ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବିଜୁବାବୁ ଦେଖାଇଥିବା ରାସ୍ତାରେ ଚାଲ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ। ବିଜୁବାବୁଙ୍କ ସ୍ୱପ୍ନ ସାକାର ପାଇଁ ଆମେ କଠିନ ପରିଶ୍ରମ କରି ଚାଲିଛୁ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ଆମର ଲକ୍ଷ୍ୟ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜୁବାବୁଙ୍କ ଜୟନ୍ତୀ ଉତ୍ସବ ବିଜେଡି ପାର୍ଟି ଅଫିସରେ ପାଳନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ସକାଳୁ ମିନି ମାରାଥନ ହୋଇଥିଲା। ବିଜୁ ପଟ୍ଟନାୟକ ପାର୍କଠାରୁ ସମସ୍ତ ପ୍ରତିଯୋଗୀମାନେ ବାହାରି ଶିଶୁ ଭବନ ଛକ, ରାଜ ମହଲ ଛକ, ଏଜି ଛକ, ଗଭର୍ଣ୍ଣର ହାଉସ୍‌ ଛକ ଏବଂ ପାୱାର ହାଉସ ଛକ ଦେଇ କଳିଙ୍ଗ ଷ୍ଟାଡିୟମ ଗେଟ ନଂ ୩ରେ ପହଞ୍ଚି ଥିଲେ। ଏହି ମିନି ମାରାଥନକୁ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହାପରେ ସକାଳ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଓଡିଶା ବିଧାନସଭାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ବାଚସ୍ପତି ପ୍ରଦୀପ ଅମାତ, ସାଂସଦ ପ୍ରସନ୍ନ ପାଟଶାଣୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟ ନାରାୟଣ ପାତ୍ର, ଶଶୀ ଭୂଷଣ ବେହେରା, ନିରଞ୍ଜନ ପୂଜାରୀ, ଶାସକ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ଜୟଦେବ ଭବନଠାରେ ବିଜୁ ବାବୁଙ୍କ ଫଟୋ ପଦର୍ଶନୀର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ ପାଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ କୁମାର ମହାନ୍ତି ଉପସ୍ଥିତ ରହିଥିଲେ।

Comment