ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ଆଜି ସବୁ ରାଜନୈତିକ ଦଳକୁ ଚରମ ବାଣୀ ଶୁଣାଇଛନ୍ତି। ନିର୍ବାଚନ ପ୍ରଚାରରେ ଦେଶର ସୁରକ୍ଷାରେ ନିୟୋଜିତ ସୈନିକମାନଙ୍କ ଫଟୋ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି କୌଣସି ଦଳ ନିର୍ବାଚନ ପ୍ରଚାରରେ ସୈନିକମାନଙ୍କ ଫଟୋ ବ୍ୟବହାର କରୁଥିବା ଅଭିଯୋଗ ଆସେ ତାହାଲେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୨୦୧୩ରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଲେଖାଯାଇଥିବା ଏକ ଚିଠିକୁ ଆଧାର କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ଯବାନମାନେ ହେଉଛନ୍ତି ଜାଗ୍ରତ ପ୍ରହରୀ। ରାଜନୀତିଠାରୁ ସେମାନେ ଉଚ୍ଚରେ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଯବାନମାନଙ୍କ ଭୂମିକା ନିରପେକ୍ଷ। ଏଣୁ ସେମାନଙ୍କ ଫଟୋକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ଅନୁଚିତ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଯବାନମାନଙ୍କ ଫଟୋକୁ କିଛି ରାଜନୀତିକ ଦଳ ପ୍ରଚାର ବେଳେ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ହଟଚମଟ ଲାଗି ରହିଛି। ଏନେଇ କିଛି ରାଜନୀତିକ ଦଳ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ନିର୍ବାଚନ ତାରିଖ ଘୋଷଣାକୁ ନେଇ ଆଜି ନିର୍ବାଚନ କମିଶନ ୩ ଘଣ୍ଟା ମାରାଥନ ବୈଠକ କରିଥିଲେ। ୭ରୁ୮ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ତେବେ କେବେ ତାରିଖ ଘୋଷଣା କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅସନ୍ତା ଦୁଇ ତିନି ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ପ୍ରାୟ ରବିବାର ହିଁ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିବା ରେକର୍ଡ ରହିଛି। ଏଣୁ ରବିବାର ଉପରେ ସମସ୍ତଙ୍କ ନଜର ରହିଛି।

Comment