ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ମହିଳା ପ୍ରାର୍ଥୀଙ୍କୁ ନେଇ ଅଙ୍କ କଷୁଛନ୍ତି ବିଜେଡି ମ୍ୟାନେଜର।

୭ଟି ଲୋକସଭା ଆସନରେ ବିଜେଡି ଦେବ ମହିଳା ପ୍ରାର୍ଥୀ। ଏନେଇ ମହିଳା ଆଶାୟୀଙ୍କ ଲମ୍ବା ଧାଡ଼ି ନବୀନ ନିବାସରେ ଲାଗୁଛି। ତେବେ କେଉଁ ୭ଟି ଲୋକସଭା ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେବାକୁ ଚାହୁଁଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ହେଲେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ – ସୁନ୍ଦରଗଡ଼, କନ୍ଧମାଳ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, ନବରଙ୍ଗପୁର ଏବଂ ବ୍ରହ୍ମପୁର ଲୋକସଭା ଆସନ ଉପରେ ନଜର ପକାଇଛି।

ଏହି ୭ଟି ଆସନରେ ବିଜେଡି ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଅଙ୍କ କଷୁଛି। ଆବଶ୍ୟକ ପଡ଼ିଲେ କୋରାପୁଟ ଏବଂ କେନ୍ଦୁଝର ଲୋକସଭା ଆସନ କଥା ବିଚାର କରିବ ବିଜେଡି।

ଯେଉଁ ୭ଟି ଆସନ ଉପରେ ବିଜେଡି ମହିଳା ପ୍ରାର୍ଥୀ ଦେବା ପାଇଁ ନଜର ପକାଇଛି ସେଠି ଏକାଧିକ ଆଶାୟୀ ବାହାରିଛନ୍ତି। ଏଣୁ ନବୀନ କାହାକୁ ରଖିବେ ଏବଂ କାହାକୁ କାଟିବେ ସେନେଇ ଗଣିତ କଷା ଚାଲିଛି।

ସୁନ୍ଦରଗଡ଼ ଲୋକସଭା ଆସନରୁ ସୁନିତା ବିଶ୍ୱାଳଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସୁନିତା ନିକଟରେ କଂଗ୍ରେସ ଛାଡ଼ି ବିଜେଡି କ୍ୟାମ୍ପକୁ ଆସିଛନ୍ତି। ସେ ଲୋକସଭା ପାଇଁ ଟିକେଟ ନେବାକୁ ଲବି ଚଳାଇଛନ୍ତି।

ଯାଜପୁର ଲୋକସଭା ଆସନ ପାଇଁ ଦୁଇ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବର୍ତ୍ତମାନର ସାଂସଦ ରୀତା ତରାଇ ପ୍ରମୁଖ ଦାବିଦାର ଅଛନ୍ତି।

ରିତା ୨୦୧୪ ନିର୍ବାଚନରେ ପ୍ରଥମ ଥର ପାଇଁ ସାଂସଦ ଟିକେଟ ନେଇ ନିର୍ବାଚିତ ହୋଇଥିଲେ।

ଜଗତସିଂହପୁର ଲୋକସଭା ଆସନ ପାଇଁ ରାଜଶ୍ରୀ ମଲ୍ଲିକଙ୍କ ନାଁ ଚର୍ଚ୍ଚା ହେଉଛି। ରାଜଶ୍ରୀ ପେଶାରେ ଡାକ୍ତର। ୨୦୧୪ରେ ସେ ଡାକ୍ତରୀ ବୃତ୍ତି ଛାଡ଼ି ତିର୍ତ୍ତୋଲରୁ ବିଧାୟିକା ହୋଇଥିଲେ। ତିର୍ତ୍ତୋଲରେ ତାଙ୍କ ସ୍ଥିତି ଭଲ ନଥିବାରୁ ସେ ଲୋକସଭା ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ସେହିପରି ବ୍ରହ୍ମପୁର ଲୋକସଭା ଆସନରୁ କଲ୍ୟାଣୀ ଗଜପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। କଲ୍ୟାଣୀ ଗଜପତି ନିକଟରେ ବିଜେଡିରେ ଯୋଗ ଦେଇଥିଲେ। କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ପ୍ରମୁଖ ଦାବିଦାର ଅଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି ଆସନରୁ ଜଣେ ମହିଳା ପ୍ରଶାସନିକ ଅଧିକାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ହେଲେ କିଛି ସ୍ପଷ୍ଟ ହୋଇନାହିଁ।

ବାଲେଶ୍ୱର ଲୋକସଭା ଆସନରୁ ରବୀନ୍ଦ୍ର ଜେନା ସାଂସଦ ଅଛନ୍ତି। କିନ୍ତୁ ଚିଟଫଣ୍ଡ ଠକେଇରେ ତାଙ୍କ ନାଁ ଯୋଡ଼ି ହୋଇଥିବାରୁ ତାଙ୍କ ସ୍ତ୍ରୀ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ କରିବା ଲାଗି ବିଜେଡି ମ୍ୟାନେଜର ଅଙ୍କ କଷୁଛନ୍ତି।

୨୦୧୪ ନିର୍ବାଚନରେ ବିଜେଡିର ୩ ଜଣ ମହିଳା ସାଂସଦ ଥିଲେ। କନ୍ଧମାଳ ଲୋକସଭା ଆସନରୁ ପ୍ରତ୍ୟୁଷା ରାଜେଶ୍ୱରୀ, ଯାଜପୁରରରୁ ରୀତା ତରାଇ, କେନ୍ଦୁଝରରୁ ସକୁନ୍ତଳା ଲାଗୁରୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୯ରେ ନବୀନ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିବା ପରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।

Comment