ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ଗଡ଼ ଗୁଜରାଟରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଗୁଜରାଟର ଗାନ୍ଧି ନଗରରେ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେଇ ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଗାନ୍ଧି ନଗର ମଞ୍ଚରୁ ପ୍ରିୟଙ୍କା ମୋଦିଙ୍କୁ ଦେଶଭକ୍ତିର ଅର୍ଥ ବୁଝାଇଛନ୍ତି। କଂଗ୍ରେସ ମହାସଚିବ ହେବା ପରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ଼ ରାଲିରେ ଯୋଗ ଦେଇ ମୋଦିଙ୍କୁ ନିଶାନା କରିଛନ୍ତି।

“ଦେଶରେ ଆଜି ଯାହା ଘଟୁଛି ତାହା ଦେଖିଲେ ଦୁଃଖ ଲାଗୁଛି। ଲୋକଙ୍କୁ ସଚେତନ କରାଯାଉ ନାହିଁ। ଦେଶଭକ୍ତି ନାଁରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ସଚେତନତାଠାରୁ ବଳି ଦେଶଭକ୍ତି ଆଉ କିଛି ନାହିଁ”, କହିଛନ୍ତି ପ୍ରିୟଙ୍କା ଗାନ୍ଧି।

ପ୍ରିୟଙ୍କା ମୋଦିଙ୍କ ନାଁ ନନେଇ ୧୫ ଲକ୍ଷ ଟଙ୍କା ଏବଂ ୨ କୋଟି ନିଯୁକ୍ତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବେଳେ ଅନେକ ଲୋକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥାନ୍ତି। ଯେଉଁମାନେ ଏବେ ପ୍ରତିଶ୍ରୁତି ଦେଉଛନ୍ତି ସେମାନଙ୍କୁ ପଚାର ଯେ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଏବଂ ୨ କୋଟି ଯୁବକଙ୍କୁ କେବେ ନିଯୁକ୍ତି ମିଳିବ?

Comment