଣିବା ସମ୍ଭବ ନହେବାରୁ ଅଭିନନ୍ଦନ ପାରାଚ୍ୟୁଟ ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ କିନ୍ତୁ ସେ ଯାଇ ପିଓକେରେ ପଡ଼ିଥିଲେ। ଏହାପରେ ପାକ୍‌ ସେନା ତାଙ୍କୁ ଗିରଫ କରିଥିଲା।

Comment