ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବାଜିଛି ନିର୍ବାଚନ ବିଗୁଲ। ସମସ୍ତ ରାଜନୈତିକ ଦଳ ଏଥିପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି। ନିର୍ବାଚନ ନେଇ କେବଳ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ବିଜେପି ଓ ବିଜେଡି ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି।

ସୋମବାର ଏ ନେଇ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ବିଜେଡି ସଭାପତି କହିଛନ୍ତି କି ପକ୍ରିୟା ଜାରି ରହିଛି, ଖୁବ୍‌ ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ନିକଟରେ ଶାସକ ବିଜୁ ଜନତା ଦଳରେ ଅନେକ ପ୍ରଶାସକ ସାମିଲ ହୋଇଛନ୍ତି। ଯେଉଁମାନେ ଟିକେଟ ଆଶାୟୀ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

 

ଏ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଯେତେବେଳେ ବିଜେଡି ସୁପ୍ରିମୋଙ୍କୁ ପଚାରିଥିଲେ କି ଯେଉଁ ପ୍ରଶାସକ ମାନେ ଦଳରେ ସାମିଲ ହୋଇଛନ୍ତି ସେମାନଙ୍କୁ କେମିତି ସନ୍ତୁଷ୍ଟ କରାଯିବ। ଯାହାର ଉତ୍ତର ଦେଇଛନ୍ତି ନବୀନ ପଟ୍ଟନାୟକ। ପ୍ରତ୍ୟକ୍ଷ ଭାବେ ନ ହେଲେ ବି ନବୀନ ସାଙ୍କେତିକ ଭାବେ ଅତି ସଂକ୍ଷିପ୍ତରେ ଏହାର ଉତର ଦେଇଛନ୍ତି। ନବୀନ କହିଛନ୍ତି, “ଉଇ ୱିଲ୍‌ ମ୍ୟାନେଜ୍‌ ୱେଲ୍‌” ଏହି ଉତ୍ତରରୁ ମନେ ହେଉଛି ନବୀନ ଓ ତାଙ୍କ ଦଳ କେଉଁଠୁ କାହାକୁ ଟିକେଟ ଦେବେ ସେ ନେଇ କିଛି ଗୋଟେ ଷ୍ଟାଟେଜି କରିଛନ୍ତି। ଯାହା ଦଳକୁ ସୁହାଇବ।

ବିଗତ କିଛି ଦିନ ମଧ୍ୟରେ ଅଧା ଡଜନ ପ୍ରାୟ ଅଫିସର ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛନ୍ତି। ପୂର୍ବତନ ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ ବିଜେଡିରେ ଯୋଗ ଦେବେ ବୋଲି ବହୁତ ଦିନରୁ ଶୁଣା ଯାଉଥିଲା। ଏବେ ସେ ତାହା କରି ଦେଖେଇଛନ୍ତି।

ସେହିଭଳି ଆଉ ଜଣେ ଅଫିସର ରମେଶ ଚନ୍ଦ୍ର ସାଏ ବି ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦେଶକ ଥିଲେ।

ବସ୍ତୁତଃ, ଏଥର ନିର୍ବାଚନରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେଡି ଅନେକ ବାବୁଙ୍କୁ ଟିକେଟ ଦେବ। ପୂର୍ବରୁ ପ୍ରାକ୍ତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟନାୟକ ଓ ପ୍ରାକ୍ତନ ପମୁଖ  ଅକାଉଣ୍ଟାଣ୍ଟ ଜେନେରାଲ ଅମର ପଟନାୟକ, ପୂର୍ବତନ ଆଇଏଏସ ଅଫିସର ରବି ନନ୍ଦ ଓ ଆକାଶବାଣୀର ପୂର୍ବତନ ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତି ବିଜେଡିରେ ଯୋଗ ଦେଇସାରିଛନ୍ତି। ଏ ସମସ୍ତ ଅଫିସର କୌଣସି ନା କୌଣସି ପ୍ରକାର ଥଇଥାନ ହେବା ଏକରକମ ନିଶ୍ଚିତ ବୋଲି ଜଣାପଡ଼ୁଛି।

Comment