ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକର ସୂକ୍ଷ୍ମ ତାରକସୀ କାମର ଚାହିଦା ସମଗ୍ର ବିଶ୍ୱରେ ଏବେବି ରହିଛି। ଏଣୁ ହଜାର ବର୍ଷର କଟକ ସହରକୁ ରୈାପ୍ୟ ନଗରୀର ମାନ୍ୟତା ଦିଆଯାଇଛି। କଟକ ହେଉଛି ତାରକସୀ କାମର ଏନ୍ତୁଡ଼ିଶାଳ।

(କଟକରୁ ପ୍ରଣବ କୁମାର ନନ୍ଦୀ): ଦିନ ଥିଲା, ସହରର ବହୁ ବଣିଆ କାରିଗର ଏହି ସୂକ୍ଷ୍ମ ତାରକସୀ କାମରେ ନିୟୋଜିତ ହୋଇ ସୁରୁଖୁରୁରେ ସେମାନଙ୍କର ପରିବାର ପ୍ରତିପୋଷଣ କରୁଥିଲେ। କଞ୍ଚାମାଲର ମୂଲ୍ୟ ବୃଦ୍ଧି, କାରିଗରକୁ କମ୍ ପାରିଶ୍ରମିକ ମିଳିବା, ବଜାରର ନକଲି କଲିକତା ତାରକସୀ ସାମଗ୍ରୀର ପ୍ରବେଶ ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଏହି ଶିଳ୍ପ ବର୍ତ୍ତମାନ ରୁଗ୍ଣ ଅବସ୍ଥାରେ ଆସି ପହଞ୍ଚିଛି। ଫଳରେ ବହୁ କାରିଗର ଆଜି ବେକାର ହୋଇ ବସିଛନ୍ତି। ଆଉ କିଛି କାରିଗର ମଧ୍ୟ ଅନ୍ୟ କର୍ମସଂସ୍ଥାନ ସନ୍ଧାନରେ ରହିଛନ୍ତି। ତେଣୁ କ୍ରମେ ଏ ଶିଳ୍ପବିଲୁପ୍ତ ହେବାକୁ ବସିଲାଣି। ସରକାର, ବଣିଆ ସମାଜ ଓ କାରିଗରମାନେ ସଜାଗ ନ ହେଲେ ଏହି ବିଶ୍ୱ ପ୍ରସିଦ୍ଧ ସୂକ୍ଷ୍ମ ତାରକସୀ କାମ ଦିନେ ଓଡ଼ିଶାରୁ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ସୃଷ୍ଟି ହୋଇଛି।

୧୯୬୦ ମସିହାରେ କଟକରେ ତାରକସୀ କାମର ବହୁତ ଆଦର ଥିଲା। ହଜାର ହଜାର ବଣିଆ କାରିଗର ଏହି ଶିଳ୍ପରେ ନିୟୋଜିତ ହୋଇ ସେମାନଙ୍କର ଗୁଜୁରାଣ ମେଣ୍ଟାଉଥିଲେ। ସହରର ବକ୍ସିବଜାର ବଣିଆସାହି, ମାନସିଂପାଟଣା, କାଫଲାବଜାର, ମହମ୍ମଦିଆବଜାର, ରାମଗଡ଼ ପ୍ରଭୃତି ଅଞ୍ଚଳର ବହୁ ବଣିଆ କାରିଗର ଚାନ୍ଦି ଓ ରୂପାରେ ନାନା ପ୍ରକାର ସୂକ୍ଷ୍ମ ତାରକସୀ କାମ କରୁଥିଲେ।

 

କୋଣାର୍କ ମନ୍ଦିର, କୋଣାର୍କ ଚକ୍ର, ପୁରୀ ମନ୍ଦିର, ଜଗନ୍ନାଥ ମୂର୍ତ୍ତି, ଅନ୍ୟାନ୍ୟ ଦେବାଦେବୀଙ୍କ ପ୍ରତି ମୂର୍ତ୍ତି, ମନିବ୍ୟାଗ, ଅତର ଷ୍ଟାଣ୍ଡ, ପାନ ଥାଳିଆ, ଆଷ୍ଟ୍ରେ, ଚାନ୍ଦିର ମୁକୁଟ, ଦେବାଦେବୀଙ୍କ ଗହଣା, ରେଡିଓ, ଶଗଡଗାଡ଼ି, ବ୍ରେସଲେଟ, କାନଫୁଲ, ମୁଣ୍ଡ ଫୁଲ, ମୁଣ୍ଡ ଖୋସା ପାଇଁ ଜୁଈ ଫୁଲ, ଗୋଲାପ ଫୁଲ, ଶାଢ଼ୀ କ୍ଲିପ୍, କୋର୍ଟ ପିନ୍, ଚାନ୍ଦି ମେଢ଼ ଇତ୍ୟାଦି ତିଆରି କରୁଥିଲେ। ବଣିଆମାନେ ଏହାକୁ ତିଆରି କରି ବଡ଼ ବଡ଼ ଶୋ’ରୁମ ମାଲିକ ଓ ବ୍ୟବସାୟୀଙ୍କୁ ଯୋଗାଇ ଉଚିତ୍ ମଜୁରୀ ପାଉଥିଲେ।

