ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ହେଲେ ଏହି ଦିବସ କଥା ଆସିଲେ ମନରେ ପ୍ରଶ୍ନ ଉଠେ କାହିଁକି ଏହି ଦିବସ ପାଳନ ହେଉଛି?  କ’ଣ ସମସ୍ୟା ଥିଲା ଯେଉଁଥିପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କୁ ସମ୍ମାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା?

ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଧିକାର ପାଇବା ପାଇଁ ବହୁ ଦିନର ସଂଘର୍ଷରତ। ଇଉରୋପରେ ଉନବିଂଶ ଶତାବ୍ଦୀର ଆଦ୍ୟ ଭାଗ ପର୍ଯ୍ୟନ୍ତ ମହିଳାମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଗଣାଯାଉଥିଲେ।

ସ୍ୱାଧୀନ ମତ ପୋଷଣ, ଭୋଟ ଦେବାର ଅଧିକାର ବି ନଥିଲା। ବିଶ୍ୱର ଅନେକ ବଡ଼ ବଡ଼ ଦେଶରେ ମଧ୍ୟ ଏହି ସମାନ ପରିସ୍ଥିତି ରହିଥିଲା। ଶିକ୍ଷା ଅନେକ ପରିମାଣରେ ସୀମିତ ଥିଲା। ତା’ପରେ ପୁରଷଙ୍କ ସହ ସମାନ ଅଧିକାର ପାଇବା ପାଇଁ ମହିଳାମାନେ ଆନ୍ଦୋଳନ ଆରମ୍ଭ କରିଥିଲେ।

ତେବେ ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଗଲା। ଏହା ମହିଳାମାନଙ୍କ ଅଧିକାର ସମ୍ପର୍କିତ ଦିବସ।

ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କର ରାଜନୀତିକ, ସାମାଜିକ ଏବଂ ଆର୍ଥିକ ବିକାଶ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବାଇଗଣୀ ରିବନ ଏହି ଦିନର ପ୍ରତୀକ।

 

Comment