ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ନିଜ ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଛନ୍ତି। ଆସନ୍ତୁ ଜାଣିବା ସିନିଅର ବଚ୍ଚନଙ୍କ ବିଷୟରେ କିଛି କଥା…

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ସଂଘର୍ଷ କରି ନିଜ ପାଇଁ ସୁପରଷ୍ଟାରର ଆସନ ତିଆରି କରିଛନ୍ତି। କ୍ୟାରିଅରର ଆରମ୍ଭରେ ସେ ୧୨ଟି ଫ୍ଲପ୍ ସିନେମା ଦେଇଥିଲେ। ସେତେବେଳେ ସେ ଭାବୁଥିଲେ ବୋଧହୁଏ ଚାକିରି ଛାଡ଼ି ଅଭିନୟରେ ପ୍ରବେଶ କରିବା ତାଙ୍କର ଭୁଲ୍‌ ନିଷ୍ପତ୍ତି।

୧୯୬୯ ଫେବ୍ରୁଆରି ୧୫ରେ ବିଗ୍‌ ବି ନିଜ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ ଫିଲ୍ମ ପାଇଁ ଚୁକ୍ତି କରିଥିଲେ। ବାପା ହରିବଂଶ ରାୟ ବଚ୍ଚନଙ୍କ ପପୁଲାରିଟି ପରେ ବି ଅମିତାଭ ତାଙ୍କ ବାପାଙ୍କ ନାମକୁ ବ୍ୟବହାର କରିବାକୁ ଠିକ୍‌ ମନେ କରୁ ନଥିଲେ।

‘ସାତ୍‌ ହିନ୍ଦୁସ୍ତାନୀ’ ଲେଖକ ଓ ନିର୍ଦ୍ଦେଶକ ଖ୍ୱାଜା ଅହମ୍ମଦ ଅବାସ୍‌ ଅମିତାଭଙ୍କ ସ୍କ୍ରିନ୍‌ ଟେଷ୍ଟ ନେଇଥିଲେ। କିନ୍ତୁ ସେ ଜାଣି ନଥିଲେ ଅମିତାଭ ହରିବଂଶଙ୍କ ପୁଅ। ସ୍କ୍ରିନ୍‌ ଟେଷ୍ଟାରେ ସିଲେକ୍ଟ ହେବା ପରେ ତାଙ୍କୁ ଟ୍ରେନିଙ୍ଗ୍‌ ପାଇଁ କୁହାଗଲା। ସେ ସମୟରେ ମାସିକ ୧୬୦୦ ଟଙ୍କାରେ ଏକ ଚାକିରି କରୁଥିଲେ। କିନ୍ତୁ ଏହାପରେ ସେ ଚାକିରି ଛାଡ଼ି ତୁରନ୍ତ ମୁମ୍ବାଇ ଯାଇଥିଲେ। ଅମିତାଭଙ୍କ ମୁମ୍ବାଇ ଆସିଲା ବେଳକୁ ଖ୍ୱାଜା ସାହେବ୍‌ ଜାଣି ସାରିଥିଲେ କି ସେ ହରିବଂଶଙ୍କ ପୁଅ। ବାପାଙ୍କ ବିନା ଅନୁମତିରେ ଖ୍ୱାଜା ସାହେବ୍‌ ଅମିତାଭଙ୍କୁ ଫିଲ୍ମରେ ଅନୁମତି ଦେବେନି ବୋଲି କହିଥିଲେ। ତାଙ୍କ ବାପା ରାଜି ହେବା ପରେ ସେ ଫିଲ୍ମରେ ଅମିତାଭଙ୍କୁ ନେଇଥିଲେ। ‘ସାତ୍‌ ହିନ୍ଦୁସ୍ତାନୀ’ ଫିଲ୍ମଟି ହିଟ୍‌ ହୋଇ ନଥିଲା। ଏହାପରେ ଲଗାତାର ତାଙ୍କର ଫିଲ୍ମ ଫ୍ଲପ୍‌ ହୋଇ ଚାଲିଥିଲା।

ଏହାପରେ ପ୍ରକାଶ ମେହେରାଙ୍କ ବ୍ଲକବଷ୍ଟର ମୁଭି ‘ଜଞ୍ଜିର’ ଅମିତାଭ ବଚ୍ଚନଙ୍କୁ ନୂଆ ଜନ୍ମ ଦେଇଥିଲା। ଏହାପରେ ଲଗାତର ସୁପରହିଟ୍‌ ଫିଲ୍ମ ଦେଇ ଚାଲିଲେ ବିଗ୍‍ ବି।

ଆଜି ଯେଉଁ ଅମିତାଭ ବଚ୍ଚନଙ୍କ ସ୍ୱରରେ ପୂରା ଦୁନିଆ ଫିଦା ହୋଇଛି। ଦିନେ ସେହି ସ୍ୱର ପାଇଁ ତାଙ୍କ କ୍ୟାରିୟରରେ ଫାଟ ସୃଷ୍ଟି ହେଉଥିଲା। ତାଙ୍କ ସ୍ୱର ଭାରୀ ଥିବାରୁ ଏବେ ତାଙ୍କ ସ୍ୱରକୁ ଡବିଂ କ୍ଷେତ୍ରରେ ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର କରାଯାଉଛି।