୨୦୦୦ ମସିହା ପରେ ଏହି ଶିଳ୍ପରେ ଶୀଥିଳତା ଦେଖାଦେଲା। କଲିକତା ବଜାରରୁ ନକଲି ଧାତୁ (ଜର୍ମାନ ସିଲଭର)ରେ ନିର୍ମିତ ମୋଟା ତାରକସୀ କାମର ବିଭିନ୍ନ ସାମଗ୍ରୀ ଓଡିଶା ବଜାରରେ ପ୍ରବେଶ କଲା। ଏହି ସାମଗ୍ରୀଗୁଡ଼ିକର ମୂଲ୍ୟ ପାରମ୍ପରିକ ତାରକସୀ ସାମଗ୍ରୀ ମୂଲ୍ୟଠାରୁ ଶସ୍ତା ହୋଇଥିବାରୁ କ୍ରେତାମାନଙ୍କ ଦ୍ୱାରା ଏଗୁଡିକ ବେଶ ଆଦୃତ ହେଲା। ବଡ଼ ବଡ଼ ଶୋ’ରୁମ୍ ମାଲିକମାନେ କଲିକତାର ଏହି ନିମ୍ନମାନର ତାରକସୀ ସାମଗ୍ରୀ ଆମଦାନୀ କରି ଭଲ ମୁନାଫା କମାଇଲେ। ଫଳରେ ସହରର କାରିଗରମାନଙ୍କୁ ପୂର୍ବ ଭଳି କାମ ମିଳିଲା ନାହିଁ ଓ ସେମାନଙ୍କୁ ପାରିଶ୍ରମିକ ମଧ୍ୟ କମ୍ ମିଳିଲା। ସେହିପରି ବଜାରରେ ଚାନ୍ଦିର ମୂଲ୍ୟ ବୃଦ୍ଧି ଯାହାକି ବର୍ତମାନ କେଜି ପିଛା ୪୨ ହଜାର ଟଙ୍କା ମଧ୍ୟରେ ରହିଛି, ଏହା ମଧ୍ୟ କାରିଗରଙ୍କ ଜୀବନ ଜୀବିକା ଉପରେ ନକରାତ୍ମକ ପ୍ରଭାବ ପକାଇଲା। ଏଥିସହ ବିମୁଦ୍ରାୟନ ଓ ଜିଏସଟିର ପ୍ରଭାବରେ  ତାରକସୀ ଶିଳ୍ପରେ ବିଶେଷ କ୍ଷତି ଘଟାଇଥିବା ଉତ୍କଳ ସ୍ୱର୍ଣ୍ଣ ରୈାପ୍ୟ ଶିଳ୍ପୀ ସଂଘର କୋଷାଧ୍ୟକ୍ଷ ମନୋଜ ମହାରଣା କହିଛନ୍ତି। ଫଳରେ ସହରର ତାରକସୀ କାରିଗରମାନଙ୍କ କାମ କମି କମି ଆସିଲା ଓ ବହୁ କାରିଗର ବେକାର ଅବସ୍ଥାରେ ରହିଲେ।

ଏହି କାର୍ଯ୍ୟରେ ସଂପୃକ୍ତ କୁଶଳୀ କାରିଗରମାନଙ୍କୁ ଦୈନିକ ୫ଶହ ଟଙ୍କା ପର୍ଯ୍ୟନ୍ତ ମଜୁରୀ ମିଳିଥାଏ। ସ୍ୱଳ୍ପ ମଜୁରୀ ଯୋଗୁଁ ଯୁବପିଢ଼ିର କାରିଗରମାନେ ଆଉ ଏ କାମ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ବରିଷ୍ଠ କାରିଗର ଚନ୍ଦୁଲାଲ ଶାହ କହିଛନ୍ତି। ବର୍ତମାନ ଅଧିକାଂଶ ପୁରୁଖା କୁଶଳୀ କାରିଗରମାନେ ବୃଦ୍ଧ ହୋଇଗଲେଣି। ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ ମୃତ୍ୟୁବରଣ କଲେଣି। ବହୁ କାରିଗର ମଧ୍ୟ ଅନ୍ୟ ଧନ୍ଦାରେ ନିୟୋଜିତ ହେଉଛନ୍ତି। ତେଣୁଏହି ଶିଳ୍ପ ବର୍ତମାନ ରାଜ୍ୟରୁ ବିଲୁପ୍ତ ହୋଇଯିବାର ଆଶଙ୍କା ଦେଖାଦେଇଛି।

ଉତ୍କଳ ଗୈାରବ ମଧୁସୂଦନ ଦାସ ତାରକସୀ କାରଖାନା ପ୍ରତିଷ୍ଠା କରି ଏହି ଶିଳ୍ପର ପ୍ରଚାର ପ୍ରସାର କରାଇବା ସହିତ ତାରକସୀ ପାଇଁ କଟକର ସୁନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଥିଲେ। ୧୯୬୩ ମସିହାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ଥାନୀୟ ଖପୁରିଆ ଛକଠାରେ ‘କଳିଙ୍ଗ କୋ-ଅପରେଟିଭ ସୋସାଇଟି’ ନାମକ ସଂସ୍ଥା ଗଠନ କରି ତାରକସୀ କାରିଗରଙ୍କୁ କର୍ମ ସଂସ୍ଥାନ ଯୋଗାଇଥିଲେ।

ତାରକସୀ ଶିଳ୍ପର ପୁରୁଦ୍ଧାର ପାଇଁ ଏକ ତାରକସୀ ହବ୍ ନିର୍ମାଣ ନିମନ୍ତେ କେନ୍ଦ୍ର ହସ୍ତ୍ରତନ୍ତ୍ର ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଯୋଜନା କରାଯାଇଛି।  ତାରକସୀ ଶିଳ୍ପର ପୁନରୁଦ୍ଧାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କଟକରେ ତୁରନ୍ତ ତାରକସୀ ହବ୍ ପ୍ରତିଷ୍ଠା କରିବାକୁ ଉତ୍କଳ ସ୍ୱର୍ଣ୍ଣ ରୈାପ୍ୟ ଶିଲ୍ପ ସଂଘ ପକ୍ଷରୁ ଦାବି କରାଯାଇଛି।

Comment