ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ମହାରଥୀ ଏବଂ ଯୁଧିଷ୍ଠିରଙ୍କୁ ନେଇ ପିପିଲି ରାଜନୀତି ଉଠୁଛି ପଡୁଛି।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଢ଼ି ଯାଇଛି ରାଜ୍ୟ ରାଜନୀତିର ପାରଦ। କିଏ ଟିକେଟ ପାଇବ ଏବଂ କାହାକୁ ଟିକେଟ ଦେଲେ ଦଳ ଜିତିବ ତାକୁ ନେଇ ସବୁଠୁ ଅଙ୍କ କଷା ଚାଲିଥିବା ବେଳେ ଏଥର ପିପିଲିରୁ କିଏ ବାଜି ମାରିବ ତାକୁ ନେଇ ଚର୍ଚ୍ଚା ଚାଲିଛି।

ପିପିଲିରୁ ଏଥର ପ୍ରଦୀପ ମହାରଥୀ ନା ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯୁଧିଷ୍ଠିତ ସାମନ୍ତରାୟ ବାଜି ମାରିବେ ତାହା ଏବେ ରାଜନୀତି ପରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀ ଜିଲ୍ଲାର ସବୁଠୁ ହଟ୍‌ ସିଟ୍ ହେଉଛି ପିପିଲି। ନିର୍ବାଚନ ଆସିଲେ ଏହି ନିର୍ବାଚନ ମଣ୍ଡଳୀର ପାଣିପାଗ ଗରମ ହୋଇଯାଇଥାଏ। ନିର୍ବାଚନ ଜିତିବା ପାଇଁ ଏଠି ବିଜେଡି ଏବଂ କଂଗ୍ରେସ ସମର୍ଥକଙ୍କ ଭିତରେ ବଳ କଷାକଷି ଆରମ୍ଭ ହୋଇଥାଏ। ଏବେ ୨୦୧୯ ନିର୍ବାଚନ ପାଇଁ ମଧ୍ୟ ପିପିଲିରେ ମାହୋଲ ସରଗରମ ରହିଛି।

ପିପିଲି ଆସନ ହାତେଇବା ପାଇଁ ପ୍ରଦୀପ ମହାରଥୀଙ୍କ ସମର୍ଥକ ଏବଂ ଯୁଧିଷ୍ଠିର ସାମନ୍ତରାୟଙ୍କ ସମର୍ଥକଙ୍କ ଭିତରେ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି। ଉଭୟ ନେତା ଲୋକଙ୍କ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ଅଛନ୍ତି।

ବିଜେପି ବି ପଛରେ ପଡ଼ିନି। ଆଶ୍ରିତ ପଟ୍ଟନାୟକ ଏବଂ ବିକାଶ ପଟ୍ଟନାୟକ ବିଜେପିର ମଙ୍ଗ ଧରିଛନ୍ତି। ଏହି ଦୁଇ ଜଣଙ୍କ ଭିତରୁ କିଏ ଟିକେଟ ନେବ ତାହା ଏବେ ବିଜେପି ପାର୍ଟି ଅଫିସରେ ଝୁଲିକି ଅଛି।

ବିବାଦରେ ମହାରଥୀ, ତଥାପି ୬ ଥର ବିଧାୟକ

ଜନତା ଦଳ ଅମଳରୁ ପ୍ରଦୀପ ମହାରଥୀ ପିପିଲିକୁ ନିଜ କବ୍‌ଜାରେ ରଖି ଆସିଛନ୍ତି। ନିଜର ଲଗାମହୀନ ମନ୍ତବ୍ୟ ଏବଂ ନିର୍ବାଚନମଣ୍ଡଳୀରେ କାମ କରିବାର ଶୈଳୀ ପାଇଁ ସବୁବେଳେ ବିବାଦରେ ରହି ଆସୁଛନ୍ତି ପ୍ରଦୀପ ମହାରଥୀ। ତଥାପି ପିପିଲିବାସୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ୬ ଥର ବିଧାୟକ ଭାବେ ନିର୍ବାଚିତ କରିଛନ୍ତି।

୧୯୮୫ରୁ ବିଧାୟକ ଭାବେ ଜିତି ଆସୁଥିବା ମହାରଥୀଙ୍କ ପାଇଁ ୨୦୧୯ ନିର୍ବାଚନ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ନାରୀମାନଙ୍କ ପ୍ରସଙ୍ଗରେ ଅଶାଳୀନ ମନ୍ତବ୍ୟ, ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟକୁ ସ୍ୱାଗତ କରି ଅଡୁଆରେ ପଡ଼ିଥିଲେ ମହାରଥୀ। ଏଥିପାଇଁ ତାଙ୍କ ମନ୍ତ୍ରୀ ପଦ ବି ଚାଲି ଯାଇଛି।

