ଓଡ଼ିଶାଲାଇଭ୍‌ ବ୍ୟୁରୋ

 

(କଟକରୁ ପ୍ରଣବ କୁମାର ନନ୍ଦୀ): ଭାଗ୍ୟ ଓ ଭବିଷ୍ୟତ ଆଗୁଆ ଜାଣିବା ପାଇଁ ମଣିଷ ମନରେ ଲାଗି ରହିଥାଏ ପ୍ରବଳ ଉତ୍କଣ୍ଠା। ସେଥିପାଇଁ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ବହୁ ବ୍ୟକ୍ତି ଧାଇଁଥାନ୍ତି ଜ୍ୟୋତିଷମାନଙ୍କ ପାଖକୁ।

ନାମୀ ଦାମୀ ହୋଟେଲଠାରୁ ଆରମ୍ଭ କରି ରାସ୍ତା କଡ଼ ପର୍ଯ୍ୟନ୍ତ ସବୁଠାରେ ମିଳିଥାନ୍ତି ଏହି ଭବିଷ୍ୟବକ୍ତାମାନେ। ପ୍ରେମ, ବିବାହ, ଚାକିରି, ପଦୋନ୍ନତି, ମାଲି ମକଦ୍ଦମା, ସ୍ୱାସ୍ଥ୍ୟ ସମସ୍ୟା, ଧନୀ ହେବାର ଆଶା ନେଇ ସମାଜର ବିଭିନ୍ନ ବର୍ଗର ଲୋକ ଏହି ଜ୍ୟୋତିଷମାନଙ୍କ ପାଖକୁ ଆସିଥାନ୍ତି ।

ବିଶେଷକରି କଟକ ରେଳ ଷ୍ଟେସନ ପାଖ, ବାରବାଟୀ ଷ୍ଟାଡିୟମ ନିକଟ, ହାଇକୋର୍ଟ ଛକ, ଯୋବ୍ରାସ୍ଥିତ ନୈାବାଣିଜ୍ୟ କେନ୍ଦ୍ର ନିକଟରେ ଏହି ଫୁଟପାଥର ଜ୍ୟୋତିଷମାନଙ୍କୁ ଦେଖିବାକୁ ମିଳିଥାଏ। ଏମାନେ ସାଧାରଣତଃ ଅବଧାନ ବା ଗ୍ରହ ବିପ୍ର ଭାବେ ପରିଚିତ ଥାଆନ୍ତି।

ମଧ୍ୟାହ୍ନ ସମୟରେ କଟକ ରେଳ ଷ୍ଟେସନ ପ୍ରବେଶ ପଥର ପ୍ରାଚୀର ନିକଟରେ ଆସନ ପକାଇ ବସିଥାନ୍ତି ଜଣେ ଜ୍ୟୋତିଷ। ନାମ ଡମ୍ବରୁ ନାୟକ। ବେକରେ ରୁଦ୍ରାକ୍ଷ ମାଳ, କପାଳରେ ଚନ୍ଦନ ଟିକା ଓ ଲଲାଟରେ ସିନ୍ଦୁର ଟୋପା। ଜ୍ୟୋତିଷଙ୍କ ସମ୍ମୁଖରେ ରହିଥାଏ ହସ୍ତରେଖା ଚିତ୍ରିତ ଏକ ପୋଷ୍ଟର, ତାଳପତ୍ର ପୋଥି, ପାଞ୍ଜି, ଲେଖନୀ ଓ ଜବକାଚ ଇତ୍ୟାଦି।

ହାତ ଦେଖାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହୋଇଥାନ୍ତି କିଛି ବ୍ୟକ୍ତି। ଜ୍ୟୋତିଷଙ୍କ କହିବା ଅନୁଯାୟୀ ଯୁବ ଗୋଷ୍ଠୀ ଓ ବହୁ ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତ ଜାଣିବା ପାଇଁ ତାଙ୍କ ପାଖକୁ ଆସିଥାନ୍ତି। ପ୍ରେମରେ ସଫଳତା ଓ ବିବାହ ସମ୍ବନ୍ଧରେ ଜାଣିବା ପାଇଁ ଉତ୍ସୁକ ଯୁବକ/ଯୁବତୀମାନେ ମୁଖ୍ୟତଃ ପ୍ରଶ୍ନ କରିଥାନ୍ତି।  ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଆଗୁଆ ଜାଣିବା ପାଇଁ ମଧ୍ୟ ଆସିଥାନ୍ତି। ଶିକ୍ଷିତ ବେକାର ଯୁବକମାନଙ୍କୁ ମୁଖ୍ୟତଃ ପ୍ରଶ୍ନ ରହିଥାଏ କେବେ ଚାକିରି ମିଳିବ? ଏହାଛଡ଼ା ମଧ୍ୟ ବୟସ୍କ ଲୋକମାନେ ପରିବାର ସମସ୍ୟା, କନ୍ୟାର ବିବାହ, ଚାକିରିରେ ପଦୋନ୍ନତି ସଂପର୍କରେ ପ୍ରଶ୍ନ ପଚାରିଥାନ୍ତି।

