ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନବେ ଦଶକରେ ଓଲିଉଡରେ ଯଦିଓ ଅପରାଜିତା, ଅନୁ ଚୌଧରୀ, ଜ୍ୟୋତି ମିଶ୍ର, ଉଷସୀ ମିଶ୍ର ଓ ଋତୁପର୍ଣ୍ଣାଙ୍କ ସମେତ ଅନେକ ନାୟିକା ରାଜ୍ କରୁଥିଲେ। ହେଲେ ଏମାନଙ୍କ ମଧ୍ୟରୁ ସବୁଠୁ ବେଶୀ ଚର୍ଚ୍ଚିତା ଥିଲେ ରଚନା।

ରଚନା ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରୀ’ରେ ସିଦ୍ଧାନ୍ତଙ୍କ ଅପୋଜିଟରେ ହିରୋଇନ୍ ହେବାପରେ ଓଲିଉଡରେ ଷ୍ଟାର୍ ବନିଥିଲେ ରଚନା ବାନାର୍ଜୀ। ଏହାପରଠୁ ୨୦୦୨ ଯାଏ ନିଃସନ୍ଦେହରେ ରଚନା ଥିଲେ ଓଲିଉଡର ନମ୍ବର ୱାନ୍ ହିରୋଇନ୍। ସେ ଓଡ଼ିଆ ସିନେ ନିର୍ମାତା ଓ ନିର୍ଦ୍ଦେଶକ ଏବଂ ଦର୍ଶକଙ୍କର ଏତେ ପ୍ରିୟପାତ୍ର ହୋଇ ଯାଇଥିଲେ ଯେ ଓଡ଼ିଶାରେ ରହିବାର ମଧ୍ୟ ନିଷ୍ପତ୍ତି ନେଇଥିଲେ। ସେ କଟକରେ ଫ୍ଲାଟ୍ ମଧ୍ୟ କିଣିଥିଲେ।

ତେବେ ସେ ଯାହା ହେଉନା କାହିଁକି ରଚନା ଯେଉଁ ଏକ ଦଶନ୍ଧି ଧରି ଓଲିଉଡରେ ଖୁବ୍ ସକ୍ରିୟ ଥିଲେ, ସେହି ସମୟରେ ଯେଉଁ ନିର୍ଦ୍ଦେଶକମାନେ ଓଡ଼ିଆ ସିନେମା ନିର୍ମାଣ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଟପ୍ ଡିରେକ୍ଟରଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ରଚନା, କିନ୍ତୁ ସେହି ତାଲିକାରେ କେତେକ ନାହାନ୍ତି ଓ କାହା ସହ ସେ ଥରଟିଏ କାମ କରିଛନ୍ତି ଓଡ଼ିଆ ଛବି।

ଶିଶିର ମିଶ୍ର ଓଲିଉଡର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକ। ସେ ‘ସିନ୍ଦୂର ବିନ୍ଦୁ’, ‘ସୁନା ସଂସାର’, ‘ସୁବର୍ଣ୍ଣ ସୀତା’, ‘ସମୟ ବଡ଼ ବଳବାନ୍’, ‘ଏଇ ଆମ ସଂସାର’, ‘ବସ୍ତ୍ରହରଣ’ ଓ ‘ସାବତ ମା’ ଭଳି ବେଶ୍ କେତୋଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ। କିନ୍ତୁ ଆପଣ କ’ଣ ଜାଣନ୍ତି କି? ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ ଥରଟିଏ ବି କାମ କରିବାର ସୁଯୋଗ ପାଇନଥିଲେ ରଚନା ବାନାର୍ଜୀ। ଶିଶିର ମିଶ୍ର ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ନାୟିକାଙ୍କୁ ନିର୍ଦ୍ଦେଶନା ଦେଇ ଥିଲେ ବି ରଚନାଙ୍କ ସହ କାମ କରିନାହାନ୍ତି।

