ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ହେବ ଲୋକାର୍ପଣ
  • ଉପସ୍ଥିତ ରହିବେ ସାଂସଦ ତଥାଗତ ଓ ସ୍ଥାନୀୟ ବିଧାୟକ ବ୍ରଜକିଶୋର
  • ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା

ତାଳଚେରରେ ଆରମ୍ଭ ହେବାକୁ ଥିବା ମେଡିକାଲ୍ କଲେଜର ନୂତନ କୋଠା ମଙ୍ଗଳବାର ଦିନ ଉଦ୍‌ଘାଟିତ ହେବ। ପେଟ୍ରୋଲିୟମ୍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦ୍‌ଘାଟନ କରିବେ। ତେବେ ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ ଏବଂ ଏମସିଏଲ୍‌ ପକ୍ଷରୁ ନିର୍ମିତ ଏହି ମେଡିକାଲ୍ କଲେଜରେ ନାମଲେଖା କେବେ ହେବ ତା’କୁ ନେଇ ପ୍ରଶ୍ନ ଉଠୁଛି।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଏବଂ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୨ଟା ବେଳେ ଏହାର ଉଦ୍‌ଘାଟନ କରାଯିବ।

ଏମସିଏଲ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ବା ସିଏସଆର ଅଧୀନରେ ନିର୍ମିତ ଏହି ହସ୍ପିଟାଲ୍‌ ପ୍ରକଳ୍ପରେ ୪୯୩ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗରୁ ସେଠାରେ ଥିବା ଏମସିଏଲ୍ ହସ୍ପିଟାଲ୍‌ର ଆଧୁନିକୀକରଣ କରାଯିବା ସହ ମେଡିକାଲ୍‌ କଲେଜ ପାଇଁ ନୂତନ କୋଠା ତିଆରି କରାଯାଇଛି। ମଙ୍ଗଳବାର ଦିନ ଲୋକାର୍ପିତ ହେଉଥିବା ଏହି ନୂତନ ନିର୍ମାଣ ଲାଗି ଏମସିଏଲ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛି।

ଆଗରୁ ଏମସିଏଲ୍ ହସ୍ପିଟାଲ୍‌ରେ ୧୧୫ ଶଯ୍ୟା ରହିଥିବା ବେଳେ ପ୍ରସ୍ତାରିତ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ୫୦୦ ଶଯ୍ୟା ରହିବ। ତେବେ କେତେକ ବୈଷୟିକ କାରଣରୁ ଏମସିଏଲ୍‌ ଏ ପର୍ଯ୍ୟନ୍ତ ମେଡିକାଲ୍‌ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ)ପାଖରେ ବିଧିବଦ୍ଧ ଭାବେ ନାମ ଲେଖାଇବା ପାଇଁ ଆବେଦନ କରିପାରିନଥିବା ଜଣାଯାଇଛି। ଏହି ମେଡିକାଲ୍ କଲେଜରେ ୧୦୦ ସିଟ୍ ରହିବ। ଚଳିତ ଶିକ୍ଷାବର୍ଷଠାରୁ ଏଠାରେ ନାମଲେଖା ହେବ ବୋଲି ଆଗରୁ କୁହାଯାଇଥିଲେ ମଧ୍ୟ ଏମସିଆଇ ଅନୁମତି ହାସଲ କରିନଥିବା କାରଣରୁ ଏହି ଯୋଜନା ସମ୍ଭବ ହେଉନାହିଁ।

୨୦୧୫ ସେପ୍ଟେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏମସିଏଲରେ ଏହି ପ୍ରସ୍ତାବିତ ମେଡିକାଲ୍‌ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ସେତେବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।

୨୦୧୫ ମସିହା ଅଗଷ୍ଟ ମାସରେ ଏମସିଏଲ୍ ନିର୍ମାଣ କାର୍ଯ୍ୟ ଭାରତର ଅଗ୍ରଣୀ ରାଷ୍ଟ୍ରାୟତ ତଥା ନବରତ୍ନ କମ୍ପାନି ଏନବିସିସି ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏନବିସିସି ଏହି କାମ ୨୦୧୬ ମାର୍ଚ୍ଚ ମାସରୁ ଆରମ୍ଭ କରି ୨୦୧୮ ଏପ୍ରିଲ୍ ସୁଦ୍ଧା ଶେଷ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଉଦ୍‌ଘାଟନ ହୋଇପାରିନଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା କାରଣରୁ ଏହି ମେଡିକାଲ୍ କଲେଜର ଭିତ୍ତିଭୂମିର ଲୋକାର୍ପଣ ତଥା ବିଧିବଦ୍ଧ ଭାବେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହେବାରେ ବିଳମ୍ବ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି।

ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍ସ ଆଣ୍ଡ୍ ରିସର୍ଚ ନାମରେ ନାମିତ ଏହି ମେଡିକାଲ୍‌ କଲେଜ ରାଜ୍ୟରେ ଏକ ଅତ୍ୟାଧୁନିକ ଡାକ୍ତରୀ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିଉଠିବ ବୋଲି ଆଶା କରାଯାଉଛି। ୨୦ ଏକର ଜାଗା ଉପରେ ଏହି ନୂତନ ଭିତ୍ତିଭୂମି ତିଆରି କରାଯାଇଛି।

କୌଣସି ମେଡିକାଲ୍‌ କଲେଜ ପାଇଁ ନାମଲେଖା ଲାଗି ଏମସିଆଇରେ ଆବେଦନ କଲା ବେଳେ ଶିକ୍ଷାନୁଷ୍ଠାନକୁ ସ୍ଥାନୀୟ ସରକାରଙ୍କ ପାଖରୁ ଏକ ଏସେନ୍‌ସିଆଲିଟି ସାର୍ଟିଫିକେଟ୍ ନେବାକୁ ପଡ଼ିଥାଏ। ତେବେ କୌଣସି କାରଣରୁ ଏମସିଏଲକୁ ଏ ପର୍ଯ୍ୟନ୍ତ ଏହି ସାର୍ଟିଫିକେଟ୍‌ ମିଳିନଥିବା ଜଣାପଡ଼ିଛି। ଫଳରେ ଏମସିଏଲ କର୍ତ୍ତୃପକ୍ଷ ଏମସିଆଇ ପାଖରେ ଆବେଦନ କରିପାରୁନାହାନ୍ତି ବୋଲି କୁହାଯାଉଛି।

ରାଜ୍ୟର କୋଇଲା କେନ୍ଦ୍ର ଭାବେ ପରିଚିତ ତାଳଚେରଠାରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଏଥିପାଇଁ ଏକ ସମୟରେ ଜନ ଆନ୍ଦୋଳନ ମଧ୍ୟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ଏମସିଏଲ ଏହି ଭିତ୍ତିଭୂମି ତିଆରି କରିବାକୁ ଆଗେଇ ଆସିଥିଲେ।

ତାଳଚେର ମେଡିକାଲ୍ କଲେଜ ଆରମ୍ଭ କରିବାକୁ ନେଇ ମଧ୍ୟ ଆଉ ଏକ ସମସ୍ୟା ରହିଛି। ସୂତ୍ର ଅନୁଯାୟୀ ଏମସିଏଲ କର୍ତ୍ତୃପକ୍ଷ ଏହାକୁ ନିଜେ ଚଳାଇବା ଲାଗି ଅକ୍ଷମତା ପ୍ରକାଶ କରିଥିଲେ। ରାଜ୍ୟ ସରକାର ଏହାକୁ ହାତକୁ ନେଇ ନିଜେ ଚଳାନ୍ତୁ ବୋଲି ଏମସିଏଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏହି ଆଲୋଚନାର କୌଣସି ଚୂଡ଼ାନ୍ତ ରୂପରେଖ ବାହାରି ପାରିନାହିଁ। ମୁଖ୍ୟତଃ ଏମସିଏଲ ରାଜ୍ୟ ସରକାରଙ୍କ ସହ କରିଥିବା ଚୁକ୍ତିରେ ନିଜେ ହସ୍ପିଟାଲ୍ ପରିଚାଳନା କରିବେ ବୋଲି ଉଲ୍ଲେଖ ରହିଛି। ତେଣୁ ରାଜ୍ୟ ସରକାର ଏହାର ପ୍ରତ୍ୟକ୍ଷ ପରିଚାଳନା ହାତକୁ ନେବେ କି ଏମସିଏଲ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ହାତରେ ଏହାର ଦୈନନ୍ଦିନ ପରିଚାଳନା ଭାର ଟେକିଦେବେ ତାହା ଆଗାମୀ ଦିନରେ ଜଣାପଡ଼ିବ।

ତାଳଚେର ମେଡିକାଲ୍ କଲେଜ ଓଡ଼ିଶାର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଆଉ ଏକ ପାହାଚ ହେବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ଏହାର ପ୍ରତିଷ୍ଠାକୁ ନେଇ ଉଭୟ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ପତିଆର ଲଢ଼େଇ ଚାଲିଛି।

Comment