ଜ୍ୟୋତିଷ ଜଣକ ହାତ ଦେଖିବାକୁ ୫୦ ଟଙ୍କା, ଜାତକ ଦେଖିବାକୁ ୧୦୦ ଟଙ୍କା, ନୂତନ ଜାତକ କରିବା ପାଇଁ ୩୦୦ ଟଙ୍କା ଓ ଗ୍ରହ ଶାନ୍ତି ପୂଜା ପାଇଁ ୫୦୦ ଟଙ୍କା ନେଇଥାନ୍ତି। ଜ୍ୟୋତିଷ ଶ୍ରୀ ନାୟକ ଦିନକୁ ୩୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି ବୋଲି କହିଛନ୍ତି।

ସେହିପରି ହାଇକୋର୍ଟ ଛକରେ ଜ୍ୟୋତିଷ ନରେନ୍ଦ୍ର ଓଝା ଓ ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଏକ ବୃକ୍ଷମୂଳେ ଫୁଟପାଥରେ ବସିଥିବା ଜ୍ୟୋତିଷ ଦଇତାରୀ ମହାପାତ୍ରଙ୍କ ମଧ୍ୟ ବେପାର ଭଲ ଚାଲିଛି ବୋଲି କହିଛନ୍ତି। ଜ୍ୟୋତିଷ ଓଝାଙ୍କ ପାଖକୁ ମୁଖ୍ୟତଃ ମାଲିମକଦ୍ଦମାରେ ଜିତାପଟ ହେବ କି ନାହିଁ ଜାଣିବା ପାଇଁ ବହୁ ବ୍ୟକ୍ତି ଆସିଥାନ୍ତି। ଚାକିରି ସମସ୍ୟା , ସ୍ୱାସ୍ଥ୍ୟ ସମସ୍ୟା ଓ ବିତ୍ତଶାଳୀ ହେବାର ଆଶା ନେଇ ବହୁ ବ୍ୟକ୍ତି ମହାପାତ୍ରଙ୍କୁ ହାତ ଦେଖାଇଥାଆନ୍ତି ବୋଲି ସେ କହିଛନ୍ତି। ବିବାହ ଲଗ୍ନ, ଜାତକ ମେଳକ ଓ ପାରିବାରିକ ସମସ୍ୟା ନେଇ ମଧ୍ୟ କିଛି ଲୋକ ଆସିଥାନ୍ତି। ସେହିପରି ନିର୍ବାଚନୀ ଋତୁରେ ଏହି ଭବିଷ୍ୟବକ୍ତାମାନଙ୍କର ଚାହିଦା ବଢିଯାଇଥାଏ। ଟିକେଟ ମିଳିବା  ଓ ପରେ ନିର୍ବାଚନ ଫଳାଫଳ ସେମାନଙ୍କ ସପକ୍ଷରେ ଯିବ କି ନାହିଁ ପ୍ରଭୃତି ବିଷୟ ଜାଣିବା ପାଇଁ ବହୁ ନେତା ଏହି ଭବିଷ୍ୟବକ୍ତାମାନଙ୍କର ଶରଣାପନ୍ନ ହୋଇଥାନ୍ତି। ଏହି ସମୟରେ ଏହି ଜ୍ୟୋତିଷମାନଙ୍କର ଭଲ ରୋଜଗାର ହୋଇଥାଏ।

 

ଦିନ ୧୦ଘଟିକାରୁ ଅପରାହ୍‌ଣ ୫ ଘଟିକା ପର୍ଯ୍ୟନ୍ତ ଏହି ଜ୍ୟୋତିଷମାନେ ରାସ୍ତାକଡ଼ରେ ବସି ଲୋକମାନଙ୍କୁ ସେମାନଙ୍କର ଭବିଷ୍ୟତ ବତାଇଥାନ୍ତି। ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ। ଏହାଛଡ଼ା ସହରରେ ବେଳେବେଳେ କିଛି ଜ୍ୟୋତିଷ ଶୁଆ ଓ ଷଣ୍ଢ ଦ୍ୱାରା ଲୋକମାନଙ୍କୁ ସେମାନଙ୍କର ଭବିଷ୍ୟତ ଜଣାଇଥାନ୍ତି।

ହାତ ଦେଖାଇ ଫେରୁଥିବା ଜଣେ ଉଚ୍ଚ ଶିକ୍ଷିତ ବେକାରୀ ଯୁବକଙ୍କ ମତରେ ଏହି ଭବିଷ୍ୟବାଣୀ ତାଙ୍କ ପାଇଁ କେତେ ସତ ବା ମିଛ ହେବ ସେ ବିଷୟରେ ତାଙ୍କର ଚିନ୍ତା ନାହିଁ। ମାତ୍ର ତାଙ୍କ ବିଷୟରେ ଜ୍ୟୋତିଷ କରିଥିବା ଭବିଷ୍ୟବାଣୀ ତାଙ୍କୁ ଆଶା ଓ ଆଶ୍ୱାସନା ଦେବା ସହିତ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଭବିଷ୍ୟରେ ଏହା ତାଙ୍କ ଜୀବନ ସଂଗ୍ରାମରେ ଲେଢ଼େଇ ପାଇଁ ଉତ୍ସାହ ଓ ଉଦ୍ଦୀପନା ଯୋଗାଇବ ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟମାନଙ୍କ ଭାଗ୍ୟ ଓ ଭବିଷ୍ୟତ ବତାଉଥିବା ଏହି ଫୁଟପାଥର ଭବିଷ୍ୟବକ୍ତାମାନେ ପ୍ରତିଦିନ ନିଜ ଭବିଷ୍ୟତ ପାଇଁ ସଂଗ୍ରାମ ଜାରି ରଖିଛନ୍ତି।

Comment