ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୩ ମସିହାର ଏକ ବଧୂହତ୍ୟା ମାମଲାରେ କେନ୍ଦ୍ରାପଡ଼ାର ଗୋଟିଏ ପରିବାରର ୩ ଜଣଙ୍କୁ ଆଜୀବନ ଜେଲରେ ଦଣ୍ଡିତ ହୋଇଛନ୍ତି ।

କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଏକ ବଧୂହତ୍ୟା ମାମଲାର ବିଚାରକରି ସ୍ଵାମୀ , ଶ୍ଵଶୂର ଓ ଶାଶୂ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଣ୍ଡିତ ହୋଇଥିବା ବ୍ୟକ୍ତି ହେଲେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଟରାମଲ୍ଲ ଗାଁର ସୁଶାନ୍ତ ମଳିକ , ସୁଶାନ୍ତର ବାପା ଅଗସ୍ତି ମଳିକ ଓ ମା’ ମୁକ୍ତା ମଳିକ।

ଘଟଣାଟି ଘଟିଥିଲା ୨୦୧୩ ମସିହା ମାର୍ଚ୍ଚ ୪ ତାରିଖରେ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଟରାମଲ୍ଲ ଗାଁର ସୁଶାନ୍ତ ମଳିକକୁ କଖାରୁଣି ଗାଁର ଅକ୍ଷୟ ମଳିକଙ୍କ ଝିଅ ଲକ୍ଷ୍ମୀ ମଳିକ ବିବାହ କରିଥିଲେ।

ବିବାହର ୮ ମାସ ପରେ ଶାଶୂଘର ଲୋକେ ଏକ ରଙ୍ଗୀନ ଟିଭି ଯୌତୁକ ଦାବି କରିଥିଲେ। ଦାବି ପୂରଣ ନହେବାରୁ ଲକ୍ଷ୍ମୀଙ୍କୁ ନିର୍ଯାତନା ଦେଇ ଶେଷରେ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା କରିଥିଲେ। ଏନେଇ ଝିଅ ଘର ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଥିଲେ।

ପୋଲିସ ଘଟଣାର ତଦନ୍ତ କରି ପରିବାରର ତିନି ଜଣଙ୍କୁ ଗିରଫ କରିଥିଲା। ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ସେମାନେ ଜାମିନରେ ଆସିଥିଲେ।

୬ ବର୍ଷ ପରେ ବୁଧବାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଅଭିଯୁକ୍ତ ସ୍ଵାମୀ ସୁଶାନ୍ତ ମଳିକ , ଶ୍ଵଶୂର ଅଗସ୍ତି ମଳିକ ଓ ଶାଶୂ ମୁକ୍ତା ମଳିକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହାଛଡା ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ନଦେଇ ପାରିଲେ ଆଉ ଅଧିକ ଏକ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ବଧୂହତ୍ୟା ଅଭିଯୋଗରେ ଜାମିନରେ ଖଲାସ ହୋଇ ଘରେ ରହିଥିବା ଏହି ୩ଙ୍କୁ ଆଜି ଜେଲ ହାଜତକୁ ପଠାଇ ଦିଆଯାଇଛି। ମୃତ ଲକ୍ଷ୍ମୀ ମଳିକଙ୍କ ପକ୍ଷରୁ ସରକାରୀ ଓକିଲ ସଞ୍ଜୟ ଜେନା ମାମଲା ପରିଚାଳନା କରୁଥିଲେ ।

Comment