ଓଡ଼ିଆ ସିନେ ଜଗତର ଜଣେ ଦିଗ୍‌ରାଜ ନିର୍ଦ୍ଦେଶକ ଥିଲେ ଦିବଂଗତ ଗୋବିନ୍ଦ ତେଜ୍। ଏହି ନିର୍ଦ୍ଦେଶକଙ୍କ ସହିତ ବି ରଚନା ଆଦୌ କାମ କରିନଥିଲେ। ରାମାୟଣ, କାବେରୀ, ସ୍କୁଲ୍ ମାଷ୍ଟର, ତୁଣ୍ଡବାଇଦ ଓ ଗାରେ ସିନ୍ଦୂର ଧାରେ ଲୁହ ଭଳି ବହୁଚର୍ଚ୍ଚିତ ଓଡ଼ିଆ ସିନେମାର ନିର୍ଦ୍ଦେଶକ ଗୋବିନ୍ଦ ତେଜଙ୍କ ଫିଲ୍ମରେ ରଚନାଙ୍କ ସମସାମୟିକ ଅନୁ ଚୌଧୁରୀ କାମ କରିବାର ସୁଯୋଗ ପାଇଥିଲେ ବି ରଚନା ଏଥିରୁ ବଞ୍ଚିତ ହୋଇଥିଲେ।

ସମ୍ପ୍ରତ୍ତି ଓଲିଉଡର ଜଣେ ଟପ୍ ଡିରେକ୍ଟର ହେଲେ ସୁଧାଂଶୁ ମୋହନ ସାହୁ। ସେ ୧୯୯୯ରେ ରିଲିଜ୍ ହୋଇଥିବା ‘କିଏ ପୋଛିବ ମା’ ଆଖିର ଲୁହ’ରୁ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ସୁଧାଂଶୁଙ୍କ ସହ ଅନୁ ଚୌଧୁରୀ, ମାମା ମିଶ୍ର ପ୍ରମୁଖ କାମ କରିଥିଲେ ହେଁ ରଚନାକୁ ସେହି ସୁଯୋଗ ମିଳିନାହିଁ। ଠିକ୍ ସେହିପରି ଓଲିଉଡର ଓଣ୍ଡରବୟ ସଞ୍ଜୟ ନାୟକ ୨୦୦୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ନାୟିକା ଭୂମିକା ନିଭାଇଥିଲେ ଅନୁଚୌଧୁରୀ। ସେ ଲଗାତାର ଫିଲ୍ମ ନିର୍ମାଣ କରୁଥିଲେ ହେଁ କୌଣସି ବି ଗୋଟିକରେ ରଚନା ବାନାର୍ଜୀଙ୍କୁ ନାୟିକା ଭୂମିକାରେ ନେଇନାହାନ୍ତି।

୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଚଳଚ୍ଚିତ୍ର ‘କି ହେବ ଶୁଆ ପୋଷିଲେ’ରୁ ନିର୍ଦ୍ଦେଶକ ଭାବେ ଯାତ୍ରା ଆରମ୍ଭ କରିଥିବା ବସନ୍ତ ସାହୁ ଆଜି ବି ଓଲିଉଡରେ ସକ୍ରିୟ। ହେଲେ ରଚନା ବାନାର୍ଜୀ ବସନ୍ତଙ୍କ ନିର୍ଦ୍ଦେଶନାରେ କେବେ ବି କାମ କରିନାହାନ୍ତି।

ଶୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦ ବି ଏହି ତାଲିକାରୁ ବାଦ୍ ପଡ଼ିବେ ନାହିଁ। ପ୍ରଶାନ୍ତଙ୍କ ସହ ରଚନା ବି କୌଣସି ଓଡ଼ିଆ ଛବିରେ କାମ କରିନାହାନ୍ତି। ସବ୍ୟସାଚୀ ମହାପାତ୍ର ମଧ୍ୟ ମଝିରେ ମଝିରେ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି, ହେଲେ ତାଙ୍କରକୌଣସି ଗୋଟିଏ ଓଡ଼ିଆ ସିନେମାରେ ନଜର ଆସିନାହାନ୍ତି ରଚନା ବାନାର୍ଜୀ। ଠିକ ସେହିପରି ଜଣାଶୁଣା ନିର୍ଦ୍ଦେଶକ ଅବତାର ସିଂହ, ବିଜୟ ଭାସ୍କର ଓ ଜିତେନ୍ଦ୍ର ମହାପାତ୍ରଙ୍କ ସହ ବି ରଚନା ବାନାର୍ଜୀ କୌଣସି ଓଡ଼ିଆ ଫିଲ୍ମରେ କାମ କରିନାହାନ୍ତି।।

Comment