ଏହିସବୁ କାରଣ ପାଇଁ ମହାରଥୀଙ୍କୁ ବିଜେଡି ଟିକେଟ ଦେବାକୁ ଚାହୁଁ ନଥିବା ଚର୍ଚ୍ଚା ହେଉଛି। ମହାରଥୀଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ କିମ୍ବା ପୁଅକୁ ଟିକେଟ ଦେବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ଲବି ଚଳାଇଛନ୍ତି। କିନ୍ତୁ ସମର୍ଥକମାନଙ୍କ କହିବା କଥା ଯେ ପୁଣି ମହାରଥୀ ଟିକେଟ ପାଇବେ ଏବଂ ନିର୍ବାଚନ ଜିତିବେ।

ଯୁଧିଷ୍ଠିର ବି ଚିନ୍ତାରେ

ପ୍ରଦୀପ ମହାରଥୀଙ୍କୁ ଟକ୍କର ଦେଇ ଆସୁଥିବା କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ମାତ୍ର ଥରଟିଏ ବିଧାୟକ ହେବାର ସୁଯୋଗ ପାଇଛନ୍ତି। ମହାରଥୀଙ୍କ ଗଡ଼ ଭାଙ୍ଗିବା ପାଇଁ ବାରମ୍ବାର ଗୋଟି ଚାଳନା କରି ଫେଲ୍ ମାରିଥିବା ଯୁଧିଷ୍ଠିର କିନ୍ତୁ ଏବେ ଟିକେଟ ପାଇବେ କି ନାହିଁ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ଯୁଧିଷ୍ଠିର ପୁରୁଣା ମାମଲାରେ ବାରମ୍ବାର ଜେଲ୍ ଯାଇ ଥିବାରୁ କଂଗ୍ରେସ ପାଇଁ ସେ ମହଙ୍ଗା ପଡ଼ିପାରନ୍ତି ବୋଲି କୁହାଯାଉଛି। ଏଣୁ ଯୁଧିଷ୍ଠିରଙ୍କ ସ୍ଥାନରେ କଂଗ୍ରେସ ନୂଆ ମୁହଁ ଖୋଜୁଛି। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ଅଜିତ ମଙ୍ଗରାଜ, ଜ୍ଞାନ ପଟ୍ଟନାୟକ ଏବଂ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

ହେଲେ ବିଜେଡି ଯଦି ମହାରଥୀଙ୍କୁ ପ୍ରୋଜେକ୍ଟ କରେ ତାହାଲେ କଂଗ୍ରେସ ଯୁଧିଷ୍ଠିରଙ୍କୁ ପ୍ରାର୍ଥୀ କରିବ। କାରଣ କେବଳ ପିପିଲିରେ ମହାରଥୀଙ୍କୁ ହିଁ ଯୁଧିଷ୍ଠିର ଟକ୍କର ଦେଇପାରିବେ।

ବିଜେପିର ନୂଆ ମୁହଁ!

୨୦୧୪ରେ ପିପିଲିରୁ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ୨୦୧୯ ନିର୍ବାଚନ ପାଇଁ ଦୁଇ ଜଣ ନୂଆ ମୁହଁ ସାମ୍ନାକୁ ଆସିଛନ୍ତି। ଆଶ୍ରିତ ପଟ୍ଟନାୟକ ଏବଂ ବିକାଶ ପଟ୍ଟନାୟକ ସମାନ୍ତରାଳ ସଙ୍ଗଠନ କରି ପିପିଲି ରାଜନୀତିକୁ ସରଗରମ କରିଛନ୍ତି।

ଆଶ୍ରିତ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥିତ ପିପିଲି ବ୍ଲକର ଅଧ୍ୟକ୍ଷ ଥିଲେ। ଏହାସହ ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ଜିଲ୍ଲାପରିଷଦ ନିର୍ବାଚନ ଜିତିଥିଲେ। ହେଲେ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ ନଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ। ଫଳରେ କଂଗ୍ରେସ ଭୋଟ ଦୁଇ ଭାଗ ହୋଇଥିଲା। ଏବେ ସେ ଆସି ବିଜେପିର ମଙ୍ଗ ଧରିଛନ୍ତି।

ଏପଟେ ପୂର୍ବତନ ବିଧାୟକ ରାମଚନ୍ଦ୍ର ପଟ୍ଟନାୟକଙ୍କ ନାତି ବିକାଶ ପଟ୍ଟନାୟକ ବି ବିଜେପି ଟିକେଟ ନେବାକୁ ସଙ୍ଗଠନ ସୁଦୃଢ଼ କରୁଛନ୍ତି।

ତିନି ଦଳରୁ କିଏ ଟିକେଟ ପାଇବ ତାହା ଚୂଡ଼ାନ୍ତ ହୋଇନାହିଁ। ଟିକେଟ ପାଇବା ପରେ ହିଁ ସ୍ପଷ୍ଟ ହେବ ପିପିଲିକୁ କିଏ କବ୍‌ଜା କରୁଛି।

Comment