ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ  

ଭାରତୀୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବାର ଦିନକ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ିଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି।

ବିଜେଡି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେପି ଅଭିଯୋଗ ଆଣିଥିବା ବେଳେ ବିଜେଡି ଚାରି ପର୍ଯ୍ୟାୟ ନିର୍ବାଚନ କାହିଁକି ହେଲା ପ୍ରଶ୍ନ କରି କେନ୍ଦ୍ରର ବିଜେପି ସରକାରକୁ ତୀର ମାରିଛି।

ବିଜେପି-ବିଜେଡିର ଏହି ଆରୋପ ପ୍ରତ୍ୟାରୋପକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି।

ବିଜେପି ଅଭିଯୋଗ କରିଛି ଯେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ରାଜ୍ୟ ସରକାର କଣ୍ଟ୍ରୋଲ ଡିଲରମାନଙ୍କୁ ଆୟୁଧ କରିଛନ୍ତି। କଣ୍ଟ୍ରୋଲ ଡିଲରଙ୍କ ସହାୟତାରେ ବିଜେଡି ୪ଟି ଲେଖାଏଁ ଏଲଇଡି ବଲ୍‌ବ ସହ ଆଇନା ପୁସ୍ତିକା ବଣ୍ଟନ କରୁଛି।

ଏହାସହ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ମାରିଥିବା ହୋଡିଂକୁ ହଟାଇବା ଦାବିରେ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି।

ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, “ରାଜ୍ୟର ଅନେକ ସ୍ଥାନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହୋଡିଂ ଏବଂ ଇଲେକ୍ଟୋନିକ୍ସ ହୋଡିଂ ଲାଗିଛି। ଏହି ହୋଡିଂଗୁଡ଼ିକ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ସହ ଧାରା ୧୭୧ (ଗ) ଅନୁଯାୟୀ ଆଇନତଃ ଅପରାଧ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ୩୫ ଏବଂ ୩୯କୁ ଏହା ଉଲ୍ଲଘଂନ କରୁଛି।”

ଅନ୍ୟପଟେ ରାଜ୍ୟସରକାରଙ୍କ ସମସ୍ତ ଯୋଜନା ରହିଥିବା ପୁସ୍ତିକା ଆଇନା ସରକାରୀ କଳ ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଘରେ ଘରେ ବଣ୍ଟାଯାଉଛି। ଏହା ଉପରେ ଲଗାମ ଲଗାଇବାକୁ ବିଜେପି ଦାବି କରିଛି।

ଏପଟେ ବିଜେଡି କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ବର୍ଷିଛି। ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ।

ଅମର ପଟ୍ଟନାୟକ କହିଛନ୍ତି, “ଯେଉଁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ, ସେଠି ଅଧିକ ପର୍ଯ୍ୟାୟ ଭୋଟ କରାଯାଉଛି।ଆନ୍ଧ୍ରପ୍ରଦେଶ, ଗୁଜୁରାଟରେ ଅଧିକ ସିଟ୍‌ ଥିବା ସତ୍ତ୍ୱେ ସେଠି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। କିନ୍ତୁ ଓଡ଼ିଶାରେ ସେମାନଙ୍କଠୁ କମ୍‌ ସିଟ୍‌ ରହି ମଧ୍ୟ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି।”

Comment