ଅମିତାଭଙ୍କ ଅନ୍ୟ ଏକ କଷ୍ଟକର ସମୟ ହେଉଛି ଫିଲ୍ମ କୁଲି। ଏହି ସମୟରେ ସେ ଜୀବନ-ମୃତ୍ୟୁର ସଂଘର୍ଷ କରିଥିଲେ।

ହେଲେ ତା’ଠାରୁ ଅଧିକ କଷ୍ଟ ପାଇଥିଲେ ବିଗ୍ ବି ଅନ୍ୟ ଏକ ସମୟରେ। ନବେ ଦଶକ ବେଳେ ବିଗ୍‌ ବି ନିଜର ଏକ ପ୍ରଡକ୍ସନ କମ୍ପାନି ଖୋଲିଥିଲେ। ଏହାର ନାଁ ରଖିଥିଲେ ଅମିତାଭ ବଚ୍ଚନ କର୍ପୋରେସନ୍ ଲିମିଟେଡ୍। ଏହି କମ୍ପାନି ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଖୁବ୍ ଚର୍ଚ୍ଚା ବି ହୋଇଥିଲା। ଏହି କମ୍ପାନି ନୂଆ ନୂଆ ପ୍ରତିଭାଙ୍କର ଆବିଷ୍କାର ପାଇଁ ଯୋଜନା କରିଲା।

ଅମିତାଭ ବଚ୍ଚନଙ୍କର ଏହି କମ୍ପାନି ନବୋଦିତ କଳାକାରମାନଙ୍କୁ ନେଇ ‘ତେରେ ମେରେ ସପନେ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଲା। ସେହି ସମୟରେ ଏହି ବ୍ୟାନରରେ ଅମିତାଭ ବଚ୍ଚନଙ୍କୁ ହିରୋ ଭାବେ ନେଇ ‘ମୃତ୍ୟୁ ଦାତା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଲେ ସେ ସମୟର ହିଟ୍‌ ନିର୍ଦ୍ଦେଶକ ମେହୁଲ୍‌ କୁମାର।

‘ମୃତ୍ୟୁଦାତା’ ସୁପରଫ୍ଲପ୍ ହେଲା ଓ ଏବିସିଏଲର ଯୋଜନା ସବୁ ଫେଲ୍ ମାରିଲା। ସେତେବେଳକୁ ଅମିତାଭ ବଚ୍ଚନ କରଜରେ ବୁଡ଼ି ଯାଇଥିଲେ। ସେହି ସମୟରେ ଅମିତାଭ ବଚ୍ଚନଙ୍କ ଋଣର ପରିମାଣ ଥିଲା ପ୍ରାୟ ୯୦ କୋଟି।

ପ୍ରତିଦିନ ଋଣଦାତାମାନେ ଅମିତାଭ ବଚ୍ଚନଙ୍କ ଘରକୁ ଆସି ଟଙ୍କା ମାଗୁଥିଲେ। କିନ୍ତୁ ନିରାଶ ହୋଇ ଫେରୁଥିଲେ। ସେମାନେ ଅନେକ ସମୟରେ ଅମିତାଭଙ୍କ ଘର ଆଗରେ ଗାଳିଗୁଲଜ ବି କରୁଥିଲେ। ଏଭଳି ପରିସ୍ଥିତି ଉପୁଜିଥିଲା ଯେ ଋଣଦାତାମାନେ ବିଗ୍ ବିଙ୍କ ଘରକୁ ଅକ୍ତିଆର କରିବା ଲାଗି ବି ଧମକ ଦେଉଥିଲେ। ଏଣେ ତାଙ୍କ ଫିଲ୍ମ ବି ଫ୍ଲପ୍ ହେଲା। ଏଣୁ କୌଣସି ପ୍ରଯୋଜକ ଆଉ ତାଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ନ ଥିଲେ। ତାହା ତାଙ୍କ ଲାଇପ୍‌ର କଷ୍ଟକର ସମୟ ଥିଲା।

ବିଗ୍ ବି ଦିନେ ୟଶ ଚୋପ୍ରାଙ୍କ ଘରକୁ ଯାଇ ତାଙ୍କୁ କାମ ମାଗିଲେ। ୟଶ ଚୋପ୍ରା ’ମୋହବତେଁ’ରେ ଅମିତାଭ ବଚ୍ଚନଙ୍କୁ କାମ ଦେଲେ। ସେହି ସମୟରେ ତାଙ୍କ ପାଖକୁ ’କୌନ୍ ବନେଗା କରୋଡପତି’ (କେବିସି)ର ଅଫର୍ ଆସିଲା। ବିଗ୍ ବିଙ୍କୁ ଟଙ୍କା ଦରକାର ଥିଲା, ଋଣ ଶୁଝିବା ପାଇଁ। ଏଣୁ ସେ ତତ୍‌କ୍ଷଣାତ୍‌ ରାଜି ହୋଇଗଲେ। ଏଥିରୁ ମିଳୁଥିବା ଅର୍ଥରେ ଅମିତାଭ ବଚ୍ଚନ ଋଣ ଶୁଝି ଦେଇ ଋଣମୁକ୍ତ ହୋଇଥିଲେ।

Comment