ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ  

ବିଜେଡି ଟିକେଟ ନେବାକୁ ନବୀନ ନିବାସରେ ନେତ୍ରୀଙ୍କ ଭିଡ଼।

ଓଡ଼ିଶାରେ ଏକାଠି ହେବ ବିଧାନସଭା ଏବଂ ଲୋକସଭା ନିର୍ବାଚନ। ଏନେଇ ତାରିଖ ଘୋଷଣା ସରିଛି ଏବଂ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ହେଲେ କେଉଁ ଦଳରୁ କିଏ ଟିକେଟ ପାଇବ ତାହା ଚୂଡ଼ାନ୍ତ ହୋଇନାହିଁ।

କଂଗ୍ରେସର ପ୍ରାର୍ଥୀ ତାଲିକା ଦିଲ୍ଲୀ ଯାଇଥିବା ବେଳେ ବିଜେପି ଟିକେଟ ଅଙ୍କ କଷୁଛି। ବିଜେଡି ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀମାନେ ନବୀନ ନିବାସରେ ଭିଡ଼ ଳଗାଇଛନ୍ତି। ୭ଟି ଲୋକସଭା ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ନେତ୍ରୀଙ୍କ ଭିଡ଼ ଆଜି ନବୀନ ନିବାସରେ ପରିଲକ୍ଷିତ ହୋଇଥିଲା।

ବିଜେଡିରେ ଯୋଗ ଦେଲେ ନୀଳଗିରି ବିଜେପି ନେତ୍ରୀ ସୁଷମାରାଣୀ ବିଶ୍ୱାଳ।

ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ସାଂସଦ ରୀତା ତରାଇ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରମୁଖଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା।

ଏମାନେ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଥିବା କୁହାଯାଉଛି।

ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ବିଜେଡିରେ ଯୋଗଦାନ।

ନବୀନ ୭ଟି ଲୋକସଭା ଆସନରୁ ମହିଳା ପ୍ରାର୍ଥୀ ଛିଡ଼ା କରିବାକୁ ଚାହୁଁଛନ୍ତି। ତେବେ କେଉଁ କେଉଁ ଆସନ ତାହା ସ୍ପଷ୍ଟ ହୋଇନାହିଁ। ଚର୍ଚ୍ଚା ହେଉଛି ଯେ ସୁନ୍ଦରଗଡ଼, ଯାଜପୁର, ମୟୂରଭଞ୍ଜ, ଜଗତସିଂହପୁର, ବ୍ରହ୍ମପୁର, କନ୍ଧମାଳ ଏବଂ ଆବଶ୍ୟକ ପଡ଼ିଲେ କେନ୍ଦୁଝର ଲୋକସଭା ଆସନରୁ ବିଜେଡି ମହିଳା ପ୍ରାର୍ଥୀ ଦେଇପାରେ।

ଏଣୁ ଏହି ଆସନରୁ ପ୍ରାଥୀ ହେବା ପାଇଁ ଆଶାୟୀଙ୍କ ଭିଡ଼ ନବୀନ ନିବାସରେ ଲାଗୁଛି।

“ମୁଖ୍ୟମନ୍ତ୍ରୀ ମତେ ପୁଣିଥରେ ସୁଯୋଗ ଦେବେ ବୋଲି ଆଶା ରହିଛି। କନ୍ଧମାଳବାସୀଙ୍କ ଭଲପାଇବା ଯୋଗୁଁ ମୁଁ ଲୋକସଭାକୁ ଯାଇଛି। ୨୦୧୯ରେ ପୁଣିଥରେ ମତେ ସୁଯୋଗ ମିଳିବ ବୋଲି ଆଶା ରହିଛି”, କହିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ।

Comment