ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଗିରଫ ହେଉ ହେଉ ପ୍ରକାଶଙ୍କୁ ନିଲମ୍ବନ କଲା ବିଜେଡି।

ନିର୍ବାଚନ ଯେତିକି ନିକଟତର ହେଉଛି ବିଜୁ ଜନତା ଦଳ ସେତିକି ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛି। ଏହାର ନମୁନା ଦେଖିବାକୁ ମିଳିଛି ସହିଦ ନଗର ଥାନା ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ ଘଟଣାରେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବ ନେତା ପ୍ରକାଶ ତ୍ରିପାଠୀଙ୍କୁ ପୋଲିସ ଗିରଫ କରିବା ପରେ ବିଜେଡି ତାଙ୍କ ହାତ ଛାଡ଼ି ଦେଇଛି।

ଗିରଫ ହେବାର ମାତ୍ର ଅଳ୍ପ କିଛି ସମୟ ଭିତରେ ବିଜୁ ଯୁବ ଜନତା ଦଳର ଉପସଭାପତି ପଦରୁ ତାଙ୍କୁ ନିଲମ୍ବିତ କରି ବିଜେଡି ନିଜକୁ ସୁରକ୍ଷିତ ରଖିଛି। ପ୍ରକାଶଙ୍କ ହାତଛାଡ଼ି ଦେଇ ବିରୋଧୀଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ଦେଇନି ଦଳ।

ଖାଲି ସେତିକି ନୁହେଁ, ଗିରଫ ହେବା ପରେ ପ୍ରକାଶଙ୍କୁ କମିଶନରେଟ ପୋଲିସ ଯେଉଁଭଳି ଟ୍ରିଟମେଣ୍ଟ କରିଛି ତାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। ଥାନାରେ ପ୍ରକାଶଙ୍କୁ ପୋଲିସ ସିଲଟ ଧରାଇ ଜଣେ ଦୁର୍ଦ୍ଦାନ୍ତ ଭାବେ ଅଭିହିତ କରିଛି। ବିଜେଡିର ଜଣେ ଆଗଧାଡ଼ିର ଯୁବନେତାଙ୍କୁ ପୋଲିସ ଏଭଳି ଚର୍ଚ୍ଚା କରିବା ପଛରେ ରାଜନୀତି ରହିଥିବା କୁହାଯାଉଛି।

ଅତୀତରେ ବିଭିନ୍ନ କାରଣ ପାଇଁ ଶାସକ ଦଳର ଯେଉଁ କିଛି ନେତାଙ୍କୁ ପୋଲିସ ଗିରଫ କରିଥିଲା ସେମାନଙ୍କୁ ପୋଲିସ ଏମିତି ଦଣ୍ଡ ଦେଇ ନଥିଲା, ଯେମିତି ପ୍ରକାଶଙ୍କୁ ଦିଆଯାଇଛି। ଏଣୁ ଏହା ପଛରେ ବିଜେଡିର ଗୋଟିଏ ଗୋଷ୍ଠୀର ହାତ ରହିଥିବା ଏବେ ରାଜନୀତି କରିଡରରେ ଆଲୋଚନାର ବିଷୟ ପାଲଟିଛି।

ସବୁଠୁ ବଡ଼ କଥା ହେଉଛି ସିଲଟ ଧରିବା ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ବିଜୁ ଯୁବ ଜନତା ଦଳର ଦୁଇ ଗୋଷ୍ଠୀ ଭିତରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ହିଁ ଏହାର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶ ତ୍ରିପାଠୀ ବିଜୁ ଯୁବ ଜନତା ଦଳର ଜଣେ ସାଧାରଣ ନେତା ନଥିଲେ। ସେ ଥିଲେ ଉପ-ସଭାପତି। ଗତ ଦୁଇ ବର୍ଷ ତଳେ ବିଜୁ ଯୁବ ଜନତା ଦଳରେ ଯେଉଁ ଅଦଳ ବଦଳ ହୋଇଥିଲା ସେଥିରେ ପ୍ରକାଶଙ୍କୁ ଉପ-ସଭାପତି କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା ପ୍ରକାଶ ଯୁବ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଥିଲେ।

କିନ୍ତୁ ସହିଦ ନଗର ଥାନା ଆକ୍ରମଣ ଘଟଣାରେ ଏବେ ତାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଗତ ୬ ତାରିଖ ରାତିରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ସହିଦନଗର ଥାନା ପୋଲିସ। ତାଙ୍କୁ ଛଡ଼ାଇ ଆଣିବା ପାଇଁ କିଛି ଯୁବକ ଯାଇଥିଲେ ଥାନାକୁ।

ହେଲେ ପୋଲିସ ସେମାନଙ୍କ କଥା ନଶୁଣିବାରୁ ଯୁକ୍ତିତର୍କ ବଢ଼ିଥିଲା। ଶେଷରେ ରାତି ଅଧରେ ଥାନାରେ ଲଙ୍କା କାଣ୍ଡ ଘଟାଇଥିଲେ ଯୁବକମାନେ। ଥାନାରେ ଭଙ୍ଗାରୁଜା କରିବା ସହ ପୋଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଫେରାର ଥିଲେ। ପୋଲିସ ତାଙ୍କର ପତ୍ତା ପାଉ ନଥିଲା। ବିରୋଧୀ ଦଳ ଚାପ ପ୍ରୟୋଗ କରିବାରୁ ଏବଂ ଥାନା ଆକ୍ରମଣକୁ ନିନ୍ଦା କରିବା ପରେ ଗିରଫ ହୋଇଛନ୍ତି ପ୍ରକାଶ। ଗିରଫ ହେଉ ହେଉ ଏହି ଯୁବନେତାଙ୍କ ହାତ ଛାଡ଼ି ଦେଇଛି ବିଜେଡି।

ଆଗକୁ ଆସୁଛି ନିର୍ବାଚନ। ନିର୍ବାଚନ କମିଶନ କୌଣସି ମୁହୂର୍ତ୍ତରେ ବିଗୁଲ ବଜାଇ ପାରନ୍ତି। ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଏବଂ ଭୋଟରଙ୍କ ନିକଟତର ହେବା ପାଇଁ ବିଜେଡି କୌଣସି ସୁଯୋଗକୁ ହାତଛଡ଼ା କରୁନାହିଁ।

ବିଜେଡିର ଛାମୁଆ ଯୁବ ଓ ଛାତ୍ର ସଙ୍ଗଠନ ପ୍ରଚାର ଅଭିଯାନକୁ ବିଭିନ୍ନ ସ୍ଥାନରେ ଜୋରଦାର କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ଯୁବ ନେତା ପ୍ରକାଶ ତ୍ରିପାଠୀ ବିବାଦୀୟ ହୋଇପଡ଼ିବାରୁ ତାଙ୍କୁ ନିଲମ୍ବିତ କରି ବିଜେଡି ନିଜକୁ ସ୍ୱଚ୍ଛ ବୋଲି ପ୍ରମାଣିତ କରିବାକୁ ଚାହିଁଛି।

Comment